ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୭୭ତମ ସ୍ଵାଧୀନତା ଦିବସକୁ ଆଉ ଅଳ୍ପ ଦିନ ରହିଲା ବାକି। ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ସବୁଆଡ଼େ ଏହି ଜାତୀୟ ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ସ୍ଵାଧୀନତା ଦିବସରେ ରାଜଧାନୀ ଭୁବନେଶ୍ଵର ସ୍ଥିତ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ।

ସ୍ଵାଧୀନତା ଦିବସରେ ଓଡ଼ିଶାର ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ମନ୍ତ୍ରୀ, ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବ।

କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ପୁରୀରେ ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟ‌କରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ କୋରାପୁଟରେ କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପତାକା ଉତ୍ତୋଳନ କରିବେ।

ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବରଗଡ଼ରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମ୍ବଲପୁରରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଓ ସୁନ୍ଦରଗଡ଼ରେ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ।

ଅନ୍ୟପଟେ କେନ୍ଦୁଝରରେ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅନୁଗୁଳରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ରାୟଗଡ଼ାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିବେ।

ସେହିପରି ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଝାରସୁଗୁଡ଼ାରେ ଶ୍ରମମନ୍ତ୍ରୀ ସାରଦା ନାୟକ, ମୟୁରଭଞ୍ଜରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ମାଲକାନଗିରିରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସୋନପୁରରେ ହସ୍ତତନ୍ତ ମନ୍ତ୍ରୀ ରିତା ସାହୁ ଏବଂ ଢେଙ୍କାନାଳରେ ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିସନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ଵ କମିସନର ପତାକା ଉତ୍ତୋଳନ କରିବେ। ଏହାଛଡ଼ା ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ରେ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବେ।

Tags: #IndependenceDay #StatelevelProgram #NationalFlagHoisting #Odisha

LEAVE A REPLY

Please enter your comment!
Please enter your name here