ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଉପକୂଳ ଓ କିଛି ଅଭ୍ୟନ୍ତରୀଣ ଜିଲ୍ଲାରେ ବୁଧବାର ମୌସୁମୀଜନିତ ବର୍ଷା ଜାରି ରହିଛି। ଜୁଲାଇ ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ୍ୟରୁ ମାଧ୍ୟମଧରଣର ବର୍ଷା ହେବ। ଏହାପରେ ଜୁଲାଇ ତୃତୀୟ ଓ ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ବିକାନେରରୁ ବାହାରି ମଧ୍ୟପ୍ରଦେଶର ଗ୍ୱାଲିୟର, ସିଦ୍ଧି, ବିହାରର ଗୟା ପଶ୍ଚିମବଙ୍ଗର ବାଲୁରଘାଟରୁ ଉତ୍ତର-ପୂର୍ବ ଦିଗରେ ଅରୁଣାଚଳ ପ୍ରଦେଶ ମଧ୍ୟରେ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳର ୧ କିଲୋମିଟର ଉଚ୍ଚତା ଯାଏଁ ଲମ୍ବିଛି। ଏହାର ପ୍ରଭାବ ଏବେ ଓଡ଼ିଶା ଉପରେ ଏବେ ସାମାନ୍ୟ କମିଛି।

ମୌସୁମୀ ପ୍ରଭାବରେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୬.୧ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୩୭ ପ୍ରତିଶତ କମ ରହିଛି। ମଙ୍ଗଳବାର ଗଜପତି ଜିଲ୍ଲାର ଗୋଶାଣିରେ ୭୪ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୬୮.୪ ମିଲିମିଟର ଏବଂ ଗଜପତି ଜିଲ୍ଲାର ପରଳାଖେମୁଣ୍ଡିରେ ୬୧.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଚଳିତ ମୌସୁମୀ ଋତୁରେ ଏ ଯାଏଁ ଓଡ଼ିଶାରେ ୨୩୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୩୨୩.୬ ମିଲିମିଟର ତୁଳନାରେ ୨୬ ପ୍ରତିଶତ କମ ରହିଛି। ଏହି ସମୟ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ଏବଂ କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଛି।

Tags: #SouthWestMonsoon #Rainfall #LowPressure #Odisha

Comment