ସୁତନୁ ଗୁରୁ

“ମୁଁ କେବଳ ବିଶ୍ୱସନୀୟ ତଥ୍ୟାବଳୀର ବିଶ୍ୱାସ କରେ ତାହା ନୁହେଁ, ବରଂ ଏହାକୁ ଗୁରୁତ୍ୱ ଦିଏ। ନୀତି ଆୟୋଗର ସଦ୍ୟତମ ବହୁଦିଗ ସମ୍ବଳିତ ଦାରିଦ୍ର୍ୟ ସମ୍ପର୍କିତ ରିପୋର୍ଟରୁ ସ୍ପଷ୍ଟ ସଙ୍କେତ ମିଳେ ଯେ, ନବୀନ ପଟ୍ଟନାୟକ କେବଳ ଜଣେ ବିରଳ ସଫଳତା ନୁହନ୍ତି, ବରଂ ଏକ ଚମତ୍କାରିତାର ଅବତାରଣା କରାଇ ପାରିଛନ୍ତି…”
ଏହି ରିପୋର୍ଟରେ ଉଲ୍ଲିଖିତ ସଂଖ୍ୟାକୁ ମୁଁ ଯେତେବେଳେ ଦେଖିଲି ତାହା ମତେ ଆଶ୍ଚର୍ଯ୍ୟ କରିଥିଲା। ଓଡ଼ିଶାର ସମ୍ବଲପୁରରେ ଜନ୍ମିତ ମୋ ଭଳି ଜଣେ ବ୍ୟକ୍ତି, ଯେ କି ୧୯୭୦ ଓ ୧୯୮୦ ଦଶକରେ, ରାଜ୍ୟରେ ଉତ୍କଟ ଦାରିଦ୍ର୍ୟର ଅମାନବୀୟ ତାଣ୍ଡବକୁ ପ୍ରତ୍ୟକ୍ଷ ରୂପରେ ଦେଖି ଆସିଛି, ତା ପକ୍ଷରେ ଏହି ସଂଖ୍ୟା ସମୂହକୁ ସତ ବୋଲି ବିଶ୍ୱାସ କରିବା ଖୁବ୍ ଆନନ୍ଦଦାୟକ ଥିଲା।
ଅନ୍ୟଥା ଏହି ସଂଖ୍ୟାଗୁଡ଼ିକର ବିଶ୍ୱାସଯୋଗ୍ୟତାକୁ ନେଇ ସନ୍ଦେହର ଅବକାଶ ନଥିଲା, କାରଣ, ତାହା ପଞ୍ଚମ ପର୍ଯ୍ୟାୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଉପଲବ୍ଧ ତଥ୍ୟ ଉପରେ ପର୍ଯ୍ୟବସିତ ଥିଲା। ସେଗୁଡ଼ିକ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ହୋଇଥିଲା ଏବଂ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନଡିପି) ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏହାର ପ୍ରାମାଣିକତାକୁ ସମର୍ଥନ କରିଥିଲେ।
ଅକ୍ସଫୋର୍ଡର ସମର୍ଥନ କାରଣରୁ ନୁହେଁ, ବରଂ ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟାବଳୀ ହିଁ ମତେ ବହୁତ ଚକିତ କରିଥିଲା।
ମୁଁ ୨୦୨୩ ମସିହା ଜୁଲାଇ ୧୭ ତାରିଖ ଦିନ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଭାରତରେ ବହୁଦିଗ ସମ୍ବଳିତ ଦାରିଦ୍ର୍ୟ ସମ୍ପର୍କିତ ସର୍ବଶେଷ ରିପୋର୍ଟ ସମ୍ପର୍କରେ କହୁଛି।
ମୋର ଜନ୍ମସ୍ଥାନ, ସମ୍ବଲପୁର ଜିଲ୍ଲାରେ ପ୍ରତି ଦଶ ଜଣରେ ମାତ୍ର ଜଣେ ନାଗରିକଙ୍କୁ ବହୁଦିଗ ସମ୍ବଳିତ ଦରିଦ୍ର ଶ୍ରେଣୀଭୁକ୍ତ କରାଯାଇଥିଲା। ଜାତୀୟ ସ୍ତରରେ ଏହା ହାରାହାରି ୧୪.୯୬% । ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ସାମଗ୍ରୀକ ଦାରିଦ୍ର୍ୟର ଅନୁପାତ ୧୫.୭% । ଦିନ ଥିଲା, କଳାହାଣ୍ଡି ଜିଲ୍ଲା ଦାରିଦ୍ର୍ୟ ଓ ଅନାହାରର କେନ୍ଦ୍ରସ୍ଥଳ ରୂପେ ପରିଗଣିତ ହେଉଥିଲା। ୨୦୧୫ ମସିହାରେ ଏହି ଜିଲ୍ଲାରେ ବହୁଦିଗ ସମ୍ବଳିତ ଦାରିଦ୍ର୍ୟ ହାର ୫୦% ଥିଲା। ୨୦୨୧ସୁଦ୍ଧା ଏହି ହାର ୨୦%ରୁ କିଛିଟା ତଳକୁ ଖସି ଆସିଥିଲା।
ଏ କ୍ଷେତ୍ରରେ କେବଳ ପଶ୍ଚିମବଙ୍ଗକୁ ବାଦ୍ ଦେଲେ, ୧୯୪୭ରେ ସ୍ୱାଧୀନତା ହାସଲ ପରବର୍ତ୍ତୀ ସମୟରୁ ଏଯାବତ୍ ଦରିଦ୍ର ରାଜ୍ୟ ରୂପେ ପରିଗଣିତ ସମସ୍ତ ପୂର୍ବାଞ୍ଚଳ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଦେଇପାରିଛି।
୨୦୧୫ରେ ଓଡ଼ିଶା ତୁଳନାରେ ପଶ୍ଚିମବଙ୍ଗ ୮ ପ୍ରତିଶତ ପଏଣ୍ଟ ଆଗରେ ରହିଥିଲା। ଏବେ ଏହା ପ୍ରାୟ ୪ ପ୍ରତିଶତ ପଏଣ୍ଟ ଆଗରେ ରହିଛି। ଏଠାରେ ଏହା ଆଦୌ ଭୁଲିଯିବାର କଥା ନୁହେଁ ଯେ, ଅତୀତରେ ଯେତେବେଳେ ଓଡ଼ିଶା ପୁଞ୍ଜିଭୂତ ଦାରିଦ୍ର୍ୟର କେନ୍ଦ୍ରସ୍ଥଳୀ ରୂପେ ପରିଚିତ ହେଉଥିଲା, ସେତେବେଳେ ପଶ୍ଚିମବଙ୍ଗ ଭାରତର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟର ମାନ୍ୟତା ପାଉଥିଲା।
ବହୁଚର୍ଚ୍ଚିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତୁଳନାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ବିଭିନ୍ନ କ୍ଷେତ୍ରରେ କ୍ରମାଗତସଫଳତା ହାସଲ କରିପାରିଛନ୍ତି, ସେ ସଂପର୍କରେ ପୂର୍ବରୁ କେତେକ ସ୍ତମ୍ଭରେ ମୁଁ ତର୍କ ଉପସ୍ଥାପନ କରିସାରିଛି। ନବୀନ ବାବୁ କେବଳ ଯେ ନିର୍ବାଚନ ଜିତିବାରେ ତଥାକଥିତ ସୁଶାସନ ବାବୁ ନୀତୀଶ କୁମାରଙ୍କ ତୁଳନାରେ ସଫଳ ହୋଇଛନ୍ତି ତାହା ନୁହେଁ, ବାସ୍ତବ କ୍ଷେତ୍ରରେ ସେ ତାଙ୍କ ରାଜ୍ୟରେ ଏକ ପ୍ରକାର ଅଦ୍ଭୁତ ତଥା ସକାରାତ୍ମକ ପରିବର୍ତ୍ତନ ଆଣିପାରିଛନ୍ତି। ଶାସନ ବ୍ୟବସ୍ଥା ସଂପର୍କିତ କେତେକ ପ୍ରସଙ୍ଗରେ, ବିଶେଷତଃ ଅମଲାମାନଙ୍କ ଉପରେ ନିର୍ଭରଶୀଳତା ପ୍ରତି ତାଙ୍କର ପ୍ରାଥମିକତାକୁ କେନ୍ଦ୍ର କରି ତାଙ୍କ ସରକାରଙ୍କୁ କରାଯାଉଥିବା ସମାଲୋଚନାକୁ ମୁଁ ଦେଖିଛି।
ଅନେକଙ୍କ ମତରେ, ତାଙ୍କର ନରମ ଗରମ ନୀତି ବଳରେ ସେ ଓଡ଼ିଶାରେ ଗଣମାଧ୍ୟମର ପକ୍ଷଚ୍ଛେଦନ କରିଛନ୍ତି। ଆଉ କେତେକ ଏହା ମଧ୍ୟ କହନ୍ତି ଯେ, ତାଙ୍କ ସରକାର ଅମଳରେ ଯେଉଁ ସବୁ ସଫଳତାର କଥା କୁହାଯାଉଛି, ସେସବୁ ମରୁ ମରୀଚିକା ସଦୃଶ। ମାତ୍ର ୧୦୦ ଦିନର ସଂକ୍ଷିପ୍ତ ରହଣି ଏବଂ ବାରମ୍ବାର ଗସ୍ତକୁ ବାଦ୍ ଦେଲେ, ୧୯୮୩ ମସିହାରୁ ରାଜ୍ୟ ବାହାରେ ରହି ଆସୁଥିବାରୁ ସେ ସଂପର୍କରେ କୌଣସି ମନ୍ତବ୍ୟ ଦେବା ଲାଗି ଆବଶ୍ୟକ ଦକ୍ଷତା ମୋର ନାହିଁ।
ହେଲେ, ମୁଁ ଯେ କେବଳ ବିଶ୍ୱସନୀୟ ତଥ୍ୟାବଳୀକୁ ବିଶ୍ୱାସ କରେ, ତାହା ନୁହେଁ, ବରଂ ଉପାସନାମଧ୍ୟ କରେ। ବହୁଦିଗ ସମ୍ବଳିତ ଦାରିଦ୍ର୍ୟ ସମ୍ପର୍କିତ ନୀତି ଆୟୋଗର ସର୍ବଶେଷ ରିପୋର୍ଟରୁ ସ୍ପଷ୍ଟ ସଙ୍କେତ ମିଳେ ଯେ, ନବୀନ ପଟ୍ଟନାୟକ କେବଳ ଏକ ବିରଳ ସଫଳତା ନୁହନ୍ତି, ବରଂ ଏକ ଚମତ୍କାରିତାର ଅବତାରଣା କରାଇ ପାରିଛନ୍ତି।
ଏହି ବହୁଦିଗ ସମ୍ବଳିତ ଦାରିଦ୍ର୍ୟ କ’ଣ? ପରମ୍ପରାଗତ ଭାବେ ପରିବାରର ଆୟ, ବ୍ୟୟ ଏବଂ ସାମଗ୍ରୀ ବ୍ୟବହାରକୁ ବିଚାରକୁ ନେଇ ଦାରିଦ୍ର୍ୟ ନିର୍ଦ୍ଧାରଣ କରାଯାଉଥିଲା। କିନ୍ତୁ ତିନି ଦଶନ୍ଧିରୁ ଅଧିକ ସମୟ ତଳେ, ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁନଡିପି) ପକ୍ଷରୁ ‘ମାନବ ବିକାଶ’ ପଦ ପ୍ରଚଳିତ ହେଲା ଏବଂ ବିଶ୍ୱସ୍ତରରେ ମାନବ ବିକାଶ ସୂଚୀ ପ୍ରକାଶିତ ହେଲା। ଏହାର ଅନ୍ତରାଳରେ ରହିଥିବା ତର୍କ ହେଲା:କେବଳ ମୁଣ୍ଡପିଛା ଆୟ କିମ୍ବା ବ୍ୟୟ ନୁହେଁ, ଯେ କୌଣସି ପରିବାରର ସ୍ୱଚ୍ଛଳତା ଏବଂ ଜୀବନ ଧାରଣର ଗୁଣମାନ ସହିତ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ସକ୍ଷମତାର ସଂପର୍କ ରହିଛି।
ଆଜିକାଲି ଦାରିଦ୍ର୍ୟ ଏବଂ ଜୀବନଧାରଣର ଗୁଣମାନ ନିର୍ଦ୍ଧାରଣ କ୍ଷେତ୍ରରେ, ସାରା ବିଶ୍ୱରେ ‘ମାନବ ବିକାଶ’କୁ ଗ୍ରହଣ କରାଯାଇଛି।
ବହୁଦିଗ ସମ୍ବଳିତ ଦାରିଦ୍ର୍ୟ ନିର୍ଦ୍ଧାରଣ ନିମନ୍ତେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନ ସମ୍ପର୍କିତ ୧୨ଟି ମାନଦଣ୍ଡକୁ ନୀତି ଆୟୋଗ ବିଚାରକୁ ନେଇ ଆସୁଛନ୍ତି। ନିଃସନ୍ଦେହରେ, ଏହା ଭାରତରେ ଦାରିଦ୍ର୍ୟ ଓ ସଂପ୍ରତି ଉପଲବ୍ଧ ଜୀବନଧାରଣର ମାନ ଆକଳନ ଦିଗରେ ସର୍ବାଧିକ ବିଶ୍ୱାସଯୋଗ୍ୟ ପଦ୍ଧତି।
୨୦୨୧ ମସିହା ନଭେମ୍ବରରେ ନୀତି ଆୟୋଗର ପ୍ରଥମ ରିପୋର୍ଟ ପ୍ରକାଶିତ ହୋଇଥିଲା ଏବଂ ସେତେବେଳେ ଏହାର ରଚୟିତାମାନେ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହାର ଅଗ୍ରଗତି ସମ୍ପର୍କିତ ନୂତନ ରିପୋର୍ଟ ୨୦୨୩ ମସିହା ଜୁଲାଇ ୧୭ ତାରିଖରେ ପ୍ରକାଶିତ ହୋଇଥିଲା। ୨୦୨୧ ରିପୋର୍ଟରେ ଯେଉଁ ତଥ୍ୟ ଦର୍ଶାଯାଇଥିଲା, ତାହା ଏଥିରେ ପୁନଃସ୍ୱୀକୃତ ହୋଇଥିଲା ଯେ, ଦାରିଦ୍ର୍ୟ ଅପସାରଣ କ୍ଷେତ୍ରରେ ଓଡ଼ିଶା ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଛି।
ଥରେ କଳ୍ପନା କରନ୍ତୁ ତ, ଗୁଜରାଟରେ ବହୁଦିଗ ସମ୍ବଳିତ ଦାରିଦ୍ର୍ୟ ଅନୁପାତ ହେଉଛି ୧୧.୬୬% ଏବଂ ଓଡ଼ିଶାରେ ଏହା୧୫.୬୮%।
ମୁଁ ଜାଣେ ଯେ, ଏବେ ବି ଓଡ଼ିଶାର କେତେକ ଅଞ୍ଚଳର ଲୋକେ ଅତିଶୟ ଦରିଦ୍ର ଅବସ୍ଥାରେ ରହିଛନ୍ତି। ରାଜ୍ୟର ଅଣ କୁଶଳୀ ଏବଂ କୁଶଳୀ ଯୁବକଯୁବତୀଙ୍କ ପାଇଁ ଜୀବିକା ଅର୍ଜନ ସକାଶେ ରାଜ୍ୟ ଭିତରେ ସୁଯୋଗର ଅଭାବ ହିଁ ବୃହତର ସମସ୍ୟା। ଏହି କାରଣରୁ ବହୁସଂଖ୍ୟକ ଓଡ଼ିଆ ଯୁବକଯୁବତୀ ଗୁଜରାଟ ଭଳି ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବରେ ଜୀବନଯାପନ କରୁଥିବା ଦୃଷ୍ଟିଗୋଚର ହୁଏ। ତଥାପି ଓଡ଼ିଶା ଏ ଶତାବ୍ଦୀରେ ସଫଳତାର ଯେଉଁ ଶିଖର ଛୁଇଁପାରିଛି ତାହା ନିରପେକ୍ଷ ଭାବେ ପ୍ରଶଂସନୀୟ।
ଏହି ସ୍ତମ୍ଭର ଆରମ୍ଭରେ ମୁଁ ଉଲ୍ଲେଖ କରିଥିଲି ଯେ, କେମିତି ମୋର ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲାରେ ବହୁଦିଗ ସମ୍ବଳିତ ଦାରିଦ୍ର୍ୟର ହାର ସର୍ବଭାରତୀୟ ସ୍ତରର ହାରାହାରି ହାର ତୁଳନାରେ ବେଶ୍ ଭଲ।ଏ ସମ୍ପର୍କିତ ତଥ୍ୟ ଓ ପରିସଂଖ୍ୟାନକୁ ନିଜେ ନିଜେ ପରଖି ନେବା ଲାଗି ୪୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ନୀତି ଆୟୋଗ ରିପୋର୍ଟର ଅନୁଧ୍ୟାନ କରିବା ଲାଗି ଓଡ଼ିଶାର ବିଶ୍ଲେଷକମାନଙ୍କୁ ମୁଁ ଅନୁରୋଧ କରିବି।
ରାଜ୍ୟର ୩୦ଟିରୁ ୧୬ଟି ଜିଲ୍ଲାରେ ଦାରିଦ୍ର୍ୟ ଅନୁପାତ ସର୍ବଭାରତୀୟ ସ୍ତର ତୁଳନାରେ ଖୁବ୍ ଭଲ। ସବୁଠାରୁ କମ୍ ଦରିଦ୍ର ଜିଲ୍ଲା ହେଉଛି ପୁରୀ ଏବଂ ସେଠାରେ ଦାରିଦ୍ର୍ୟର ଅନୁପାତ ମାତ୍ର ୩.୨୯%, ଯାହାକି କେରଳ ଓ ତାମିଲନାଡୁ ଭଳି ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ତୁଳନୀୟ।
ଜାତୀୟ ସ୍ତରର ଏକ ଗଣମାଧ୍ୟମ ସଂସ୍ଥା ନିମନ୍ତେ ସହ-ଲେଖକ ଭାବରେ ମୁଁ ଲେଖିଥିବା ଅନ୍ୟ ଏକ ସ୍ତମ୍ଭରେ ନିହିତ ତଥ୍ୟାବଳୀ ଅନୁସାରେ, ପାରମ୍ପରିକ ଭାବେ ଦରିଦ୍ର ରୂପେ ଅଭିହିତ ରାଜ୍ୟଗୁଡ଼ିକରେ ଦେଶର ୭୦% ଦରିଦ୍ର ବ୍ୟକ୍ତି ରହିଛନ୍ତି। ସେମାନଙ୍କୁ ହିସାବରୁ ବାଦ୍ ଦେଲେ, ବାସ୍ତବରେ ଭାରତ ଏଭଳି ଏକ ମଧ୍ୟବିତ୍ତ ଦେଶ ରୂପେ ପରିଗଣିତ ହେବ, ଯେଉଁଠାରେ କି ତୁଳନାତ୍ମକ ଭାବେ ଜୀବନଧାରଣର ମାନ ଯଥାସମ୍ଭବ ଉନ୍ନତ।
ଓଡ଼ିଶାର ଛଅ କି ସାତଟି ଜିଲ୍ଲା କ୍ଷେତ୍ରରେ ଏହି ତର୍କର ଉପଯୋଗ ଯଥାର୍ଥ। ସେହି ଜିଲ୍ଲାଗୁଡ଼ିକର ସ୍ଥିତି ଓ ସଫଳତା ପ୍ରଦର୍ଶନକୁ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଇପାରେ। ପ୍ରଥମତଃ, ପୂର୍ବରୁ କଳାହାଣ୍ଡି ଜିଲ୍ଲା କ୍ଷେତ୍ରରେ ଯାହା ଉଲ୍ଲେଖ କରାଯାଇଛି, ସେଠାରେ ମାତ୍ର ଛଅ ବର୍ଷ ମଧ୍ୟରେ ଦାରିଦ୍ର୍ୟର ହାରଯେଉଁ ଢଙ୍ଗରେ ୫୦%ରୁ ୨୦%ରୁ ତଳକୁ ଖସି ଆସିଛି, ତାହାର ପ୍ରଶଂସା କରିବା କଥା। ବିଚାରର ଅନ୍ୟ ଦିଗଟି ହେଲା ରାଜ୍ୟର ଛଅଟି କି ସାତଟି ଜିଲ୍ଲାରେ କ୍ରମାଗତ ଭାବେ ବର୍ଷ ବର୍ଷ ଧରି ଲାଗି ରହିଥିବା ଉତ୍କଟ ଦାରିଦ୍ର୍ୟ ପାଇଁ ସରକାରଙ୍କ ବିଫଳତାକୁ ସମାଲୋଚନା କରିବା। ମୋ ମତରେ ଉଭୟ ତର୍କର ବିଚାରଯୋଗ୍ୟତା ରହିଛି।
ଉପଲବ୍ଧ ତଥ୍ୟାବଳୀର ଗଭୀର ନିରୀକ୍ଷଣରୁ ଜଣାଯାଏ ଯେ, ସମ୍ପ୍ରତି ରାଜ୍ୟର ଆଠଟି ଜିଲ୍ଲାରେ ଦାରିଦ୍ର୍ୟର ହାର ସର୍ବାଧିକ। ସେଗୁଡ଼ିକ ହେଲା ମାଲକାନଗିରି (୪୫%), ରାୟଗଡ଼ା (୩୪%), କୋରାପୁଟ (୩୩.୫%), ନବରଙ୍ଗପୁର (୩୩.୪%), ମୟୂରଭଞ୍ଜ (୩୦.୫%),ଗଜପତି (୨୮.୧%), କେନ୍ଦୁଝର (୨୬.୮%) ଏବଂ କନ୍ଧମାଳ (୨୫.୩%)। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ, ଏଥିରୁ ଅଧିକାଂଶ ଜିଲ୍ଲା ମାଓବାଦୀ ଆତଙ୍କବାଦର ଗଡ଼ କିମ୍ବା ସାମାଜିକ ଓ ସଭ୍ୟତାଭିତ୍ତିକ ପତିଆରା ନିମନ୍ତେ ଆର୍ଏସ୍ଏସ୍ ନେତୃତ୍ୱାଧୀନ ସଂଘ ପରିବାର ସହିତ ଖ୍ରୀଷ୍ଟିଆନ୍ ମିସନାରୀ ସଂସ୍ଥାଗୁଡ଼ିକର ସଂଘର୍ଷ ସ୍ଥଳୀ ରୂପେ ପରିଚିତ।
ଏହି ସବୁ ଜିଲ୍ଲାର ସାମ୍ପ୍ରତିକ ସ୍ଥିତିରୁ ଏହା ସ୍ପଷ୍ଟ ଯେ, ବିଗତ ତିନି ଦଶନ୍ଧି ମଧ୍ୟରେ ଅର୍ଥନୈତିକ ପ୍ରଗତି ଦିଗରେ ଗୃହୀତ ଅନେକ ଅସାମାନ୍ୟ ପଦକ୍ଷେପ ସତ୍ତ୍ୱେ କାହିଁକି ପ୍ରାୟ ସମସ୍ତ ମାପଦଣ୍ଡରେ ଓଡ଼ିଶା ଏବଂ ଭାରତ ଏଯାବତ୍ ତୃତୀୟ ବିଶ୍ୱ ପରିସୀମା ଅନ୍ତର୍ଭୁକ୍ତ ହୋଇ ରହିଛନ୍ତି।
ମୁଁ ସରକାରୀ ନୀତି ଓ ଯୋଜନା ବିଶେଷଜ୍ଞ ନୁହେଁ କି ଓଡ଼ିଶାର ଏହି ସବୁ ଜିଲ୍ଲାକୁ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ସଦୃଶ ଦ୍ୱିତୀୟ ବିଶ୍ୱ ମାନ୍ୟତା ପର୍ଯ୍ୟାୟଭୁକ୍ତ କରିବା ଲାଗି କିଭଳି ପଦକ୍ଷେପ ନିଆଯିବା ଆବଶ୍ୟକ, ସେ ସମ୍ପର୍କରେ ମୋ ପାଖରେ କୌଣସି ବାସ୍ତବଧର୍ମୀ ପ୍ରସ୍ତାବ ନାହିଁ। ଅଥଚ, ଭବିଷ୍ୟତରେ ବି ଦାରିଦ୍ର୍ୟର ଅନୁରୂପ ହାର ଓ ଆକାର ଅବ୍ୟାହତ ରହିଲେ, ନବୀନ ପଟ୍ଟନାୟକ ଅବସର ନେବା ବେଳକୁ ଏହା ତାଙ୍କ ଚମତ୍କାର ଶାସନ କାଳର ଏକ କଳଙ୍କିତ ଦିଗ ରୂପେ ବିବେଚିତ ହେବାର ସମ୍ଭାବନା ରହିଛି। ତଥାପି ଏ କ୍ଷେତ୍ରରେ ସକାରାତ୍ମକ ଓ ଆଶାବାଦୀ ଆଭିମୁଖ୍ୟକୁ ମୁଁ ପ୍ରାଥମିକତା ଦେବି ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଯେଉଁ ଚମତ୍କାରିତାପୂର୍ଣ୍ଣ ସଫଳତା ପ୍ରଦର୍ଶିତ ହୋଇଛି, ଏହି ସବୁ ଚିର ଦରିଦ୍ର ଜିଲ୍ଲାରେ ବି ତାହାର ପୁନରାବୃତ୍ତି ହେବ ବୋଲି ଆଶା କରିବି।
ପରିଶେଷରେ ଏବେ ଆସନ୍ତୁ, କେତେକ ପରିସଂଖ୍ୟାନର ବିଶ୍ଳେଷଣ କରିବା। ବହୁଦିଗ ସମ୍ବଳିତ ଦାରିଦ୍ର୍ୟ ହାର ହ୍ରାସ କରିବା କ୍ଷେତ୍ରରେ କାହିଁକି ଓଡ଼ିଶା ଏତେ ବେଶୀ ସଫଳତା ହାସଲ କରିପାରିଛି ? ଯଦି ଏହା ଏତେ ଭଲ ପ୍ରଦର୍ଶନ କରିପାରିଛି, ତେବେ, ବ୍ୟବଧାନ ଖୁବ୍ କମ୍ ହୋଇଥିଲେ ସୁଦ୍ଧା, କାହିଁକି ଏବେ ବି ତୁଳନାତ୍ମକ ଭାବେ ସର୍ବଭାରତୀୟସ୍ତରଠାରୁ ବହୁ ପଛରେ ରହିଛି? ଉପଲବ୍ଧ ତଥ୍ୟାବଳୀର ଗଭୀର ଅନୁଧ୍ୟାନରେ ଏହି ଦୁଇଟି ଯାକ ପ୍ରଶ୍ନର ଉତ୍ତର ନିହିତ।
ପ୍ରଦତ୍ତ ତାଲିକାରୁ ଜଣାଯାଏ ଯେ ଅଧିକାଂଶ ମାପଦଣ୍ଡ ଭିତ୍ତିରେ ଓଡ଼ିଶାର ପ୍ରଦର୍ଶନ ଭାରତ ତୁଳନାରେ ଭଲ। ପର୍ଯ୍ୟାପ୍ତ ପୁଷ୍ଟିକର ଆହାର ଯୋଗାଣ, ମାତୃ ସ୍ୱାସ୍ଥ୍ୟ, ବାସଗୃହ, ସ୍କୁଲରେ ଉପସ୍ଥାନ ହାର, ବିଦ୍ୟୁତ୍ ଶକ୍ତି ଯୋଗାଣ ଏବଂ ବ୍ୟାଙ୍କ ଆକାଉଣ୍ଟ କ୍ଷେତ୍ରରେ ସମଗ୍ର ଭାରତ ତୁଳନାରେ ଓଡ଼ିଶାର ସଫଳତା ହାର ଅଧିକ।
ପାରମ୍ପରିକ ଭାବେ ଦରିଦ୍ର ‘ପୂର୍ବାଞ୍ଚଳ’ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ଏଥିରୁ ହିଁ ପ୍ରମାଣିତ ହୁଏ । ହେଲେ, ପରିମଳ ଏବଂ ରନ୍ଧନ ଜାଳେଣି କ୍ଷେତ୍ରରେ ଏହା ଏବେ ବି ବହୁ ପଛରେ ରହିଛି। ଭାରତର ୪୦%ରୁ କିଛି ଅଧିକ ବ୍ୟକ୍ତିଙ୍କ ପାଖରେ ଏବେ ବି ସ୍ୱଚ୍ଛ ରନ୍ଧନ ଜାଳେଣି ପହଞ୍ଚି ପାରି ନଥିବା ବେଳେ ଓଡ଼ିଶାର ଦୁଇ ତୃତୀୟାଂଶ ବାସିନ୍ଦା ଏହି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।
ଅନୁରୂପ ଭାବେ ଭାରତର ୩୦% ଲୋକଙ୍କ ପାଇଁ ଆଧୁନିକ ପରିମଳ ସୁବିଧା ଅପହଞ୍ଚ ହୋଇ ରହିଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ପାଖାପାଖି ୪୦%। ଏହି ପରିସଂଖ୍ୟାନରୁ ଜଣାଯାଏ ଯେ, ବ୍ୟବଧାନ ସାମାନ୍ୟ ହେଲେ ମଧ୍ୟ ଓଡ଼ିଶା ଏବେ ବି ଭାରତ ତୁଳନାରେ ପଛରେ ରହିଛି।
ସତ କହିବାକୁ ଗଲେ, ଏହି ସବୁ ସଂଖ୍ୟା ମୋତେ ବିସ୍ମିତ କରେ। ଯଦି ଭାରତ ତୁଳନାରେ ଓଡ଼ିଶାରେ ପକ୍କା ଘରର ମାଲିକାନା ଓ ବ୍ୟାଙ୍କ ଆକାଉଣ୍ଟ ଥିବା ଲୋକଙ୍କ ହାର ପ୍ରାୟ ସମାନ, ତେବେ କେଉଁ କାରଣରୁ ସେମାନେ ରନ୍ଧନ ଗ୍ୟାସ୍ ସଂଯୋଗ ପାଇବାରୁବଞ୍ଚିତ? କ୍ରମାଗତ ଦରବୃଦ୍ଧି କାରଣରୁ ବ୍ୟୟବହୁଳ ବିବେଚିତ ଏଲ୍ପିଜି ସିଲିଣ୍ଡରକୁ ପ୍ରତି ମାସରେ ବା ସେହି ପାଖାପାଖି ସମୟ ବ୍ୟବଧାନରେ ପାଇବା କଥା ମୁଁ କହୁନି। ବରଂ ମୁଁ କହୁଛି କେବଳ ଗ୍ୟାସ୍ ସଂଯୋଗ ଥିବା କଥା। ସତରେ କ’ଣ ଓଡ଼ିଶାରେ ଉଜ୍ଜ୍ୱଳା ଯୋଜନା ଏଭଳି ଦର୍ଶନୀୟ ଭାବେ ବିଫଳ ହୋଇଛି ?
ପରେ ସେ କଥାକୁ ନେଇ ଆଉ କେବେ ବିତର୍କ କରିବା। ବର୍ତ୍ତମାନ, ଦାରିଦ୍ର୍ୟ ହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ଏ ଶତାବ୍ଦୀରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଥାକୁ ସ୍ୱୀକାର କରିବାର ସମୟ। ଯଦି ଆପଣ ସେଥିରେ ଅରାଜି ହୁଅନ୍ତି, ତା’ହେଲେ ଏ କଥା ସ୍ପଷ୍ଟ ଯେ, ଆପଣ ତଥ୍ୟ ଓ ସତ୍ୟକୁ ସମ୍ମାନ ଦିଅନ୍ତି ନାହିଁ।
(ମୂଳ ଇଂଲିସରୁ ଅନୁଦୀତ)
Tags: #Poverty #Odisha #OutstandingPerformanceInPoverty #UNDP


















