ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ଵରର କିଛି ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲା କିଛି ଅଞ୍ଚଳରେ ବର୍ଷା ଜାରି ରହିଛି। ଆଜିଠାରୁ ରାଜ୍ୟରେ ବର୍ଷା ବଢ଼ିବା ନେଇ ଆକଳନ କରିଛି ଭୁବନେଶ୍ଵର ଅଞ୍ଚଳିକ ପାଣିପାଗ କେନ୍ଦ୍ର।

ବୁଧବାର ସକାଳ ୮ଟା ୩୦ରୁ ଦିନ ୧୧ଟା ୩୦ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କେର୍ଡ କରିଛି ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଚାନ୍ଦବାଲିରେ ୧୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ଵରରେ ୧୨.୧ ମିଲିମିଟର, ପାରାଦୀପରେ ୭.୪ ମିଲିମିଟର, ବାଲେଶ୍ଵରରେ ୨.୪ ମିଲିମିଟର, ଗୋପାଳପୁରରେ ୨ ମିଲିମିଟର ଏବଂ ପୁରୀରେ ୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଚଳିତ ମୌସୁମୀ ଋତୁରେ ଜୁନ ୧ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୭୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୫୫.୮ ମିଲିମିଟର ତୁଳନାରେ ୩୧ ପ୍ରତିଶତ କମ୍ ରହିଛି। ଏହି ସମୟ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୩୩୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସ୍ଵାଭାବିକ ବର୍ଷା ତୁଳନାରେ ୩୧ ପ୍ରତିଶତ ଅଧିକ ରହିଛି।

ସେହିପରି ରାୟଗଡ଼ା ଜିଲ୍ଲାରେ ସର୍ବନିମ୍ନ ୬୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୭୧ ପ୍ରତିଶତ କମ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୮.୪ ମିଲିମିଟର ତୁଳନାରେ ୪୩ ପ୍ରତିଶତ କମ ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #Rainfall #Odisha #Monsoon #MeteorologicalCentre

Comment