ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋଦୀ ସରନେମ’ ମାମଲାରେ ଗୁଜରାଟ ହାଇକୋର୍ଟଙ୍କଠାରୁ ଝଟକା ମିଳିବା ପରେ ସୁପ୍ରିୟମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ଦିନ ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ଅବସରରେ ଅଭିଯୋଗକାରୀ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୪ ତାରିଖରେ କରାଯିବ।

ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଜଷ୍ଟିସ ବିଆର ଗଭଇ ଏବଂ ଜଷ୍ଟିସ ପିକେ ମିଶ୍ରା ଶୁଣାଣି କରୁଥିଲେ।

ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୫ ତାରିଖରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଦୁଇ ବର୍ଷର ସଜା ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ।

ମୋଦୀ ସରନେମକୁ ନେଇ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଜା ଶୁଣାଇଥିଲେ।

ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ। ସୁରଟ କୋର୍ଟ ଶୁଣାଇଥିବା ଦୁଇ ବର୍ଷର ସଜା ଉପରେ ରୋକ ଲାଗାଇବାକୁ ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗତ ଜୁଲାଇ ୭ ତାରିଖରେ ରହୁଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଗୁଜରାଟ ହାଇକୋର୍ଟ।

୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ହୋଇଥିବା ଏକ ରାଲିରେ ‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ଏହି ମାମଲାରେ ଚାରି ବର୍ଷ ପରେ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଜା ଶୁଣାଇଥିଲେ।

ସୁରଟ ସେସନ୍ସ କୋର୍ଟଙ୍କ ଦଣ୍ଡବିଧାନ କାରଣରୁ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। ଆଇନ ଅନୁଯାୟୀ ଯଦି ଜନପ୍ରତିନିଧିଙ୍କୁ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସଜା ହୋଇଥାଏ ତେବେ ସେମାନଙ୍କର ସଦସ୍ୟତା ରଦ୍ଦ ହେବ। ଦୋଷୀ ସାବ୍ୟସ୍ତ ହୋଇଥିବା ନେତା ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ପାରିବେ ନାହିଁ।

ରାହୁଲ ଗାନ୍ଧୀଙ୍କ ପାଖରେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିବାର ଏକ ମାତ୍ର ବିକଳ୍ପ ରହିଥିଲା।

Tags: #Politics #SupremeCourt #IndianPolitics #RahulGandhi #GujratHighCourt

LEAVE A REPLY

Please enter your comment!
Please enter your name here