ଓଡ଼ିଶାଲାଇଭ୍ ବ୍ୟୁରୋ

ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ପ୍ରଥମ ଟେଷ୍ଟରେ ମିଳିଛି ବଡ଼ ବିଜୟ। ଡୋମିନିକାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଶୁକ୍ରବାର ଟିମ୍ ଇଣ୍ଡିଆ ଗୋଟେ ଇନିଂସ୍ ଓ ୧୪୧ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ଅନେକ ଧୂଆଁଧାର ଖେଳ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଟେଷ୍ଟ ଡେବ୍ୟୁ କରିଥିବା ଯଶସ୍ଵୀ ଜୟସ୍ଵାଲଙ୍କ ଚମତ୍କାର ୧୭୧ ରନର ଇନିଂସ୍ ବଳରେ ଅନେକ ରେକର୍ଡ ସ୍ଥାପନ ହୋଇଥିବା ଦେଖିବାକୁ ମିଳିଛି। ଏହାସହ ବୋଲର ଆର ଅଶ୍ଵିନଙ୍କ ୧୨ଟି ୱିକେଟ ୱେଷ୍ଟଇଣ୍ଡିଜକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ମଉକା ଦେଇନଥିଲା।

ଯଶସ୍ଵୀ ଜୟସ୍ଵାଲ ବିଦେଶୀ ମାଟିରେ ଟେଷ୍ଟ ପଦାର୍ପଣ କରି ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ବନିଛନ୍ତି। ଏହା ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିବା ତୃତୀୟ ଭାରତୀୟ ହୋଇଛନ୍ତି। ଏହାପୂର୍ବରୁ ଡେବ୍ୟୁ ଟେଷ୍ଟରେ ୨୦୧୩ ମସିହାରେ ଶିଖର ଧୱନ ୧୮୭ ରନ ଏବଂ ୨୦୧୮ ମସିହାରେ ୧୩୪ ରନ କରି ଏହି ଗୌରବର ଅଧିକାରୀ ହୋଇଥିଲେ।

ଅନ୍ୟପଟେ ବିଦେଶୀ ମାଟିରେ ଟେଷ୍ଟ ପଦାର୍ପଣ କରି ଯଶସ୍ଵୀ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ହାସଲ କରିଛନ୍ତି। ଏହାପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ୧୯୯୬ ମସିହାରେ ଲର୍ଡସରେ ଇଂଲଣ୍ଡ ବିପକ୍ଷ ନିଜ ପଦାର୍ପଣ ଟେଷ୍ଟ ୧୩୧ ରଣ କରିଥିଲେ। ଏବେ ଯଶସ୍ଵୀ ଜୟସ୍ଵାଲ ୧୭୧ ରଣ ସଂଗ୍ରହ କରି ଏହି ରେକର୍ଡକୁ ଭାଙ୍ଗିଛନ୍ତି।

ସେହିପରି ଯଶସ୍ଵୀ ଟେଷ୍ଟ ପଦାର୍ପଣରେ ସର୍ବାଧିକ ବଲ ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ନୂଆରେକର୍ଡ ସ୍ଥାପନ କରିଛନ୍ତି। ସେ ମ୍ୟାଚରେ ୩୮୭ ବଲ ଖେଳି ବ୍ୟକ୍ତିଗତ ୧୭୧ ରନ କରିଥିଲେ। ଏହାପୂର୍ବରୁ ମହମ୍ମଦ ଅଝାରୁଦ୍ଦିନ ୧୯୮୪ ମସିହାରେ କୋଲକାତାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ପଦାର୍ପଣ କରି ୩୨୨ଟି ବଲ ଖେଳି ୧୧୦ ରନ ସଂଗ୍ରହ କରିଥିଲେ।

ସେହିପରି ମ୍ୟାଚରେ ଯଶସ୍ଵୀ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୨୨୯ ରନ ପାର୍ଟନର୍ସିପ କରିବା ଏସିଆ ବାହାରେ ଖେଳାଯାଇଥିବା କୌଣସି ଟେଷ୍ଟ ମ୍ୟାଚରେ ଭାରତ ପାଇଁ ସର୍ବାଧିକ। ଏହା ପୂର୍ବରୁ ୧୯୭୯ ମସିହାରେ ଓଭଲ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ସୁନିଲ ଗଭାସ୍କର ଓ ଚେତନ ଚୌହାନ ପ୍ରଥମ ୱିକେଟ ପାଇଁ ୨୧୩ ରନର ପାର୍ଟନର୍ସିପ କରିଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ଡୋମିନିକା ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ ୧୫୦ କରି ଅଲଆଉଟ ହୋଇଯାଇଥିଲା। ଏହି ଇନିଂସରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୫ଟି ୱିକେଟ ନେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରି ୫ ୱିକେଟ ବିନିମୟରେ ୪୨୧ ରନ ସଂଗ୍ରହ କରି ପାଳି ଘୋଷଣା କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୧୦୩ କରି ନିଜ ଟେଷ୍ଟ କ୍ୟାରିୟରର ନବମ ଶତକ ହାସଲ କରିଥିଲେ। ଏହାଛଡ଼ା ବିରାଟ କୋହଲୀ ୭୬ ରନ କରିଥିଲେ।

ଏହାପରେ ମ୍ୟାଚରେ ୨୭୧ ରନରେ ପଛୁଆ ଥିବା ୱେଷ୍ଟଇଣ୍ଡିଜ ଦ୍ଵିତୀୟ ଇନିଂସରେ ମାତ୍ର ୧୩୦ ରନ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୱେଷ୍ଟ ଇଣ୍ଡିଜର ୭ଟି ୱିକେଟ ନେଇ ଦଳର ବ୍ୟାଟିଂ ଅର୍ଡର ଧ୍ଵସ୍ତ କରିଦେଇଥିଲେ।

ପ୍ରଥମ ଟେଷ୍ଟ ଜିତି ଭାରତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଏହି ଟେଷ୍ଟରେ ଉତ୍ତମ ପ୍ରଦର୍ଶନ ପାଇଁ ଯଶସ୍ଵୀ ଜୟସ୍ଵାଲ ପ୍ଲେୟାର ଅଫ୍ ଡି ମ୍ୟାଚ ହୋଇଛନ୍ତି। ଏହାପରେ ଭାରତ-ୱେଷ୍ଟଇଣ୍ଡିଜ ଜୁଲାଇ ୨୦ ତାରିଖରେ ତ୍ରିନିଦାଦରେ ଦ୍ଵିତୀୟ ଟେଷ୍ଟରେ ମୁହାଁମୁହିଁ ହେବେ।

Tags: #India-WestIndiesTest #YashasviJaiswal #TestCricket #BCCI

LEAVE A REPLY

Please enter your comment!
Please enter your name here