ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବ। ଏଥିପାଇଁ ମଙ୍ଗଳବାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଜୁନ ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ଓଡ଼ିଶାରେ ମୌସୁମୀ ବାୟୁର ପ୍ରବେଶ ନେଇ ପାଗ ଅନୁକୂଳ ରହିଛି। ଏଥିପାଇଁ କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ବର୍ଷା ପ୍ରଭାବରେ ଏବେ ରାଜ୍ୟର ତାପମାତ୍ରା କମିଛି। ଓଡ଼ିଶାର ବାୟୁମଣ୍ଡଳରେ ଏବେ ଜଳୀୟବାଷ୍ପର ମାତ୍ରା ଅଧିକ ରହିଥିବାରୁ ଆଗକୁ ମୌସୁମୀ ପ୍ରଭାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ମଙ୍ଗଳବାର ଦିନ କୋରାପୁଟ, ନବରଙ୍ଗପୁର ଓ ଦକ୍ଷିଣ ଓଡ଼ିଶାର ଅନ୍ୟ କିଛି ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲା। ନବରଙ୍ଗପୁରରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ବାୟୁ ପ୍ରଭାବରେ ଆଗକୁ ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଓଡ଼ିଶାର ଉତ୍ତର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ।
ଅନ୍ୟପଟେ ଜୁନ ୨୩ ଓ ୨୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷାର ମାତ୍ର ଅଧିକ ରହିବ।
ଏବେ ଓଡ଼ିଶାରେ ମୌସୁମୀ ବାୟୁ ଆସିବା ପୂର୍ବରୁ ପାଗ ଉଷ୍ମ ଓ ଆର୍ଦ୍ର ରହୁଛି। ଜଳୀୟବାଷ୍ପର ଅଧିକ ମାତ୍ର ଯୋଗୁଁ ଆର୍ଦ୍ରତା ବୃଦ୍ଧି ପାଇ ଗୁଳୁଗୁଳି ହେଉଛି। ଏବେ ବି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଖରା କମିନାହିଁ। ତେବେ ଆଗକୁ ବର୍ଷା ପ୍ରଭାବରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମିବ ବୋଲି ଆଶା କରାଯାଉଛି।
Tags: #Weather #Monsoon #Rain #Odisha #MCBBSR


















