ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଞ୍ଚଳରେ ଦୀର୍ଘ ଦିନ ପରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ଶୁକ୍ରବାର ବିଳମ୍ବିତ ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକପୁଲି ଛକ ନିକଟରେ ଥିବା ଏକ କ୍ରସରରେ ନିଆଁ ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି। କ୍ରସରରେ ଥିବା ୨ଟି ଜେସିବି, ୫ଟି ହାଇବା ଓ ୨ଟି ଲୋଡର ସମେତ ମୋଟ ୯ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ ମାଓବାଦୀ। ଘଟଣା ସ୍ଥଳରେ ମାଓବାଦୀଙ୍କ ବିଭିନ୍ନ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

ଶୁକ୍ରବାର ରାତିରେ ୧୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ମୁନିଗୁଡ଼ା ସ୍ଥିତ କ୍ରସରକୁ ଆସି ଏହି ଘଟଣା ଘଟାଇଥିଲେ। ସେମାନଙ୍କ ମଧ୍ୟରେ କିଛି ମହିଳା ମାଓବାଦୀ ମଧ୍ୟ ସାମିଲ ଥିଲେ। ପ୍ରଥମେ ମାଓବାଦୀମାନେ କ୍ରସରର ସିକ୍ୟୁରିଟି ଗାର୍ଡ ଓ ଅନ୍ୟ କର୍ମଚାରୀଙ୍କୁ ଗୋଟେ ପଟକୁ ନେଇ ସେମାନଙ୍କଠୁ ମୋବାଇଲ ଫୋନ ଛାଡ଼ାଇ ନେଇ ଯାଇଥିଲେ। ଏହାପରେ ଗୋଟେ ପରେ ଗୋଟେ ମେସିନରେ ନିଆଁ ଲଗାଇଥିଲେ।

କ୍ରସରରେ ଲଙ୍କାକାଣ୍ଡ ଘଟାଇବା ପରେ ମାଓବାଦୀମାନେ ସେଠାରେ ବିଭିନ୍ନ ପୋଷ୍ଟର ମାରିଥିଲେ। ଉକ୍ତ ପୋଷ୍ଟରେ କ୍ରସର ଦ୍ୱାରା ପରିବେଶ, ଫସଲ ଓ ଜମି ନଷ୍ଟ ହେଉଥିବା ଉଲ୍ଲେଖ କରାଯାଇଛି। ଏଥିସହ କ୍ରସର ମାଲିକମାନେ ସେଠାକାର ଶ୍ରମିକମାନଙ୍କୁ ଶୋଷଣ କରୁଥିବା ଏବଂ ପଥର ବ୍ଲାଷ୍ଟିଙ୍ଗ ଦ୍ଵାରା ଛୋଟ ଛୋଟ ଶିଶୁଙ୍କ ଶ୍ରବଣ ଶକ୍ତି ଉପରେ କୁପ୍ରଭାବ ପଡ଼ୁଥିବା ପୋଷ୍ଟରରେ କୁହାଯାଇଛି। ମାଓବାଦୀମାନେ କ୍ରସର ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଧମକ ଦେଇଛନ୍ତି।

ଖବର ପାଇ ମୁନିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଉକ୍ତ କ୍ରସରଟି ରାୟଗଡ଼ା-ଝାରସୁଗୁଡ଼ା ତୃତୀୟ ରେଳ ଲାଇନ କାର୍ଯ୍ୟ ପାଇଁ ତିଆରି ହୋଇଥିଲା।

Tags: #Maoists #CrusherBurning #Maoposters #Rayagada #Odisha

 

 

Comment