ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଓଡ଼ିଶାର କ୍ରୀଡ଼ାବିତ ତଥା କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ। ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଏହି ପୁରସ୍କାର ଦିଆଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
ଚଳିତବର୍ଷ ରାଜ୍ୟର ଯୁବ ସାଇକ୍ଲିଷ୍ଟ ସ୍ଵସ୍ତି ସିଂହକୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ସୁନ୍ଦରଗଡ଼ ସାଇ ଛାତ୍ରାବାସର ହକି କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ପୂର୍ବତନ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଭେଟେରାନ ଫୁଟବଲର ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ମିଳିତ ଭାବେ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ମିଳିବ। ଆସନ୍ତୁ ଜାଣିବା ଏହି କ୍ରୀଡ଼ା ବ୍ୟକ୍ତିତ୍ଵଙ୍କ ଜୀବନ ବାବଦରେ କିଛି ରୋଚକ କଥା।
ସ୍ଵସ୍ତି ସିଂହ

ଭାରତୀୟ ସାଇକ୍ଳିଂ ଜଗତରେ ସ୍ଵସ୍ତି ସିଂହ ହେଉଛନ୍ତି ଜଣେ ଉଦୀୟମାନ ତାରକା। ପିଲା ଦିନରୁ ବିଭିନ୍ନ କ୍ରୀଡ଼ାରେ ରୁଚି ରଖୁଥିବା ସ୍ଵସ୍ତି ଯେ ସାଇକେଲଚାଳନାରେ ଦିନେ ଦେଶରେ ନାଁ କରିବେ ଏକଥା ଚିନ୍ତାକରି ନଥିଲେ। ୨୦୧୫ ମସିହାରେ ରାଉରକେଲା ଇସ୍ପାତ କାରଖାନାର କ୍ରୀଡ଼ା ବିଭାଗ ପକ୍ଷରୁ ହେଉଥିବା ସାଇକ୍ଳିଂ ପ୍ରଶିକ୍ଷଣ କ୍ୟାମ୍ପରେ ଯୋଗ ଦେଇଥିଲେ ସ୍ଵସ୍ତି। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ପ୍ରଫେସନାଲ୍ ସାଇକ୍ଳିଂ କ୍ୟାରିୟର।
ସେହିବର୍ଷ ନଭେମ୍ବର ମାସରେ କଟକରେ ଅନୁଷ୍ଠିତ ୩୮ତମ ରାଜ୍ୟ ସାଇକ୍ଳିଂ ପ୍ରତିଯୋଗିତାରେ ସ୍ଵସ୍ତି ୪ଟି ସ୍ଵର୍ଣ୍ଣପଦକ ଜିତିଥିଲେ। ସେତେବେଳେ ୧୪ ବର୍ଷୀୟା ସ୍ଵସ୍ତି ୧୭ ଓ ୧୯ ବର୍ଷ ବାଳିକା ବର୍ଗରେ ନିଜଠାରୁ ବୟସରେ ବଡ଼ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ। ପରେ ସେ ପଛକୁ ଅନାଇ ଦେଖିନଥିଲେ।
୨୦୧୭ରୁ ସ୍ଵସ୍ତି ଦିଲ୍ଲୀସ୍ଥିତ ଜାତୀୟ ସାଇକ୍ଳିଂ ଏକାଡେମୀକୁ ମନୋନୀତ ହୋଇ ନିଜର ଅଭ୍ୟାସ ଜାରି ରଖିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ସେ ବିଭିନ୍ନ ଅନ୍ତର୍ଜାତୀୟସ୍ତରର ସାଇକ୍ଳିଂ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ, ୨ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଏହାସହ ଜାତୀୟସ୍ତରରେ ୧୯ଟି ପଦକ ହାତେଇଛନ୍ତି ସ୍ଵସ୍ତି। ତାଙ୍କର ଏହି ସଫଳତା ପାଇଁ ସେ ୨୦୨୨ ମସିହାରେ ଏକଲବ୍ୟ ପୁରସ୍କାର ପାଇଥିଲେ।
ପ୍ରଦୀପ କୁମାର ଷଡ଼ଙ୍ଗୀ
ସୁନ୍ଦରଗଡ଼ ସ୍ଥିତ ସାଇ ଛାତ୍ରାବାସର ପ୍ରଶିକ୍ଷକ ପ୍ରଦୀପ କୁମାର ଷଡ଼ଙ୍ଗୀ ହେଉଛନ୍ତି ପ୍ରଦୀପ କୁମାର ଷଡ଼ଙ୍ଗୀ। ୩୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ତଥା ରାଜ୍ୟର ହକି ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ୧୯୬୫ ମସିହାରେ ଢେଙ୍କାନାଳରେ ଜନ୍ମିତ ପ୍ରଦୀପ କୁମାର ଷଡ଼ଙ୍ଗୀ ୧୯୮୨, ୧୯୮୩ ଓ ୧୯୮୪ ମସିହାରେ ଜାତୀୟ ଆନ୍ତଃରାଜ୍ୟ ହକି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ଵ କରିଥିଲେ।
ସେ ୧୯୯୧ ମସିହାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣରୁ ହକି ପ୍ରଶିକ୍ଷଣରେ ଡିପ୍ଲୋମା ହାସଲ କରିଥିଲେ। ପରେ ସେ ୧୯୯୨ ମସିହାରେ ସାଇରେ ପ୍ରଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ହକି ପ୍ରଶିକ୍ଷଣ ଦେଇଛନ୍ତି।
ପ୍ରଦୀପ କୁମାର ଷଡ଼ଙ୍ଗୀ ନିଜ ପ୍ରଶିକ୍ଷକ ଜୀବନରେ ଦୀପଗ୍ରେସ୍ ଏକ୍କାଙ୍କ ଭଳି ଅଲିମ୍ପିଆନ୍ ଏବଂ ରୋଶନ ମିଞ୍ଜଙ୍କ ଭଳି ଜାତୀୟ ଦଳର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେହିପରି ବିକାଶ ଟପୋ, ବେଲସାଜର ହରୋ, ମନଜିତ କୁଲ୍ଲୁ, ସୁମନ ବେକ୍, ସୁଜାତା କୁଜୁର ଏବଂ ସୁନେଲିତା ଟପୋଙ୍କ ଭଳି ଅନ୍ତର୍ଜାତୀୟ ତାରକା ତାଙ୍କଠାରୁ ପ୍ରଶିକ୍ଷଣ ନେଇଛନ୍ତି।
ପ୍ରଦୀପ ତତ୍ତ୍ଵାବଧାନରେ ସାଇ ବାଳିକା ଦଳ ଖେଲୋ ଇଣ୍ଡିଆ ଓ ଜାତୀୟ ଗେମ୍ସରେ ବିଜେତା ହୋଇଥିଲା। ହକି ପ୍ରତି ତାଙ୍କ ଅବଦାନ ପାଇଁ ତାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯିବ।
ରାଜେନ୍ଦ୍ର ପ୍ରସାଦ ସିଂହ
ଓଡ଼ିଶା ଫୁଟବଲ ଜଗତରେ ଏକ ଚର୍ଚ୍ଚିତ ନାଁ ରାଜେନ୍ଦ୍ର ପ୍ରସାଦ ସିଂହ। ସେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଭାରତ ପାଇଁ ୧୭ଟି ମ୍ୟାଚ ଖେଳିଛନ୍ତି। ତାଙ୍କ ନେତୃତ୍ଵରେ ଓଡ଼ିଶା ୧୯୯୪ ମସିହା ସନ୍ତୋଷ ଟ୍ରଫିରେ ସେମିଫାଇନାଲକୁ ଯାଇ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା।
ରାଜେନ୍ଦ୍ର ପ୍ରସାଦ ସିଂହ ୧୯୯୦ ମସିହାରେ କଟକସ୍ଥିତ ସାଇ ଛାତ୍ରାବାସରେ ରହି ଫୁଟବଲ ପ୍ରଶିକ୍ଷଣ ନେଇଥିଲେ। ପରେ ସେ ୧୯୯୭ ମସିହା ଯାଏଁ ଓଡ଼ିଶା ଫୁଟବଲର ନେତୃତ୍ୱ ନେଇଥିଲେ। ଏହାପରେ ୧୯୯୭ରେ ସେ ଓଡ଼ିଶା ଛାଡ଼ି ପଶ୍ଚିମବଙ୍ଗ ପକ୍ଷରୁ ଫୁଟବଲ ଖେଳିଥିଲେ।
ପଶ୍ଚିମବଙ୍ଗର ମୋହନବାଗାନ କ୍ଲବରୁ ତାଙ୍କର କ୍ଲବ ଫୁଟବଲ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାପରେ ୨୦୦୦ ମସିହାରେ ଭାରତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ ରାଜେନ୍ଦ୍ର ପ୍ରସାଦ ସିଂହ। ଫୁଟବଲ୍ରୁ ଅବସର ନେବା ପରେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ଫୁଟବଲ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ସର୍ବଭାରତୀୟ ଫୁଟବଲ୍ ମହାସଂଘର ଉପଦେଷ୍ଠା ମଣ୍ଡଳୀରେ ସଦସ୍ୟ ରହିଥିବାବେଳେ ଓଡ଼ିଶା ଫୁଟବଲର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି।
ପିଟର ତିର୍କୀ

ଭାରତୀୟ ହକିରେ ଓଡ଼ିଶାର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କରିଥିଲେ। ସେ ୧୯୮୨ ମସିହାରେ ମାଲେସିଆରେ ଅନୁଷ୍ଠିତ ଜୁନିୟର ବିଶ୍ଵକପରେ ଭାରତ ପକ୍ଷରୁ ଖେଳିଥିଲେ। ହକିରୁ ଅବସର ନେବାପରେ ସେ ସୁନ୍ଦରଗଡ଼ରେ ହକି ପ୍ରଶିକ୍ଷଣ ଆରମ୍ଭ କରିଥିଲେ।
ସେତେବେଳେ ଓଡ଼ିଶାରେ ହକି ପ୍ରଶିକ୍ଷଣ ପାଇଁ ଭିତ୍ତିଭୂମି ନିର୍ମାଣ ପାଇଁ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କରି ପ୍ରଚେଷ୍ଟାରେ ସୁନ୍ଦରଗଡ଼ରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ପ୍ରତିଷ୍ଠା ହୋଇଥିଲା। ନିଜର ପ୍ରଶିକ୍ଷଣ ଜୀବନରେ ସେ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ହକି ତାରକାଙ୍କୁ ଗଢ଼ିଛନ୍ତି। ହକି ପ୍ରତିଥିବା ତାଙ୍କ ଅବଦାନକୁ ଓଡ଼ିଶା ଆଜି ସମ୍ମାନ ଜଣାଉଛି।
Tags: #NationalSportsDay2023 #BijuPatnaikSportsAwards #SportsPersons #Odisha



















