ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି। ହାଇକୋର୍ଟର ନୂଆ ବିଚାରପତି ଭାବେ ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି।

ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସ କେ କୌଲ ଏବଂ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କୁ ନେଇ ଗଠିତ କଲେଜିୟମରେ ଆଲୋଚନା କରାଯାଇଥିଲା। ଏହାପରେ କଲେଜିୟମ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାମ ସୁପାରିସ କରିଛନ୍ତି।

ଏହାପୂର୍ବରୁ ୨୦୨୩ ଜାନୁଆରି ମାସରେ ଓଡ଼ିଶା ହାଇକୋର୍ଟର ତତକାଳୀନ ମୁଖ୍ୟ ବିଚାରପତି ଏସ ମୁରଲୀଧର ଅନ୍ୟ ଦୁଇ ଜଣ ବରିଷ୍ଠ ବିଚାରପତିଙ୍କ ସହ ପରାମର୍ଶ କରି ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନିଯୁକ୍ତି ନେଇ ସୁପାରିସ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଏହାକୁ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ ପଠାଯାଇଥିଲା।

ଆଇନଜୀବୀ ଶିବ ଶଙ୍କର ମିଶ୍ର ୧୯୬୮ ମସିହା ମେ’ ୩ ତାରିଖରେ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜୟପୁର ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି।

ସେହିପରି ଆନନ୍ଦ ଚନ୍ଦ୍ର ବେହେରା ୧୯୬୪ ମସିହା ମେ’ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ରାଜ୍ୟ ଭିଜିଲାନ୍ସର ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ ଅଛନ୍ତି।

ଓଡ଼ିଶା ହାଇକୋର୍ଟରେ ୩୩ ଜଣ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ପଦ ଅଛି। ହେଲେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ମାତ୍ର ୨୦ଜଣ ବିଚାରପତି ‌ରହିଛନ୍ତି। ଆଗକୁ ୨ ନୂଆ ବିଚାରପତିଙ୍କ ନିଯୁକ୍ତି ସହ ଏହି ସଂଖ୍ୟା ୨୨ରେ ପହଞ୍ଚିବ।

Tags: #OdishaHighCourt #NewJustice #SupremeCourt #LegalWorks #Odisha

 

LEAVE A REPLY

Please enter your comment!
Please enter your name here