ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ବିଶିଷ୍ଟ ଲେଖିକା ତଥା ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ।

ସୁସ୍ମିତା ବାଗ୍‌ଚୀ। ଜଣେ ଲେଖିକା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗବେଷଣା କ୍ଷେତ୍ର ପାଇଁ ଦାନ କରି ବିଭିନ୍ନ ସମୟରେ ସେ ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି।

 ୨୦୧୯ରେ ରାଜ୍ୟ ସରକାର ସୁସ୍ମିତାଙ୍କୁ ‘ମୋ ସ୍କୁଲ୍ ଅଭିଯାନ’ର ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଦେଇଥିଲେ। ୨୦୧୯ରୁ ୨୦୨୩ ସୁସ୍ମିତା ଏହି ଦାୟିତ୍ୱ ତୁଲାଉଛନ୍ତି।

‘‘ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ଏହାର ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ସ୍କୁଲ ସହିତ ଯୋଡ଼ିବା ଲକ୍ଷ୍ୟରେ ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ ହୋଇଥିଲା। ଏଭଳି କାର୍ଯ୍ୟକ୍ରମ ଅନ୍ୟ କୌଣସି ଦେଶ ବା ରାଜ୍ୟରେ ନାହିଁ। ଓଡ଼ିଶାରେ ସରକାରୀ ବା ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ପ୍ରାୟ ୫୪ ହଜାର ରହିଛିା ପ୍ରାୟ ସବୁ ସ୍କୁଲରେ ଆମେ ପହଞ୍ଚିସାରିଛୁ। ୭ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଛନ୍ତି। ସେମାନଙ୍କ ସହଯୋଗ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବ’’, ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ସୁସ୍ମିତା ବାଗ୍‌ଚୀ।

ଖାସ କଥା ହେଲା  ‘ମୋ ସ୍କୁଲ’ର ଅଧ୍ୟକ୍ଷା ଭାବେ ସୁସ୍ମିତା ଦରମା ନିଅନ୍ତିନି। ଆଜି ଲୋକଙ୍କ ଭଲ ପାଇବା ଯେମିତି ମିଳୁଛି, ସେଇଟା ହିଁ ସବୁଠୁ ବଡ଼ ଦରମା ବୋଲି କହନ୍ତି ସୁସ୍ମିତା।

ସୁସ୍ମିତା ପାଠପଢ଼ା ସାରି ପ୍ରଥମେ ପ୍ରଥମେ ଦିଲ୍ଲୀ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଭାବେ ଚାକିରି କରୁଥିଲେ। ତା’ ଛଡ଼ା ସେ କୋଲକାତା, ଦିଲ୍ଲୀ, ବେଙ୍ଗାଳୁରୁ ଓ ଆମେରିକାରେ ଅନେକ ଦିନ ଧରି ରହିଥିଲେ।

ଏବେ ଯାଏଁ ସୁସ୍ମିତା ନଅଟି ଉପନ୍ୟାସ, ଆଠଟି କ୍ଷୁଦ୍ରଗଳ୍ପ ଏବଂ ୨ଟି ଭ୍ରମଣ କାହାଣୀ ସମେତ ୧୯ଟି ବହି ଲେଖିଛନ୍ତି। ପ୍ରଥମେ ସୁସ୍ମିତା କେବଳ ଗଳ୍ପ ଲେଖୁଥିଲେ। ପରବର୍ତ୍ତୀ ସମୟରେ ସେ ଆପଣ ଉପନ୍ୟାସ, ଭ୍ରମଣ କାହାଣୀ ଲେଖିବା ଆରମ୍ଭ କଲେ। (‘ମୋ ଝର୍କାରୁ ପୃଥିବୀ’ ସୁସ୍ମିତାଙ୍କ ଭ୍ରମଣ କାହାଣୀ ସୁଚରିତାରେ ପ୍ରକାଶ ପାଉଥିଲା)। ସବୁଠୁ ଖାସ କଥା ହେଲା ଅଧିକାଂଶ ଲେଖା ବିଭିନ୍ନ ସାମାଜିକ ଓ ସ୍ୱାସ୍ଥ୍ୟ ଭଳି ବିଷୟବସ୍ତୁ ଉପରେ ଆଧାରିତ।

ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ଅବଦାନ ପାଇଁ ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ବିଭିନ୍ନ ପୁରସ୍କାର ଓ ସମ୍ମାନ ପାଇଛନ୍ତି।

ନିଜର ଲେଖିକା ଜୀବନକୁ ନେଇ ସୁସ୍ମିତା କହନ୍ତି, ‘‘ମୋ ମା’ ଶକୁନ୍ତଳା ପଣ୍ଡା ଜଣେ ଜଣାଶୁଣା ସାହିତ୍ୟିକା ଥିଲେ। ଦୀର୍ଘ ବର୍ଷ ଧରି ସେ ମହିଳା ପତ୍ରିକା ‘ସୁଚରିତା’ର ସମ୍ପାଦିକ ଥିଲୋ ଖାସ କଥା ଥିଲା, ଏହି ପତ୍ରିକାରେ କେବଳ ମହିଳାମାନ ଲେଖୁଥିଲେ। ତାଙ୍କରିଠାରୁ ହିଁ ମୁଁ ଲେଖାଲେଖି ପ୍ରତି ପ୍ରେରିତ ହୋଇଥିଲି’’।

Susmita Bagchi

ସେତେବେଳେ ଓଡ଼ିଆ ଭାଷାରେ ଅନ୍ୟ କେତୋଟି ପ୍ରମୁଖ ପ୍ରତିକା ଥିଲା, ଯେମିତିକି ‘ଝଙ୍କାର’, ‘ଆସନ୍ତାକାଲି’, ‘ସମାବେଶ’। ସେଗୁଡ଼ିକ ସବୁ ସାହିତ୍ୟ ପତ୍ରିକା। କିନ୍ତୁ ‘ସୁଚରିତା’ ଥିଲା ସବୁଠୁ ଭିନ୍ନ। ସୁଚରିତା ସହିତ ସୁସ୍ମିତାଙ୍କ ପୂରା ପରିବାର ଜଡ଼ିତ ଥିଲେ। ମା’ ସମ୍ପାଦିକା ଥିଲେ, ବାପା ହରିହର ପଣ୍ଡା ପ୍ରାସାରଣ, ମାର୍କେଟିଙ୍ଗ୍‌ ଓ ଅନ୍ୟାନ୍ୟ କଥା ବୁଝୁଥିଲେ। ସୁସ୍ମିତା ଓ ତାଙ୍କ ଭାଇ ମଧ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ କରୁଥିଲେ। ‘ସୁଚରିତା’ ପ୍ରଥମେ ଓଡ଼ିଶାରୁ ପ୍ରକାଶ ପାଉଥିଲା। ଏହାର ଲୋକପ୍ରିୟତା ଓ ପ୍ରାସାରଣ ବଢ଼ିବା ଫଳରେ ପରବର୍ତ୍ତୀ ସମୟରେ ଏହା କୋଲକାତାରୁ ଅଫ୍‌ସେଟ୍‌ ରେ ଛପା ଗଲା।

ବ୍ୟବସାୟିକ ଦୃଷ୍ଟିରୁ ସୁଚରିତା ବେଶ୍‌ ସଫଳତା ପାଇଥିଲା। ତେବେ ସୁସ୍ମିତାଙ୍କ ମା’ ଅସୁସ୍ଥ ହୋଇପଡ଼ିବାରୁ ଦିନେ ଓଡିଶାରେ ଆଲୋ଼ଡ଼ନ ସୃଷ୍ଟି କରିଥିବା ‘ସୁଚରିତା’ ନିରବିଗଲା।

ସୁସ୍ମିତାଙ୍କ ଜୀବନ ସାଥୀ ସୁବ୍ରତ ବାଗଚୀ ଜଣେ ଜଣାଶୁଣା ଚେହେରା। ଆଜି ଯୁବପିଢ଼ି ଓ ଉଦ୍ୟୋଗୀମାନଙ୍କ ପାଇଁ ଜଣେ ଆଇକନ। ଅନେକ ତାଙ୍କୁ ଆଦର୍ଶ ବୋଲି ମାନନ୍ତି। ଭାରତର ପ୍ରସିଦ୍ଧ ଆଇଟି କମ୍ପାନି ‘ମାଇଣ୍ଡଟ୍ରି’ର ସହ-ପ୍ରତିଷ୍ଠାତା ଏବଂ ଜଣେ ଜଣାଶୁଣା ଲେଖକ। କଲେଜ ସମୟରୁ ସୁବ୍ରତଙ୍କ ସହ ସୁସ୍ମିତାଙ୍କର ପରିଚୟ ହୋଇଥିଲା।

ଆଜିର ଦିନରେ ସୁସ୍ମିତା ଓ ସୁବ୍ରତ ବାଗ୍‌ଚୀ ଭାରତର ଅନ୍ୟତମ ଦାତବ୍ୟ ଦମ୍ପତି ଭାବେ ପରିଚିତ ହେଉଛନ୍ତି। ବାଗଚୀ ଦମ୍ପତ୍ତି କୋଭିଡ୍‌ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ କୋଟି ଦାନ କରିଥିଲେ।  କିଛି ବର୍ଷ ତଳେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟକୁ ଏକ ମିଲିୟନ ଡଲାର ଦାନ କରିଥିଲେ। କିଛିମାସ ତଳେ ସେମାନେ ଓଡ଼ିଶାରେ କ୍ୟାନସର ହସ୍ପିଟାଲ ସହ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୭୦ କୋଟି ଟଙ୍କା ଦାନ କରିଛନ୍ତିା ସେହିପରି ଇଣ୍ଡିଆନ ଇନଷ୍ଟଚ୍ୟୁଟ୍‌ ଅଫ୍‌ ସାଇନ୍ସ( ବାଙ୍ଗଲୋର) ୨୧୫ କୋଟିରୁ ଅଧିକ ଦାନ କରିଛନ୍ତିା

ଭାରତର ସବୁଠାରୁ ବଡ଼ ଦାନୀଙ୍କ ତାଲିକାରେ ସେମାନେ ସାମିଲ ହୋଇଛନ୍ତି। ଇଡେଲଗିଭ୍‌ ହୁରୁନ ଇଣ୍ଡିଆ ଫିଲୋନଥ୍ରୋପି ତାଲିକାରେ ୫ମ ସ୍ଥାନରେ ଅଛନ୍ତି।

‘‘କିଛି ବର୍ଷ ତଳେ ଦିନେ ସୁବ୍ରତ ଓ ମୁଁ ଏବଂ ଆମର ଦୁଇ ଝିଅ ବସି କଥା ହେଉଥିଲୁ। ଆମେ ଆମର ଅର୍ଜିତ ଟଙ୍କା କିପରି ପରିଚାଳନା କରିବୁ ସେ ବିଷୟରେ ଆଲୋଚନା କରିଥିଲୁ। ସେହି ସମୟରେ, ଆମେ ସ୍ଥିର କରିଥିଲୁ ଯେ, ଆମର ସଞ୍ଚୟ କେବଳ ପରିବାର ସଦସ୍ୟଙ୍କ ପାଇଁ ହେବ ନାହିଁ। ଏଥିରୁ କିଛି ଅଂଶ ସାଧାରଣ ଲୋକଙ୍କ ସେବା ପାଇଁ ବ୍ୟବହୃତ ହେବ। ଅବଶ୍ୟ ଆମେ ସେ ସମୟରେ ଅର୍ଥରାଶି କେତେ ହେବ ଚିନ୍ତା କରିନଥିଲୁ କିନ୍ତୁ ଆମ ସଞ୍ଚିତ ଟଙ୍କା ଲୋକଙ୍କ ସେବାରେ ଲାଗିବ ସେ ନିଷ୍ପତ୍ତିରେ ଚୂଡ଼ାନ୍ତ ଥିଲୁ’’, କହିଛନ୍ତି ସୁସ୍ମିତା ବାଗ୍‌ଚୀ।

LEAVE A REPLY

Please enter your comment!
Please enter your name here