ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଏହି ନାମଲେଖା ହେବ।
ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଗୁରୁବାର ଆବେଦନ ପ୍ରକ୍ରିୟା ସରିବ। ଏନେଇ ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି।
ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁ ଥିବା ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୩ ନଭେମ୍ବର ୪ ତାରିଖ ଏବଂ ୨୦୨୪ ଜାନୁଆରି ମାସ ୨୦ ତାରିଖରେ ଅନୁଷ୍ଠିତ ହେବ।
ଯଦି ଆପଣମାନେ ପରବର୍ତ୍ତୀ ଶିକ୍ଷା ବର୍ଷରେ ନବୋଦୟ ବିଦ୍ୟାଳୟରେ ନିଜ ପିଲାଙ୍କ ଆଡମିଶନ କରିବାକୁ ଚାହାନ୍ତି, ତେବେ ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା।
ଯୋଗ୍ୟତା
- ଆଶାୟୀ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ପାସ କରିଥିବା ଆବଶ୍ୟକ
- ଛାତ୍ରଛାତ୍ରୀଙ୍କ ଜନ୍ମ ୨୦୧୨ ମେ’ ୧ ତାରିଖରୁ ୨୦୧୪ ଜୁଲାଇ ୩୧ ତାରିଖ ମଧ୍ୟରେ ହୋଇଥିବା ଆବଶ୍ୟକ
ନବୋଦୟ ବିଦ୍ୟାଳୟର ନାମଲେଖା ପ୍ରକ୍ରିୟାରେ ୭୫ ପ୍ରତିଶତ ସିଟ୍ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂରଣ ହେବ। ଏଠାରେ ନାମଲେଖା ପ୍ରକ୍ରିୟାରେ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ପାଇଁ ୧୫ ପ୍ରତିଶତ ଏବଂ ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ପାଇଁ ୭.୫ ପ୍ରତିଶତ ସିଟ୍ ସରଂକ୍ଷିତ ରହିବ।
ଚୟନ ପ୍ରକ୍ରିୟା
ନବୋଦୟ ବିଦ୍ୟାଳୟର ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ହିଁ ଛାତ୍ରଛାତ୍ରୀଙ୍କ ଚୟନ କରାଯିବ। ୨୦୨୪ ମସିହା ଜାନୁଆରି ମାସରେ ପରୀକ୍ଷା ସରିବା ପରେ ମାର୍ଚ୍ଚ ମାସ ସୁଦ୍ଧା ପରୀକ୍ଷା ଫଳ ବାହାରିବ।
କେମିତି କରିବେ ଆବେଦନ
- ନବୋଦୟ ବିଦ୍ୟାଳୟ ସମିତିର ୱେବସାଇଟ୍ navodaya.gov.inକୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ‘ଆଡମିଶନ ରେଜିଷ୍ଟ୍ରେସନ’ ପେଜକୁ କ୍ଲିକ୍ କରନ୍ତୁ
- ରେଜିଷ୍ଟ୍ରେସନ ପେଜରେ ‘ଲଗ ଇନ’ କରନ୍ତୁ
- ସେଠାରେ ଦିଆଯାଇଥିବା ନିର୍ଦେଶଗୁଡ଼ିକୁ ଭଲ ଭାବେ ପଢ଼ନ୍ତୁ
- ଏହାପରେ ତଳେ ଥିବା ‘ପ୍ରୋସିଡ’ ଅପ୍ସନକୁ କ୍ଲିକ୍ କରନ୍ତୁ
- ପରବର୍ତ୍ତୀ ପେଜରେ ଅନଲାଇନ ଫର୍ମକୁ ଠିକ ଭାବେ ପୂରଣ କରନ୍ତୁ
- ନିଜ ପିଲାଙ୍କ ଫଟୋ, ବିବରଣୀ, ଓ ଅନ୍ୟାନ୍ୟ ଦସ୍ତାବିଜକୁ ଦାଖଲ କରନ୍ତୁ
- ଫର୍ମପୂରଣ କରି ସାରିବା ପରେ ‘ସବମିଟ୍’ ଉପରେ କ୍ଲିକ୍ କରନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟଆଉଟ ରଖନ୍ତୁ
ନବୋଦୟ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ କେବଳ ଅନଲାଇନରେ ପଞ୍ଜୀକରଣ ହେବ। ନାମଲେଖା ଓ ପ୍ରବେଶିକା ପରୀକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ନବୋଦୟ ବିଦ୍ୟାଳୟ ସମିତିର ୱେବସାଇଟରେ ଉପଲବ୍ଧ।
Tags: #JawaharNavodayaVidyalaya #Admission #EducationYear2024-25 #Education #NavodayaVidyalayaSamiti



















