ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ଆସୁଛି ବଡ଼ ବର୍ଷା। ଏବେ ଏକ ଲଘୁଚାପ ସରିଥିବାବେଳେ ଆଗକୁ ଓଡ଼ିଶାର ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାରେ ବୁଧବାରଠାରୁ ବର୍ଷାର ପରିମାଣ ବଢ଼ିବା ଆରମ୍ଭ ହେବ। କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ଯାଏଁ ବର୍ଷା ହେବ। ଏଥିପାଇଁ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

ସେହିପରି ରବିବାର ରାଜ୍ୟରେ କେଉଁଠି ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥିଲା ତ କେଉଁଠି ଗରମ ଗୁଳୁଗୁଳି ହୋଇଥିବା ଦେଖାଦେଇଥିଲା। ରାଜ୍ୟରେ ମଙ୍ଗଳବାର ଯାଏଁ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସୋନପୁର ଜିଲ୍ଲାର ଉଲୁଣ୍ଡାରେ ୮୭.୪ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ସୋନପୁର ଜିଲ୍ଲାର ରିଆମାଳରେ ୮୦ ମିଲିମିଟର, କନ୍ଧମାଳର ଦାରିଙ୍ଗବାଡ଼ିରେ ୭୨ ମିଲିମିଟର ଓ ବାଲିଗୁଡ଼ାରେ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଓଡ଼ିଶାରେ ଚଳିତବର୍ଷ ଅଗଷ୍ଟ ମାସରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ଅଗଷ୍ଟ ୧ ତାରିଖରୁ ଏ ଯାଏଁ ରାଜ୍ୟରେ ୨୫୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Tags: #Rainfall #LowPressure #BayofBengal #MCBBSR #Odisha

 

LEAVE A REPLY

Please enter your comment!
Please enter your name here