ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ) ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୧୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ପ୍ରାୟ ୩,୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହା ଦ୍ଵାରା ରାଜ୍ୟବାସୀଙ୍କ ନିମନ୍ତେ ୯,୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।
ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଆୟୋଜନ କରାଯାଉଛି। ବୈଠକରେ ଇସ୍ପାତ, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ପ୍ଲାଷ୍ଟିକ, ବୟନ, ଆଇଟି ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି। ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁମୋଦିତ ପ୍ରକଳ୍ପ ପ୍ରତିଷ୍ଠା କରାଯିବ।
ନେସଲେ ଇଣ୍ଡିଆ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାଠାରେ ୮୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ, ଯାହା ଫଳରେ ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ସେହିପରି ଖୋର୍ଦ୍ଧାଠାରେ ‘ମେସର୍ସ କଲରଟୋନ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ୨୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧.୨ ମେଗାୱାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାୱାର ପ୍ଲାଣ୍ଟ ସହିତ ଏକ ସମନ୍ୱିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏହା ଦ୍ଵରା ପ୍ରାୟ ୪,୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିପାରିବ।
ଯାଜପୁରଠାରେ ହିମାଦ୍ରି ସ୍ପେସାଲିଟି କେମିକାଲ ଲିମିଟେଡ ତରଫରୁ ୯୮୦ କୋଟି ଟଙ୍କା ବିନିଯୋଗରେ ଏକ ରାସାୟନିକ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ମଞ୍ଜୁରି ମିଳିଛି। ସେହିପରି ପ୍ଲାଷ୍ଟିକ କ୍ଷେତ୍ରରେ ଖୋର୍ଦ୍ଧାଠାରେ ‘ଆଇଡିଭିବି ରିସାଇକ୍ଲିଂ ଅପରେସନ୍ସ ପ୍ରାଇଭେଟ ଲିମିଟେଡ’ ୩୧୮ କୋଟି ଟଙ୍କା ବିନିଯୋଗ କରିବ।
ଆର୍ଡିବି ରାସାୟନ୍ସ ଲିମିଟେଡ ୫୯ କୋଟି ଟଙ୍କା ବିନିଯୋଗରେ ୬ ହଜାର ମେଟ୍ରିକ୍ ଟନ୍ ବାର୍ଷିକ କ୍ଷମତା ବିଶିଷ୍ଟ ଫ୍ଲେକ୍ସିବଲ୍ ଇଣ୍ଟରମିଡିଏଟ୍ ବଲ୍କ କଣ୍ଟେନର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବ।
ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଆଉ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ ଏବଂ ଆଇଏଫ ଜିଏଲ ରିଫ୍ରାକ୍ଟୋରିଜ ଲିମିଟେଡର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହାଦ୍ଵାରା ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ଓଡ଼ିଶାର ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି।
ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ କମିଟି ‘ନିସୁମ କନସଲ୍ଟିଂ ପ୍ରାଇଭେଟ ଲିମିଟେଡ’ ଦ୍ୱାରା ୨୦୦ କୋଟି ଟଙ୍କା ନିବେଶରେ ଗୋଟିଏ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଗୋଟିଏ ସଫ୍ଟୱେୟାର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନି ପ୍ରସ୍ତାବ ଦେଇଛି, ଯାହା ଓଡ଼ଶାରେ ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ।
Tags: #OdishaSingleWindowClearanceAuthority #SLSWCA #IndustrialProjects #ProposalApproves #Odisha


















