ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲଗାଣ ବର୍ଷା ପରେ ଏବେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ଭଳି ରାଜ୍ୟର ବଡ଼ ନଦୀରେ ଜଳସ୍ତର ବଢ଼ିଛି। ଏହା ଫଳରେ ନଦୀର ତଳମୁଣ୍ଡରେ ଥିବା ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟା ଯୋଗୁଁ ଓଡ଼ିଶାର ୧୫ଟି ଜିଲ୍ଲାର ଦେଢ଼ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ବୈତରଣୀ ନଦୀର ବନ୍ୟା ଭଦ୍ରକ ଜିଲ୍ଲାରେ ସ୍ଥିତି ଜଟିଳ କରିଛି। ଜିଲ୍ଲାର ଧାମନଗର ଓ ଚାନ୍ଦବାଲି ବ୍ଲକର ୨୫ଟି ପଞ୍ଚାୟତ ଜଳବନ୍ଦୀ ହୋଇଛି। ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତାର ୬ଟି ସ୍ଥାନରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ରହିଛି। ଏହି ବନ୍ୟାରେ ଜିଲ୍ଲାର ପ୍ରାୟ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ଅନ୍ୟପଟେ ମହାନଦୀରେ ଜଳସ୍ତର ବଢ଼ିଥିବାରୁ ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଦେଖାଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇଛନ୍ତି। ମହାନଦୀର ପାଣି ବିଭିନ୍ନ ଶାଖା ନଦୀରେ ପ୍ରବାହିତ ହୋଇ ବଡ଼ ବନ୍ୟା ସୃଷ୍ଟି କରିବାର ଆଶଙ୍କା କରାଯାଉଛି।
ସେହିପରି ମହାନଦୀର ବନ୍ୟାଜଳ କଟକ ଜିଲ୍ଲା ବାଙ୍କିର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି। ଏଥିରେ ବାଙ୍କୀ ସହରରୁ ବିଲିପଡ଼ା ଦେଇ ତାଳବସ୍ତକୁ ଯାଇଥିବା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ବାଙ୍କି-ବୈଦେଶ୍ୱର ରାସ୍ତାରେ ମଧ୍ୟ ଯାତାୟାତ ପ୍ରଭାବିତ ହୋଇଛି। ଏହାଛଡ଼ା ବାଙ୍କିର ଶଖୁଆଖଳା, ବିଲିପଡ଼ା ଏବଂ କଇଁମୁଣ୍ଡି ଆଦି ଗ୍ରାମ ଜଳବନ୍ଦୀ ହୋଇଛି।
ଓଡ଼ିଶାରେ ଆସିଥିବା ବନ୍ୟାରେ ମୋଟ ୧୫ଟି ଜିଲ୍ଲାରେ ୯୦ ବ୍ଲକର ୬୭୨ଟି ଗାଁ ପ୍ରଭାବିତ ହୋଇଛି। ବନ୍ୟା ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ୧୩ଟି ଓଡ୍ରାଫ, ୮ଟି ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ୮୫ଟି ଟିମ୍ ମୁତୟନ କରାଯାଇଛି। ସେହିପରି ବନ୍ୟାଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ସାମଗ୍ରୀ ଯୋଗାଯାଉଛି।
Tags: #HeavyRainfall #FloodSituation #Mahanadi #Baitarani #WaterlevelRise #Odisha