ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଛି ଅଡ଼ୁଆ। ଟାଟା ମୋଟର୍ସ ଚାକିରି ଜାଲିଆତି ମାମଲାରେ ତାଙ୍କ ବିରୋଧରେ ଭୁବନେଶ୍ଵର ସ୍ଵତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ହୋଇଛି। ଏହା ସହ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ସର୍ବେଶ୍ୱର ରାଓ ଏବଂ ଆକାଶ ପାଠକଙ୍କ ବିରୋଧରେ ମଧ୍ୟ କୋର୍ଟ ଚାର୍ଜଫ୍ରେମ୍ କରିଛନ୍ତି। ଏହାପୂର୍ବରୁ ହାଇକୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଥିଲା।

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ ହେବାବେଳେ ସେ ନିଜେ ଭୁବନେଶ୍ଵର ସ୍ଵତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଏବେ ଏହି ମାମଲାରେ ଶୁଣାଣି ଚାଲିବ।

ଟାଟା ମୋଟର୍ସରେ ଚାକିରି ଜାଲିଆତି ମାମଲାରେ ପ୍ରଦୀପ ପାଣିଗ୍ରାହୀ ତାଙ୍କର ଦୁଇ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ଆକାଶ ପାଠକଙ୍କୁ ୨୦୨୦ ମସିହା ଡିସେମ୍ବର ମାସରେ ଗିରଫ କରାଯାଇଥିଲା। ଏହାପରେ ୨୦୨୧ ମସିହାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା।

ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବିଧାୟକ ଲୋକଙ୍କଠାରୁ ଟଙ୍କା ଅଦାୟ କରୁଥିବା ଅଭିଯୋଗ ହୋଇଥିଲା। ପ୍ରଦୀପ ପାଣିଗ୍ରାହୀ ସର୍ବେଶ୍ଵର ରାଓ ଏବଂ ଆକାଶ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଅନେକ ଯୁବକଙ୍କୁ ମୋଟା ଅଙ୍କର ଟଙ୍କା ନେଇ ଠକି ନେଇଥିବା ଅଭିଯୋଗ ରହିଛି।

ଆକାଶ ପାଠକ ହେଉଛନ୍ତି ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କ ପୁଅ। ଆକାଶ ଟାଟା ମୋଟର୍ସରେ ବଡ଼ ପଦବୀରେ ଚାକିରି କରୁଥିବା କହି, ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱର ରାଓ ଅନେକ ଯୁବକଙ୍କୁ ଏହି କମ୍ପାନିରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଉଥିଲେ।

ଏହି ଚାକିରି ଜାଲିଆତି ଘଟଣାର ତଦନ୍ତବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଘଟଣା ସାମ୍ନାକୁ ଆସିବାପରେ ପ୍ରଦୀପଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା।

Tags: #PradeepPanigrahi #ChargeFrame #MLA #Vigilance #Odisha

 

LEAVE A REPLY

Please enter your comment!
Please enter your name here