ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ନୟାନ୍ତ ହେଲେଣି ରାଜ୍ୟବାସୀ। ଆଉ ଦୁଇ ଦିନ ତାପମାତ୍ରରେ ବୃଦ୍ଧି ହେବା ନେଇ ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଦିନକୁ ଦିନ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ହେଉଥିବାରୁ ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ। ସକାଳ ୫ଟା ୩୦ରୁ ଆରମ୍ଭ ହୋଇଯାଉଛି ଅସହ୍ୟ ଗୁଳୁଗୁଳି। ସକାଳ ୮ଟା ପରେ ଘରୁ ଗୋଡ଼ କାଢ଼ିବାକୁ ଲୋକଙ୍କୁ ଡର ଲାଗୁଛି।

ଶନିବାର ସକାଳ ୮ଟା ୩୦ରେ ଭୁବନେଶ୍ଵରର ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଆର୍ଦ୍ରତା ୫୪ ପ୍ରତିଶତ ରେକର୍ଡ କରିଛି ପାଣିପାଗ କେନ୍ଦ୍ର। ଆଜି ଦିନର ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସମ୍ବଲପୁର, ବଲାଙ୍ଗୀର ଏବଂ ସୋନପୁରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।

ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ଏଠାରେ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ହୀରାକୁଦ, ଭୁବନେଶ୍ଵର ଏବଂ ଝାରସୁଗୁଡ଼ାର ତାପମାତ୍ରା ୪୨ ଡିଗ୍ରୀ ଟପିଛି। କେନ୍ଦୁଝରର ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଚାନ୍ଦବାଲିର ତାପମାତ୍ରା ୩୮.୬ ଡିଗ୍ରୀ, ପୁରୀର ୩୬ ଡିଗ୍ରୀ, ଗୋପାଳପୁରର ୩୫.୪ ଡିଗ୍ରୀ, ପାରାଦୀପର ୩୪.୪ ଡିଗ୍ରୀ ଏବଂ ବାଲେଶ୍ଵରର ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଶନିବାର ସକାଳ ୮ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଏବଂ ସମ୍ବଲପୁରର ତାପମାତ୍ରା ୩୬ ଡିଗ୍ରୀ ଟପିଥିଲା। ହୀରାକୁଦର ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ଵରର ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପୁରୀ ଓ ଚାନ୍ଦାବାଲିର ତାପମାତ୍ରା ୩୪ ଡିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୩ ଡିଗ୍ରୀ, ପାରାଦୀପର ୩୨.୮ ଡିଗ୍ରୀ, ବାଲେଶ୍ଵରର ୩୨.୪ ଡିଗ୍ରୀ ଏବଂ ଗୋପାଳପୁର ତାପମାତ୍ରା ୩୧.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

Tags: #Weather #WeatherUpdates #SummerHeat #HeatWave #Odisha

Comment