ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟରୁ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି ମିଳିଛି।
ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ଏନବିଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ମଙ୍ଗଳବାର ଦିନ ଏହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ।
ଗତ ଜୁନ ମାସରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ବିଦ୍ୟାଭାରତୀ। ଏହା ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଶ୍ୱସ୍ତି ମିଳିଥିଲା। ଆସନ୍ତା ଜୁଲାଇ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ବିଦ୍ୟାଭାରତୀଙ୍କ ତରଫରୁ ତାଙ୍କ ଆଇନଜୀବୀ କୋର୍ଟଙ୍କୁ ୪ ସପ୍ତାହ ସମୟ ମାଗିଥିବାବେଳେ ରୋଷେୟା ମନ୍ମଥ କୁମ୍ଭ ଦୁଇ ସପ୍ତାହ ସମୟ ମାଗିଥିଲେ। ଅଭିଯୁକ୍ତମାନେ ଜାଣିଶୁଣି ବିଚାର ପ୍ରକ୍ରିୟାରେ ବିଳମ୍ବ କରୁଥିବା କୋର୍ଟ ଅନୁଭବ କରି ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହ ଜୁଲାଇ ୭ ତାରିଖ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଲେ।
ଗତ ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ସନ୍ଦେହଜନକ ଅବସ୍ଥାରେ ନିଆଁରେ ପୋଡ଼ି ହୋଇଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ମାମଲା ଦାଏର କରିଥିଲେ ମୃତ ସୌମ୍ୟରଞ୍ଜନଙ୍କ ବାପା।
Tags: #ACFSoumyaranjanMohapatraUnnaturalDeathcase #OdishaHighCourt #NBW #VidyabharatiPanda #ParalakhemundiSDJMCourt #DFO #Odisha #ParalakhemundiSCF #InterimStayOrder


















