ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନିଜ କଟକ ଗସ୍ତରେ ଏସସିବି ମେଡିକାଲ କଲେଜରେ ପହଞ୍ଚିଥିଲେ। ସେ ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ ଓଡ଼ିଶାର ଚିକିତ୍ସା କ୍ଷେତ୍ରରେ ଏସସିବି ମେଡିକାଲ କଲେଜର ଅବଦାନକୁ ନିଜ ଉଦବୋଧନରେ ଉଲ୍ଲେଖ କରିଥିଲେ।
“ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ। ଏଠାକୁ ପ୍ରତିଦିନ ଓଡ଼ିଶା ସମେତ ପୂର୍ବ ଭାରତର ଅନେକ ସ୍ଥାନରୁ ଲୋକମାନେ ଚିକିତ୍ସା ପାଇଁ ଆସନ୍ତି। ଏହା ଆଜି ଦେଶର ଅଗ୍ରଣୀ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି। ଏହି ଏସସିବି ମେଡିକାଲ କଲେଜ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବା ସହ କଟକକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି”, କହିଛନ୍ତି ଦ୍ରୌପଦୀ ମୁର୍ମୁ।
ସେ ଆହୁରି ମଧ୍ୟ କହିଛନ୍ତି, “ଡାକ୍ତରମାନଙ୍କୁ ଅନେକ ଲୋକେ ଦ୍ଵିତୀୟ ଭଗବାନଙ୍କ ଆଖ୍ୟା ଦେଇଥାନ୍ତି। ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରି ସେମାନଙ୍କ ଯନ୍ତ୍ରଣା ଦୂର କରିଥାନ୍ତି। ସେବା ପ୍ରତି ଆନ୍ତରିକତା ନଥିଲେ, ଜଣେ ବ୍ୟକ୍ତି ଭଲ ଡାକ୍ତର ହୋଇପାରିବେ ନାହିଁ। ତେଣୁ ସେବା କରିବା ପାଇଁ ଡାକ୍ତରଙ୍କ ମନରେ ଦରଦ ରହିବା ଦରକାର।”
ସେ ଆହୁରି କହିଛନ୍ତି, “ସ୍ଵାଧିନତା ବେଳେ ଭାରତର ଲୋକଙ୍କ ହାରାହାରି ଆୟୁ ୩୨ ବର୍ଷ ଥିଲା, ଯାହା ଏବେ ଚିକିତ୍ସା ସେବାର ଉନ୍ନତି ଓ ଡାକ୍ତରଙ୍କ ପ୍ରଚେଷ୍ଟାରୁ ୭୦ ବର୍ଷରୁ ଅଧିକ ହୋଇଛି। ଦେଶରେ ଆଜି ମାତୃ ଶିଶୁ ମୃତ୍ୟୁହାର କମିଛି। କୋଭିଡ୍-୧୯ ସମୟରେ ମଧ୍ୟ ଡାକ୍ତରମାନେ ନିଜର ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରିଥିଲେ। ଆଗକୁ ବିକଶିତ ଭାରତରେ ଡାକ୍ତରଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିବ।”
ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଏସସିବି ମେଡିକାଲ କଲେଜର ଡିନ୍ ପ୍ରଫେସର ଡାକ୍ତର ପ୍ରସନ୍ନଜିତ ମହାନ୍ତି ରାଷ୍ଟ୍ରପତିଙ୍କୁ ଏକ ରୂପା ନିର୍ମିତ ବୋଇତର ପ୍ରତିକୃତି ଉପହାର ସ୍ୱରୂପ ଦେଇ ତାଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ମେଡିକାଲ କଲେଜର ମେଧାବୀ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଏସସିବି ମେଡିକାଲ କଲେଜର ଡିନ୍ ପ୍ରଫେସର ଡାକ୍ତର ପ୍ରସନ୍ନଜିତ ମହାନ୍ତି, ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହା ସହ ଏସସିବି ମେଡିକାଲ କଲେଜର ଅନେକ ବିଭାଗୀୟ ମୁଖ୍ୟ, ଡାକ୍ତର ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Tags: #PresidentDroupadiMurmu #OdishaVisit #SCBMedicalCollege #AnnualFunction #Cuttack