ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଚନ୍ଦ୍ରଯାନ-୩’ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି। ଶନିବାର ସକାଳେ ସେ ଗ୍ରୀସରୁ ସିଧା ବେଙ୍ଗାଳୁରୁ ଆସି ଇସ୍ରୋର ‘ମିଶନ କଣ୍ଟ୍ରୋଲ୍‌ କମ୍ପ୍ଲେକ୍ସ’ରେ ବୈଜ୍ଞାନିକମାନଙ୍କୁ ସାକ୍ଷାତ କରିଥିଲେ। ଏଠାରେ ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଦିନ ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ‘ଚନ୍ଦ୍ରଯାନ-୩’ ଅବତରଣ କରିଥିବା ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ନାମରେ ନାମିତ କରିଥିଲେ। ଏହାସହ ୨୦୧୯ରେ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠରେ କ୍ରାସ ଲ୍ୟାଣ୍ଡିଂ କରିଥିବା ସ୍ଥଳକୁ ସେ ‘ତ୍ରିରଙ୍ଗା ପଏଣ୍ଟ’ ନାଁ ଦେଇଥିଲେ।

“ଚନ୍ଦ୍ରଯାନ-୩ର ସଫଳତା ଭାରତ ପାଇଁ ଏକ ବଡ଼ ଉପଲବ୍ଧି। ଏହା ଦେଶର ଗୌରବକୁ ବହୁଗୁଣିତ କରିଛି। ଚନ୍ଦ୍ରରେ ଏହି ସଫଳ ମିଶନ ପାଇଁ ମୁଁ ଇସ୍ରୋର ସବୁ ବୈଜ୍ଞାନିକଙ୍କୁ ଅଭିବାଦନ ଜଣାଉଛି। ସେମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ପାଇଁ ଆଜି ବିଶ୍ୱରେ ଭାରତର ସମ୍ମାନ ବଢ଼ିଛି”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଚନ୍ଦ୍ରଯାନ ଅବତରଣ କରିଥିବା ସ୍ଥାନର ନାମକାରଣ ମହାକାଶ ଅଭିଯାନ ପାଇଁ ଭାରତ କରୁଥିବା ସବୁ ପ୍ରୟାସକୁ ନୂଆ ରାସ୍ତା ଦେଖାଇବ। ଦେଶର ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ। ବିଫଳତା ଶେଷ ପରିଣତି ନୁହେଁ ବୋଲି ଏହା ଆମକୁ ସ୍ମରଣ କରାଇ ଦେବ।”

ଶନିବାର ଇସ୍ରୋ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିବା ପରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ସେ ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ମିଶନର ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଏହାସହ ଇସ୍ରୋ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ‘ବିକ୍ରମ’ ଲ୍ୟାଣ୍ଡରର ଏକ ପ୍ରତିକୃତି ଉପହାର ସ୍ୱରୂପ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବାବେଳେ ଜୟ ଯବାନ, ଜାୟ କିଶାନ, ଜୟ ବିଜ୍ଞାନ ସହ ଜୟ ଅନୁସନ୍ଧାନର ନୂଆ ନାରା ଦେଇଥିଲେ। ଏହାସହ ସେ ଚନ୍ଦ୍ରଯାନ-୩ ମିଶନରେ ସାମିଲଥିବା ମହିଳା ବୈଜ୍ଞାନିକମାନଙ୍କୁ ଏଠାରେ ଭେଟିଥିଲେ।

Tags: #Chandrayaan-3 #ISRO #PrimeMinister #Scientists #NationalSpaceDay #India

LEAVE A REPLY

Please enter your comment!
Please enter your name here