ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏବେ ୨୦୨୬ ମସିହା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଯାଏଁ କାର୍ଯ୍ୟ କରିବେ ଟ୍ରିବ୍ୟୁନାଲ। ମହାନଦୀ ଜଳବିବାଦର ସମାଧାନ ଏ ଯାଏଁ ବାହାରି ନଥିବାରୁ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବଢ଼ାଯାଇଛି। ଏନେଇ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବର୍ଦ୍ଧିତ କାର୍ଯ୍ୟକାଳ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଟ୍ରିବ୍ୟୁନାଲଙ୍କୁ କୁହାଯାଇଛି।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଉଦ୍ଦେଶ୍ୟରେ ୨୦୧୮ ମସିହାରେ ଏହି ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଟ୍ରିବ୍ୟୁନାଲଙ୍କୁ ୨୦୨୧ ମାର୍ଚ୍ଚ ୧୧ ସୁଦ୍ଧା ତିନି ବର୍ଷ ମଧ୍ୟରେ ରିପୋର୍ଟ ଓ ନିଷ୍ପତ୍ତି ପ୍ରଦାନ କରିବାକୁ ଥିଲା। କୋଭିଡ୍ ମହାମାରୀ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା।

ଏହାପରେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର ଏହାକୁ ଦୁଇ ବର୍ଷ ପାଇଁ  ୨୦୨୩ ମାର୍ଚ୍ଚ ୧୧ ଯାଏଁ ବୃଦ୍ଧି କରିଥିଲେ। ଏହି ବର୍ଦ୍ଧିତ କାର୍ଯ୍ୟକାଳରେ ମଧ୍ୟ ବିବାଦର ସମାଧାନ କରିବା ପାଇଁ ଅସମର୍ଥ ହୋଇଥିଲା ମହାନଦୀ ଟ୍ରିବ୍ୟୁନାଲ।

ମହାନଦୀ ଜଳ ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଏକ କମିଟି ଗଠନ କରିଥିଲେ। ୨୦୧୭ ମସିହା ମେ’ ମାସରେ କମିଟି ମନ୍ତ୍ରାଳୟକୁ ରିପୋର୍ଟ ଦେଇଥିଲେ ମଧ୍ୟ ଏହାର କିଛି ସମାଧାନ ବାହାରି ପାରିନଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ୨୦୧୮ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ୩ ଜଣିଆ ଖଣ୍ଡପୀଠଙ୍କୁ ନେଇ ମହାନଦୀ ଟ୍ରିବ୍ୟୁନାଲର ଗଠନ ହୋଇଥିଲା।

୨୦୨୩ ମସିହା ଏପ୍ରିଲ ଓ ମେ’ ମାସରେ ମହାନଦୀ ଟ୍ରିବ୍ୟୁନାଲର ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ଟ୍ରିବ୍ୟୁନାଲର ସଦସ୍ୟମାନେ ଦୁଇ ରାଜ୍ୟରେ ମହାନଦୀ ଅବବାହିକା, ନଦୀର ଉପର ମୁଣ୍ଡ ଓ ତଳ ମୁଣ୍ଡ ଏବଂ ମହାନଦୀରେ ଥିବା ବିଭିନ୍ନ ଜଳଭଣ୍ଡାରକୁ ପରିଦର୍ଶନ କରିଥିଲେ।

Tags: #MahanadiWaterDisputeTribunal #Mahanadi #Odisha # Chhattisgarh #MinistryofJalShakti

LEAVE A REPLY

Please enter your comment!
Please enter your name here