ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ଓଡ଼ିଶାରେ ଆରମ୍ଭ ହୋଇଛି ‘ମୋ ଜଙ୍ଗଲ ଜମି ଯୋଜନା’। ବୁଧବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ଜନଜାତିଙ୍କ ବିକାଶ ଓ ସେମାନଙ୍କ ଜୀବିକାରେ ସ୍ଥାୟୀତ୍ଵ ଆଣିବା ଲକ୍ଷ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।

ଏହି ଯୋଜନା ଜଙ୍ଗଲ ଜମି ଉପରେ ସବୁ ଜନଜାତିଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଟିତ କରିବ। ଏହାସହ ଏହି ଯୋଜନା ଅନ୍ତର୍ଗତ ଜଙ୍ଗଲକୁ ନେଇ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାମରେ ଜନଜାତିମାନଙ୍କୁ ସାମିଲ କରାଯିବ। ଏହାଦ୍ଵାରା ସେମାନଙ୍କ ଆର୍ଥିକ ବିକାଶ ହୋଇପାରିବ।

“ସମସ୍ତଙ୍କ ସହଯୋଗରେ ବିଭିନ୍ନ ଜନଜାତିଙ୍କ ବିକାଶ କ୍ଷେତ୍ରରେ ‘ମୋ ଜଙ୍ଗଲ ଜମି ଯୋଜନା’ ଏକ ମାଇଲଷ୍ଟୋନ ସୃଷ୍ଟି କରିବ। ଜଙ୍ଗଲର ନିରନ୍ତର ବିକାଶ ଦିଗରେ ଜନଜାତିମାନଙ୍କର ଅବଦାନକୁ ସ୍ଵୀକୃତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ। ଜନଜାତିଙ୍କ ଆର୍ଥିକ ଓ ଜୀବିକାର ବିକାଶ କରିବାରେ ଏହି ଯୋଜନା ସହାୟକ ହେବ”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଜଙ୍ଗଲ ଜମି ଉପରେ ଜନଜାତିଙ୍କୁ ଅଧିକାର ଦେବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ଆମ ସରକାର ଜନଜାତିଙ୍କ ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ। ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ନୂଆ ଯୋଜନା ମଧ୍ୟ ସବୁ ଯୋଗ୍ୟ ହିତାଧିକାରୀମାନଙ୍କ ପାଖରେ ପହଞ୍ଚିବ, କେହି ଏଥିରୁ ବଞ୍ଚିତ ହେବେ ନାହିଁ।”

ଓଡ଼ିଶାରେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ କରାଯାଇଛି। ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠୀ ଅଧିକାର ଦିଆଯାଇଛି। ଏବେ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁଗୁଡ଼ିକୁ ମଧ୍ୟ ରାଜସ୍ଵ ଗ୍ରାମର ମାନ୍ୟତା ଦେବା ପାଇଁ ନୂଆ ଯୋଜନା ଅନ୍ତର୍ଗତ ପଦକ୍ଷେପ ନିଆଯିବ।

“ଓଡ଼ିଶା ସରକାର ପୂର୍ବରୁ ଜନଜାତିମାନଙ୍କୁ ଜଙ୍ଗଲ ଜମି ଉପରେ ଅନେକ ଅଧିକାର ଦେଇଛନ୍ତି। ଏହି ନୂଆ ଯୋଜନା ମାଧ୍ୟମରେ ଜଙ୍ଗଲ ଜମିର ପରିଚାଳକ ଭାବରେ ଜନଜାତିମାନଙ୍କ ଅଧିକାରକୁ ସ୍ଵୀକୃତି ଦିଆଯିବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସବୁ ପ୍ରକ୍ରିୟା ଶେଷ କରାଯାଇ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଅଧିକାର ମିଳିବ”, କହିଛନ୍ତି ରାଜ୍ୟ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା।

ଏହି କାର୍ଯ୍ୟକ୍ରମରେ ଯୋଜନାରେ ସାମିଲ ହୋଇଥିବା ୩ ଜଣ ହିତାଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଜଙ୍ଗଲ ଜମିରେ ଅଧିକାର ମିଳିବା ଫଳରେ ସେମାନଙ୍କୁ ହେଉଥିବା ଫାଇଦା ବିଷୟରେ ସେମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କମିଶନର ତଥା ସଚିବ ରୂପାରୋଶନ ସାହୁ ଏବଂ ବିଭାଗୀୟ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି କାର୍ଯ୍ୟକ୍ରମରେ ୟୁନାଇଟେଡ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନଡିପି) ଓ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧି ଏବଂ ବିଭିନ୍ନ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Tags: #MOJungleJamiYojana #ForestLand #TribalPeople #Livelihood #Odisha

LEAVE A REPLY

Please enter your comment!
Please enter your name here