ଓଡ଼ିଶାଲାଇଭ୍ ବ୍ୟୁରୋ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶନିବାର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି। ମହାସଂଘ ରାଜ୍ୟର ସବୁ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ପୂର୍ବରୁ କରି ଆସୁଥିବା ଦାବିଗୁଡ଼ିକୁ ଏଠାରେ ଦୋହରାଇଛି। ଯଦି ରାଜ୍ୟ ସରକାର ଦାବି ପୂରଣ ନକରନ୍ତି, ତେବେ ଅଗଷ୍ଟ ୧୬ ତାରିଖରୁ ସବୁ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତବନୀ ଦେଇଛି ମହାସଂଘ।

ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଓଡ଼ିଶାର କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବା ଦାବି କରାଯାଇଛି। ଏହାସହ ପୂର୍ବରୁ ଚାକିରି କରିଥିବା ସବୁ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ହିସାବକୁ ନେଇ ଇନକ୍ରିମେଣ୍ଟ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ସବୁ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ (ଗ୍ରେଡ ପେ ୪୨୦୦) ବେତନ ଦେବାପାଇଁ ଦାବି କରିଛି ମହାସଂଘ।

ଅନ୍ୟପଟେ ରାଜ୍ୟରେ ନୂଆ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଏବଂ ରାଜ୍ୟର ସବୁ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବେ ମାନ୍ୟତା ଦେବାକୁ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି।

ଶନିବାର ଭୁବନେଶ୍ୱରର ପ୍ରାଥମିକ ଶିକ୍ଷକ ସଂଘ (ଉଭୟ ପୁରୁଣା ଓ ନୂଆ ପେନସନ), କନିଷ୍ଠ ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘ, ସହକାରୀ ଶିକ୍ଷକ ସଂଘ ଏବଂ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ଆଦି ବିଭିନ୍ନ ଶିକ୍ଷକ ସଂଗଠନଙ୍କ ଉପସ୍ଥିତିରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଛି।

ଏହାପୂର୍ବରୁ ୨୦୨୨ ମସିହା ନଭେମ୍ବର ମାସ ୨୭ ତାରିଖରେ ଉପରୋକ୍ତ ଦାବିଗୁଡ଼ିକୁ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଭୁବନେଶ୍ଵରରେ ଆନ୍ଦୋଳନ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ସାମିଲ ହୋଇଥିଲେ। ଏହାପରେ ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମହାସଂଘର ପ୍ରତିନିଧିମାନଙ୍କ ସହ ବୈଠକ କରି ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ଥିଲେ।

ଏବେ ଏହି ଘଟଣାକୁ ୮ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ଦାବିକୁ ପୂରଣ କରିନାହାନ୍ତି। ଏଥିପାଇଁ ଏବେ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି।

Tags: #NikhilaUtkalPrathamikaSikhyakMahasangh #PrimaryTeachers #Education #Odisha

 

LEAVE A REPLY

Please enter your comment!
Please enter your name here