ଓଡ଼ିଶାଲାଇଭ୍ ବ୍ୟୁରୋ

ମୌସୁମୀ ପ୍ରଭାବରେ ଏବେ ରାଜ୍ୟରେ ଜାରି ରହିଥିବା ବର୍ଷା ପାଇଁ ବିଭିନ୍ନ ନଦୀର ପାଣି ବଢ଼ିବାରେ ଲାଗିଛି। ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଏବେ ହୀରାକୁଦରେ ଜଳସ୍ତର ୬୦୭ ଫୁଟରେ ପହଞ୍ଚିଛି। ଏନେଇ ସୋମବାର ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୦ ହଜାର ୧୨୧ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି। ସେହିପରି ଏଠାରୁ ପ୍ରତି ସେକେଣ୍ଡରେ ୩୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏ ଯାଏଁ ଡ୍ୟାମରେ କୌଣସି ଅତିରିକ୍ତ ଗେଟ ଖୋଲାଯାଇନାହିଁ।

ଅନ୍ୟପଟେ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ମହାନଦୀ ଉପର ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ନଦୀରେ ଜଳସ୍ତର ବଢ଼ୁଛି। ସେହିପରି ଛତିଶଗଡ଼ରେ ମହାନଦୀରେ ଥିବା କଲମା ବ୍ୟାରେଜ ଓ ଅନ୍ୟ କେତେକ ବ୍ୟାରେଜର ଗେଟ ଖୋଲାଯାଇଥିବାରୁ ହୀରାକୁଦକୁ ଅଧିକ ପରିମାଣରେ ବନ୍ୟା ଜଳ ଆସୁଛି।

ଅନ୍ୟପଟେ ଏବେ ବର୍ଷା ପାଇଁ ରାଜ୍ୟରେ ଅଧିକାଂଶ ନଦୀରେ ଜଳସ୍ତର ବଢ଼ୁଛି। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ କୁମୁଳାବାହାଳି ସ୍ଥିତ ତେଲନଦୀରେ ଥିବା ପୋଲ ଉପରେ ପାଣି ଚାଲୁଥିବାରୁ କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି।

ସେହିପରି ଏବେ ନଦୀଗୁଡ଼ିକରେ ଜଳସ୍ତର ବଢ଼ୁଥିବାରୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ହୋଇଛନ୍ତି। ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Tags: #HirakudDam #WaterlevelRise #FloodWater #Rain #Odisha

 

LEAVE A REPLY

Please enter your comment!
Please enter your name here