ଓଡ଼ିଶାଲାଇଭ୍ ବ୍ୟୁରୋ
![]()
ଓଡ଼ିଶାରେ ଏବେ କିଛି ଦିନ ହେବ ଅସ୍ଵାଭାବିକ ଗରମ ଅନୁଭୂତ ହେଉଛି। ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ସବୁଆଡ଼େ ଖରା ଓ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗକୁ ୨ରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡ଼ିଗ୍ରୀ ଅଧିକ ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ସକାଳୁ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ପାର କରିଥିଲା। ଦିନ ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୨ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୪୧.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡିଗ୍ରୀ, ହୀରାକୁଦରେ ୪୧.୨ ଡିଗ୍ରୀ, କେନ୍ଦୁଝରରେ ୩୮.୪ ଡିଗ୍ରୀ, ବାଲେଶ୍ୱରରେ ୩୭ ଡିଗ୍ରୀ, ପୁରୀ ୩୬.୨ ଡିଗ୍ରୀ, ପାରାଦୀପ ୩୪.୪ ଡିଗ୍ରୀ ଓ ଗୋପାଳପୁରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସେହିପରି ସୋମବାର ଦିନ ଭୁବନେଶ୍ଵର ଓ କଟକ ସହରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏହି ଦୁଇ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୬.୫ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଓଡ଼ିଶାର ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହୁଥିବାରୁ ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହାସହ ଅଘୋଷିତ ବିଜୁଳି କାଟ୍ ଯୋଗୁଁ ଲୋକମାନେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏବେ ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପାଇଁ ଛୋଟ ପିଲା, ବୟସ୍କ ବ୍ୟକ୍ତିମାନଙ୍କୁ ଖରା ସମୟରେ ବାହାରକୁ ନବହରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଗୃହପାଳିତ ପଶୁପକ୍ଷୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
Tags: #Weather #Heatwave #Summer #TemperatureRise #Odisha


















