ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଓଡ଼ିଶାର ଜଣାଶୁଣା ଗାୟକ ଅଭିଜିତ ମିଶ୍ର।

ଓଡ଼ିଆ ସଙ୍ଗୀତ ଜଗତର ଜଣେ  ଆଗଧାଡ଼ିର ଗାୟକ ହେଉଛନ୍ତି ଅଭିଜିତ ମିଶ୍ର। ୨୦୦୯ରେ ‘ସାତ ସୁରେ ବନ୍ଧା ଏ ଜୀବନ’ ଫିଲ୍ମର ଟାଇଟଲ ଗୀତ ଗାଇ ସେ ଶ୍ରୋତାଙ୍କ ନିକଟରେ ପରିଚିତ ହୋଇଥିଲେ। ପ୍ରାୟ ୨୦ରୁ ଅଧିକ ଫିଲ୍ମ, ୨୦୦ରୁ ଅଧିକ ଆଲବମ୍‌ରେ କଣ୍ଠଦାନ କରିଛନ୍ତି । କେବଳ ସେତିକି ନୁହେଁ ଜଣେ କମ୍ପୋଜର ଭାବେ ମଧ୍ୟ ସେ ପରିଚିତ।

ସଙ୍ଗୀତ ଜଗତକୁ କେମିତି ପ୍ରବେଶ କଲେ?

ମୋର ବାପା ପ୍ରସନ୍ନ ମିଶ୍ର ଜଣେ ମଞ୍ଚ କଳାକାର ଓ ସଙ୍ଗୀତଜ୍ଞ। ଜେଜେମା ତାରାମଣି ମିଶ୍ର ଅଲ୍‌ ଇଣ୍ଡିଆ ରେଡିଓରେ ଜଣେ ଆର୍ଟିଷ୍ଟ ଥିଲେ। ଜେଜେ ମା’ଙ୍କ ବାପା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଖାଉଜ ଅଧ୍ୟାପକ ଥିଲେ। ଯେହେତୁ ଘର ଲୋକଙ୍କ ରକ୍ତରେ ଥିଲା ସଙ୍ଗୀତ ମୋର ବି ସେ ପ୍ରତି ଦୁର୍ବଳତା ବଢ଼ିଲା। କିନ୍ତୁ ମାଟ୍ରିକ ପରୀକ୍ଷା ପରେ ମୁଁ ବିଧିବଦ୍ଧ ଭାବେ ହିନ୍ଦୁସ୍ତାନ କ୍ଲାସିକାଲ ଶିଖିବା ଆରମ୍ଭ କଲି।

ଅଭିଜିତ ଜଣେ ବି.ଟେକ ଇଞ୍ଜିନିୟରିଂ ଛାତ୍ର ଥିଲେ। ଗୁଜୁରାଟରେ ଚାକିରି ମଧ୍ୟ କରିଥିଲେ। କିନ୍ତୁ ଚାକିରି ଛାଡ଼ି ସଙ୍ଗୀତ ଦୁନିଆକୁ କାହିଁକି ଆସିଲେ?

ଚାକିରି ଆଉ ସଙ୍ଗୀତ ଦୁଇଟାଯାକ ଏକାସାଙ୍ଗରେ ଚାଲିବ ବୋଲି ପ୍ରଥମେ ପ୍ରଥମେ ଭାବିଥିଲି। ଗୁଜୁରାଟରେ ଏକ ଭଲ କମ୍ପାନୀରେ ଚାକିରି ମଧ୍ୟ କରିଥିଲି। ତାପରେ ଓଡ଼ିଶାରେ କିଛି ଦିନ ଚାକିରି କରିଛି। କିନ୍ତୁ କାମରୁ ଫେରିଲା ପରେ ଏତେ ହାଲିଆ ହୋଇଯାଉଥିଲି ଯେ, ସଙ୍ଗୀତ ଅଭ୍ୟାସ କରିପାରୁନଥିଲି। ସଙ୍ଗୀତ ପାଇଁ ସବୁବେଳେ ସମୟ ଓ ମନ ସ୍ଥିର ହେବା ଦରକାର। ହେଲେ ମୋ ଦ୍ୱାରା ତାହା ସମ୍ଭବ ହେଉନଥିଲା। ତେଣୁ ଚାକିରି ପୂରା ଛାଡ଼ିବାକୁ ନିଷ୍ପତ୍ତି ନେଲି। ମୋର ପୂରା ଫୋକସ୍‌ ସଙ୍ଗୀତରେ ରହିଲା।

‘ସାତ ସୁରେ ବନ୍ଧା ଏ ଜୀବନ’ ଫିଲ୍ମର ଟାଇଟଲ ଗୀତ ଆପଣଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। କ’ଣ କହିବେ?

୯୨.୭ ବିଗ୍‌ ଏଫଏମ୍‌ରେ ଗୋଟେ ପ୍ରତିଯୋଗିତା ହୋଇଥିଲା। ସେଥିରେ ମୁଁ ପ୍ରଥମ ହୋଇଥିଲି। ସେଇ ପ୍ରତିଯୋଗିତାରେ ଜଣାଶୁଣା ସଙ୍ଗୀତଜ୍ଞ ମନ୍ମଥ ମିଶ୍ର ଜଜ୍‌ ଥିଲେ। ସେ ମୋ ଗୀତ ଶୁଣି ମତେ ବେଶ୍‌ ପ୍ରଶଂସା କରିଥିଲେ ଓ କହିଥିଲେ ମୁଁ ଜଣେ ଭଲ ପ୍ଲେବ୍ୟାକ୍‌ ସିଙ୍ଗର ହେବି। ପରବର୍ତ୍ତୀ ସମୟରେ ସେ ହିଁ ‘ସାତ ସୁରେ ବନ୍ଧା ଏ ଜୀବନ’ ଫିଲ୍ମର ସବୁ ଗୀତ ଗାଇବାର ସୁଯୋଗ ଦେଇଥିଲେ।

ଗୀତ ଗାଇବା ସହ ଆପଣ ଜଣେ କମ୍ପୋଜର ମଧ୍ୟ। ତେବେ କେଉଁ କାମ ଟା ଅଧିକ କଷ୍ଟ?

ହୃଦୟ ଭିତରୁ କିଛି କାମ କଲେ ତା’ କେବେ କଷ୍ଟକର ଲାଗେନି। ଗୀତ ଗାଇବା ଓ କମ୍ପୋଜ କରିବା ଦୁଇଟି ଯାକ କାମ ମତେ ଭଲ ଲାଗେ। କିନ୍ତୁ ସତ କହିବାକୁ ଗଲେ କମ୍ପୋଜ ବେଳେ ଅଧିକ ଭଲ ଲାଗେ କାରଣ ମନ ଭିତରେ ଯେଉଁ ସ୍ୱର ଥାଏ ତାହାକୁ ବାହାରେ ପ୍ରକାଶ ଯାଇପାରେ?

ଇଣ୍ଡଷ୍ଟ୍ରିକୁ ପଶିବାକୁ ହେଲେ ରିଆଲିଟି ସୋ’ ଏକ ମାଧ୍ୟମ ବୋଲି ଆଜିକାର ପିଲା ଭାବୁଛନ୍ତି।  ଆପଣ କ’ଣ କହିବେ?

ରିଆଲିଟି ସୋ’ ଗୋଟିଏ ପ୍ଲାଟଫର୍ମ ଦେଇଥାଏ ନିଜ ପ୍ରତିଭାକୁ ବାହାରକୁ ଆଣିବାକୁ। ତା’ପରେ ସେହି କଳାକାର ନିଜକୁ କେମିତି ଆହୁରି ଆଗକୁ ଆଣିବେ ତା’ ଉପରେ ନିର୍ଭର କରୁଛି। ଅନେକ ପିଲା ଏଭଳି ପ୍ଲାଟଫର୍ମ ପାଇବା ପରେ ନିଜକୁ ଷ୍ଟାର ବୋଲି ଭାବନ୍ତି ଓ ନିଜ ଲକ୍ଷ୍ୟରୁ ହଟିଯାଆନ୍ତି। ଏହା ଆଦୌ ଠିକ ନୁହେଁ।

ଆଜିକାଲି ଅନେକ ଓଡ଼ିଆ ଗୀତରେ ଅନ୍ୟର ଭାଷାର ଫ୍ୟୁଜନ କରାଯାଉଛି। ଏହା କେତେଦୂର ଠିକ?

ଫ୍ୟୁଜନ ହେବା ଦ୍ୱାରା ଓଡ଼ିଆ ଭାଷା ମରିଯାଉଛି। ଯଦି କେଉଁଠି ଦରକାର ଓ ତାହା ଶୁଣିବାକୁ ଭଲ ଲାଗୁଛି ତେବେ ଫ୍ୟୁଜନ କଲେ କିଛି ଅସୁବିଧା ନାହିଁ। ହିନ୍ଦୀ ଗୀତରେ ମଧ୍ୟ ଅନେକ ଭାଷାର ଫ୍ୟୁଜନ କରାଯାଏ। କିନ୍ତୁ ତା’ ଶୁଣିବାକୁ ମଧ୍ୟ ଭଲ ଲାଗେ। କିନ୍ତୁ ଓଡ଼ିଆ ଗୀତରେ ତାହା ଦେଖିବାକୁ ମିଳେନି। ଅଯଥାରେ ଓଡ଼ିଆ ଗୀତରେ ଅନ୍ୟ ଭାଷାକୁ ଭର୍ତ୍ତି କରାଯାଉଛି, ଯାହାଦ୍ୱାରା ଓଡ଼ିଆ ଗୀତଟି ଶୁଣିବାକୁ ଭଲ ଲାଗେନି।

ଭବିଷ୍ୟତରେ ମ୍ୟୁଜିକୁ ନେଇ କ’ଣ ଯୋଜନା ଅଛି?

ମ୍ୟୁଜିକ ମୋର ଜୀବନ, ମୋ ଦୁନିଆ। ୟାକୁ ନେଇ ବଞ୍ଚିବି। ଭବଷ୍ୟତରେ କ’ଣ ହେବ ଜାଣିନି। କିନ୍ତୁ ମୁଁ ମୋର କଠିନ ପରିଶ୍ରମ ଏମିତି ଜାରି ରଖିବି।  ତେବେ ଜଣେ ଭଲ ମ୍ୟୁଜିକ ଡିରେକ୍ଟର ହେବାକୁ ମୁଁ ଲକ୍ଷ୍ୟ ରଖିଛି। ଭଗବାନଙ୍କ ଆଶୀର୍ବାଦରୁ ସେ ସ୍ୱପ୍ନ ମଧ୍ୟ ଖୁବ୍‌ଶୀଘ୍ର ପୂରା ହେବ ବୋଲି ଆଶା କରୁଛି। ତା’ ଛଡ଼ା ବଲିଉଡରେ ମଧ୍ୟ ଗୀତ ଗାଇବାର ଇଚ୍ଛା ଅଛି। ସେଥିପାଇଁ ମୁମ୍ବାଇରେ ବି ମୁଁ ମୋ କାମ ଜାରି ରଖିଛି।

Comment