ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସର୍ପାଘାତ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବାବେଳେ ସରକାରଙ୍କର ଚିନ୍ତା ମଧ୍ୟ ବଢ଼ିଛି।

ସାପ କାମୁଡ଼ାକୁ ନେଇ ସଚେତନ ହେବା ସହ ସତର୍କତା ଅବଲମ୍ବନ କରିବା ଲାଗି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

ସାପ କାମୁଡ଼ିଲେ କ’ଣ କରିବେ?

  • ସାପ ପ୍ରତି ସାବଧାନ ରୁହନ୍ତୁ। ସାପ କାମୁଡ଼ିଲେ ସମୟ ନଷ୍ଟ ନକରି ତୁରନ୍ତ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ।
  • ଅନ୍ଧବିଶ୍ଵାସଠାରୁ ଦୂରେଇ ରୁହନ୍ତୁ। ଝଡ଼ାଫୁଙ୍କା କିମ୍ବା ଗୁଣିଆ ଉପରେ ଭରସା କରି ସମୟ ନଷ୍ଟ କରନ୍ତୁ ନାହିଁ।
  • ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ସ୍ଥିର ଓ ଶାନ୍ତ ରଖନ୍ତୁ। ତାଙ୍କୁ ସାହସ ଓ ସାନ୍ତ୍ଵନା ଦିଅନ୍ତୁ।
  • ଆହତ ବ୍ୟକ୍ତିଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ କିମ୍ବା ଶୋଇବାକୁ ଦିଅନ୍ତୁ ନାହିଁ।
  • କ୍ଷତ ହୋଇଥିବା ଅଙ୍ଗରୁ ଗହଣା, ଘଣ୍ଟା ଏବଂ ଯୋତା ଆଦି ବାହାର କରିଦିଅନ୍ତୁ।
  • କ୍ଷତ ଅଙ୍ଗରେ ବିଷ ସଂଚରଣ ରୋକିବା ପାଇଁ ରଶି କିମ୍ବା ତାର ବାନ୍ଧନ୍ତୁ ନାହିଁ। ଏହା ଦ୍ଵାରା ଅଙ୍ଗ ନଷ୍ଟ ହେବାର ସମ୍ଭାବନା ରହିଛି।
  • କ୍ଷତ ସ୍ଥାନକୁ ଛୁରୀ କିମ୍ବା କୌଣସି ଅସ୍ତ୍ରରେ ଖଣ୍ଡିଆ କରି ରକ୍ତ ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ପାଟି ସାହାଯ୍ୟରେ ରକ୍ତ ବାହାର କରନ୍ତୁ ନାହିଁ।
  • କ୍ଷତ ଉପରେ ବରଫ ମାଲିସ କରନ୍ତୁ ନାହିଁ।
  • ଆହତ ବ୍ୟକ୍ତିଙ୍କୁ ନିଶାଦ୍ରବ୍ୟ, ଚେରମୂଳି ଇତ୍ୟାଦି ଦିଅନ୍ତୁ ନାହିଁ କିମ୍ବା କ୍ଷତ ସ୍ଥାନରେ କୌଣସି ଔଷଧ ଲଗାନ୍ତୁ ନାହିଁ।

ବର୍ତ୍ତମାନ ରାଜ୍ୟରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ଗତ ୪ ଦିନ ମଧ୍ୟରେ ସାପ କାମୁଡ଼ାରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରତିବର୍ଷ ସାପ କାମୁଡ଼ାରେ ୮ଶହରୁ ଏକ ହଜାର ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହେଉଛି।

ସାପ କାମୁଡ଼ାକୁ ନେଇ ସଚେତନତା ରହିବା ସହ ସତର୍କ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Tags: #Snake #SnakeBite #Odisha #SnakeBiteDeathCase

Comment