ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନର ଅବଧି ପୁଣି ବଢ଼ିଛି। ନାମଲେଖା ପାଇଁ ଆବେଦନର ସମୟକୁ ଜୁନ୍ ୨୬ ପରିବର୍ତ୍ତେ ଜୁନ୍ ୩୦କୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁରୋଧ କ୍ରମେ ଯୁକ୍ତ ଦୁଇ ଆବେଦନର ଅବଧି ବଢ଼ାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏହା ପୂର୍ବରୁ ଆବେଦନର ସମୟକୁ ଜୁନ ୨୬ ଯାଏଁ ବଢ଼ାଯାଇଥିଲା।
ଚଳିତବର୍ଷ ମେ’ ମାସ ୨୯ ତାରିଖରୁ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ପ୍ରଥମେ ମେ’ ୨୯ ତାରିଖରୁ ଜୁନ ୨୦ ତାରିଖ ଯାଏଁ ଆବେଦନ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ଜୁନ ୨୦ରୁ ୨୬ତାରିଖ ଯାଏଁ ବୃଦ୍ଧି ପାଇଥିଲା। ଏବେ ପୁଣି ଏହି ନାମଲେଖା ଆବେଦନ ଅବଧି ଜୁନ୍ ୩୦ ତାରିଖ ଯାଏଁ ବଢ଼ିଛି।
ଏବେ ନୂତନ ସୂଚୀ ଅନୁସାରେ ଯୁକ୍ତ ୨ ନାମଲେଖାର ପ୍ରଥମ ମେଧା ତାଲିକା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ। ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ରେ ପ୍ରକାଶ ପାଇବ। ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୨୨ ସୁଦ୍ଧା ଶେଷ କରାଯିବ।
ଅନ୍ୟପଟେ ଯୁକ୍ତ ୨ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ୨୭ ତାରିଖ ମଧ୍ୟରେ କରାଯିବ। ଚଳିତବର୍ଷ ଅନଲାଇନରେ ସ୍ପଟ୍ ଆଡମିଶନ ହେବ। ନାମଲେଖା ପ୍ରକ୍ରିୟା ସରିବାପରେ ଅଗଷ୍ଟ ୧ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତଥ୍ୟ ଅନୁସାରେ ଏବେ ସୁଦ୍ଧା ସାମ୍ସ ପୋର୍ଟାଲ ଜରିଆରେ ୪ ଲକ୍ଷ ୬୩ ହଜାର ୫୦୦ ଜଣ ଆବେଦନକାରୀ ଯୁକ୍ତ ଦୁଇରେ ନାମ ଲେଖାଇବା ନିମନ୍ତେ ଆବେଦନ ପତ୍ର ଦାଖଲ କରିଛନ୍ତି।
Tags: #PlusTwoAdmissions #OnlineApplication #PlusTwoEducation #CHSE #Odisha


















