ଓଡ଼ିଶାଲାଇଭ୍ ବ୍ୟୁରୋ

- ଭାରତରେ ପ୍ରାୟ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ରେଖାରୁ ବାହାରିଛନ୍ତି
- ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ
- ଓଡ଼ିଶାରେ ଦରିଦ୍ରତା ମାଲକାନାଗିରିରେ ସର୍ବାଧିକ ଏବଂ ପୁରୀରେ ସର୍ବନିମ୍ନ
ଭାରତରେ ଆର୍ଥିକ ବର୍ଷ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ପ୍ରାୟ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ଯାଇଛନ୍ତି। ଏହି ୫ ବର୍ଷ ସମୟରେ ଓଡ଼ିଶାର ୬୨ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି। ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାରେ ଦରିଦ୍ରତା ସାମଗ୍ରିକ ଭାବେ ୫୦ ପ୍ରତିଶତ କମିଛି। ଏନେଇ ମଙ୍ଗଳବାର ନୀତି ଆୟୋଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ସୂଚନା ମିଳିଛି।
ନୀତି ଆୟୋଗର ରିପୋର୍ଟ ଅନୁସାରେ ଓଡ଼ିଶାରେ ମାଲକାନାଗିରି ଜିଲ୍ଲାରେ ସର୍ବାଧିକ ୪୫.୦୧ ପ୍ରତିଶତ ଦାରିଦ୍ର୍ୟ ହାର ରହିଛି। ଅନ୍ୟପଟେ ପୁରୀ ଜିଲ୍ଲାର ଦାରିଦ୍ର୍ୟ ହାର ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି।
ଆର୍ଥିକ ବର୍ଷ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଗ୍ରାମୀଣ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଛି। ସେହିପରି ସହରାଞ୍ଚଳରେ ଏହି ହାର ୧୨.୩୨ ପ୍ରତିଶତରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି।
ନୀତି ଆୟୋଗର ରିପୋର୍ଟ ଅନୁସାରେ ଓଡ଼ିଶାରେ ମାଲକାନଗିରି ବ୍ୟତୀତ ଦାରିଦ୍ର୍ୟ ହାର ରାୟଗଡ଼ାରେ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ ଓ ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ ରହିଛି। ରାଜ୍ୟର ଏହି ୫ଟି ଜିଲ୍ଲାରେ ଦାରିଦ୍ର୍ୟ ଦୂରୀକରଣ କମ ହୋଇଛି।
ଅନ୍ୟପଟେ ରାଜ୍ୟରେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତରୁ କମ୍ ରହିଛି।
ସର୍ବଭାରତୀୟ ସ୍ତରରେ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଦାରିଦ୍ର୍ୟ ହାର ଅଧିକ ହ୍ରାସ ପାଇଛି। ଭାରତର ଉତ୍ତର ପ୍ରଦେଶରେ ସର୍ବାଧିକ ୩ କୋଟି ୪୩ ଲକ୍ଷ ଲୋକ ଦାରିଦ୍ର୍ୟ ରେଖାରୁ ମୁକୁଳିଛନ୍ତି।
ରିପୋର୍ଟ ଅନୁସାରେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଭାରତରେ ଦାରିଦ୍ର୍ୟ ହାର ୨୪.୮୫ ପ୍ରତିଶତରୁ ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳ ଦାରିଦ୍ର୍ୟ ହାର ୩୨.୫୯ ପ୍ରତିଶତରୁ ୧୯.୨୮ ପ୍ରତିଶତକୁ କମିଥିବାବେଳେ ସହରାଞ୍ଚଳ ଦାରିଦ୍ର୍ୟ ହାର ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତକୁ ହ୍ରାସ ପାଇଛି।
ଦେଶରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଵଚ୍ଛତା ଓ ପରିମଳ, ପୁଷ୍ଟି, ରୋଷେଇ ଇନ୍ଧନ, ଆର୍ଥିକ ବିକାଶ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ଆଦି ତୃଣମୂଳ ସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଉଥିବାରୁ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି ନୀତି ଆୟୋଗ ରିପୋର୍ଟରେ କୁହାଯାଇଛି।
ଏହି ରିପୋର୍ଟକୁ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଉନ୍ମୋଚନ କରିଥିଲେ। ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଧାରଣ ମାନ, ପରିମଳ ଭଳି ୧୨ଟି ଗୁରୁତ୍ଵପୂର୍ଣ୍ଣ ମାନଦଣ୍ଡ ଆଧାରରେ ନୀତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିଛି।
Tags: #NITIAayog #MultidimensionalPovertyIndex #PovertyRate #Odisha




















