ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ଜାଣିଥିଲା ହସଖୁସିର ମାହୋଲ ଦେଖୁ ଦେଖୁ ବିଷାଦରେ ପରିଣତ ହୋଇଯିବ। ଝିଅ ବିଦା କରି ଫେରିବା ପରେ କୋକେଇ ଉଠିଯିବ?
ରବିବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର ସୋନେଲି ପ୍ରଧାନଙ୍କର ବାହାଘର ଥିଲା। ଝିଅର ବିବାହ ଉତ୍ସବ ପାଇଁ ଖୁସିରେ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ପାଦ ତଳେ ଲାଗୁନଥିଲା। ହସଖୁସିର ପରିବେଶ ମଧ୍ୟରେ ସୋନେଲିଙ୍କର ବାହାରଘର ହେଲା। ମଜାମସ୍ତି ବି ହେଲା। ବିବାହ ସମ୍ପନ୍ନ ହେବା ପରେ ଝିଅକୁ ଶୁଶୂଘରେ ଛାଡ଼ିବା ପାଇଁ ଏକ ମିନିବସରେ ଯାଇଥିଲେ ପରିବାର ଓ ବନ୍ଧୁବାନ୍ଧବ।
ଝିଅକୁ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଶାଶୂ ଘରେ ଛାଡ଼ି ହସଖୁସିରେ ରବିବାର ରାତିରେ ଗାଁକୁ ଫେରୁଥିଲେ ସମସ୍ତେ। ରାତି ପ୍ରାୟ ୧ଟା ହେବ ଦିଗପହଣ୍ଡିର ଖେମୁଣ୍ଡି କଲେଜ ଛକ ନିକଟରେ କନ୍ୟା ପକ୍ଷଙ୍କ ମିନି ବସକୁ ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସଆରଟିସି ବସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଏବଂ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଗଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ଆଉ ୫ ଜଣ। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୨ ଜଣ ଶିଶୁ ଏବଂ ୬ ଜଣ ପୁରୁଷ ଥିଲେ।
୧୨ ଜଣ ମୃତକଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏହି ଦୁର୍ଘଟଣାରେ ରେଣୁବାଳାଙ୍କର ଦିଅର, ଦୁଇ ଝିଆରୀ, ଜ୍ଵାଇଁ, ନଣନ୍ଦେଇ ପ୍ରାଣ ହରାଇଛନ୍ତି।
ନିଜର ପରିଜନଙ୍କୁ ହରାଇ ଆତ୍ମହରା ହୋଇପଡ଼ିଛନ୍ତି ପରିବାର ଲୋକ। ହସରେ ଫାଟିପଡ଼ୁଥିବା ଖଣ୍ଡଦେଉଳୀ ଗାଁ ମାଟି ଆଜି ଲୁହରେ ଭିଜି ଯାଇଛି। ବସ୍ ଦୁର୍ଘଟଣା ଗୋଟିଏ ହସଖୁସିର ପରିବାରକୁ ଛାରଖାର କରିଦେଇଛି ବୋଲି ଲୁହ ଭିଜା ଆଖି, କୋହଭର କଣ୍ଠରେ କହିଛନ୍ତି ରେଣୁବାଳା ପ୍ରଧାନ।
Tags: #DigapahandiRoadAccident #Death #MarriageCelebration

















