ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁର ହିଂସା ମାମଲାର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏଥିରେ ହାଇକୋର୍ଟର ତିନିଜଣ ପୂର୍ବତନ ମହିଳା  ବିଚାରପତିଙ୍କୁ ସାମିଲ କରାଯାଇଛି। ଏହି ୩ ଜଣିଆ କମିଟି ମଣିପୁର ହିଂସାର ବିଭିନ୍ନ ମାମଲାରେ ଚାଲିଥିବା ଯାଞ୍ଚର ତଦାରଖ କରିବେ। ମଣିପୁର ମାମଲାର ଶୁଣାଣିବେଳେ ଏନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ।

ଏହି କମିଟିର ୩ ଜଣ ସଦସ୍ୟ ହେଉଛନ୍ତି, ଜମ୍ମୁକଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶାଳିନୀ ଯୋଶୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ। କମିଟି ମଣିପୁର ହିଂସାରେ ବିସ୍ଥାପିତ ଲୋକମାନଙ୍କ ଥଇଥାନ ଏବଂ ମହିଳାଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ବାବଦରେ ଚାଲିଥିବା ଯାଞ୍ଚ ପ୍ରକ୍ରିୟାର ତଦାରଖ କରିବେ।

“ମଣିପୁର ହିଂସା ଘଟଣାରେ ହେଉଥିବା ବିଭିନ୍ନ ତଦନ୍ତର ତଦାରଖ କରିବା ପାଇଁ କମିଟି ଗଠନ କରାଯାଇଛି। ଏହି କମିଟି ସିବିଆଇ ଓ ଅନ୍ୟ ଏସଆଇଟି କରୁଥିବା ଯାଞ୍ଚ ପ୍ରକ୍ରିୟାର ତଦାରଖ କରିବେ। କମିଟି ଏହାର ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ଦେବେ। ଯାଞ୍ଚ ପ୍ରକ୍ରିୟାକୁ ସ୍ଵଚ୍ଛ ଓ ନିରପେକ୍ଷ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆଇନର ଶାସନ ଉପରେ ମଣିପୁର ତଥା ଦେଶର ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ଆମର ପ୍ରୟାସ”, କହିଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ।

ଅନ୍ୟପଟେ ମଣିପୁର ହିଂସାରେ ସିବିଆଇ ତଦନ୍ତର ତଦାରଖ କରିବା ପୂର୍ବତନ ଆଇପିଏସ୍ ଅଧିକାରୀ ଦତ୍ତାତ୍ରେୟ ପଦସାଲଗିକରଙ୍କୁ ସୁପ୍ରିମକୋର୍ଟ ଦାୟିତ୍ଵ ଦେଇଛନ୍ତି। ସେହିପରି ହିଂସାରେ ସିବିଆଇକୁ ହସ୍ତାନ୍ତର କରାଯାଇ ନଥିବା ମାମଲାଗୁଡ଼ିକ ଉପରେ ୪୨ଟି ସ୍ଵତନ୍ତ୍ର କମିଟି ବା ଏସଆଇଟି ତଦନ୍ତ କରୁଛନ୍ତି। ଏହି ଏସଆଇଟିର ତଦନ୍ତକୁ ମଣିପୁର ବାହାରର ଡିଆଇଜି ପାହ୍ୟାର ଅଧିକାରୀମାନେ ତଦାରଖ କରିବେ।

ମଣିପୁର ହିଂସାର ବିଭିନ୍ନ ମାମଲାରେ ତଦନ୍ତ କରିବା ପାଇଁ ସିବିଆଇ ବାଦ ଏନେକ ଏସଆଇଟି ଗଠନ କରାଯାଇଛି। ହେଲେ ଏହି ସବୁ ଏସଆଇଟି ମଣିପୁର ସରକାର ଗଠନ କରିଛନ୍ତି। ତେବେ ଏହି ଏସଆଇଟିର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠୁଥିବାରୁ, ଏଗୁଡ଼ିକର ତଦାରଖ ପାଇଁ ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି।

Tags: #ManipurViolence #SITInvestigation #CBI #SupremeCourt #India

 

Comment