ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ପିଟର ତିର୍କୀଙ୍କୁ ମିଳିବ ସମ୍ମାନଜନକ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’। ହକି କ୍ଷେତ୍ରରେ ଜୀବନବ୍ୟାପୀ ସାଧନ ନିମନ୍ତେ ପିଟର ତିର୍କୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ରାଜ୍ୟ ସରକାର। ହକି ତାରକା ପିଟର ତିର୍କୀଙ୍କ ଜୀବନ, ସଂଘର୍ଷ ଏବଂ ସଫଳତାକୁ ନେଇ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାରରେ ତାଙ୍କ ବିଷୟରେ ଅଧିକ ଜାଣିବା।

ହକି ହେଉଛି କ୍ରୀଡ଼ା ଜଗତର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ଖେଳ। ଏହି ହକି ଭାରତ ତଥା ଓଡ଼ିଶା ପାଇଁ ଆଣିଛି ଅନେକ ଗର୍ବ ଓ ଗୌରବ। ଆମ ରାଜ୍ୟର ଅନେକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ହୋଇଛନ୍ତି ପ୍ରଶଂସିତ। ନିଜର କ୍ରୀଡ଼ା ପ୍ରତିଭା ବଳରେ ସେମାନେ ହାସଲ କରିଛନ୍ତି ଅନେକ ଉପଲବ୍ଧି। ସେହି ଭଳି ଜଣେ ହକି ଖେଳାଳି ହେଉଛନ୍ତି ପିଟର ତିର୍କୀ, ଯିଏ ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ସ୍ତରରେ ସେ ଧରିଥିଲେ ହକି ଷ୍ଟିକ୍।

ପିଟର ତିର୍କୀ ହକିର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରୁ ବାହାରି ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ। ସେ ନିଜର ପ୍ରତିଭା ବଳରେ ସାଉଁଟିଛନ୍ତି ଅନେକ ସଫଳତା। ଭାରତୀୟ ହକି ଦଳରୁ ଖେଳି ସେ ଓଡ଼ିଶାର ନାମକୁ ଆହୁରି ଗୌରବାନ୍ଵିତ କରିଛନ୍ତି।

ସୁନ୍ଦରଗଡ଼ ମାଟିରୁ ଅନ୍ତର୍ଜାତୀୟ ହକି ପଡ଼ିଆ ପର୍ଯ୍ୟନ୍ତ ପିଟର ତିର୍କୀଙ୍କ କ୍ରୀଡ଼ା ଯାତ୍ରା ଥିଲା ଅତି ସଂଘର୍ଷପୂର୍ଣ୍ଣ। ଓଡ଼ିଶାଲାଇଭକୁ ନିଜର ହକି ଯାତ୍ରା, ହକିକୁ ନେଇ ତାଙ୍କର ରହିଥିବା ବିଶେଷ ଅନୁଭୂତି ଏବଂ ବ୍ୟକ୍ତିଗତ ଜୀବନ ଉପରେ ଚର୍ଚ୍ଚା କରିଛନ୍ତି ପିଟର ତିର୍କୀ।

ଅନ୍ତର୍ଜାତୀୟ ହକିରେ ଆସିବା ପୂର୍ବରୁ ପିଟରଙ୍କ ପିଲାଦିନର ଜୀବ ଥିଲା ବେଶ ସଂଘର୍ଷମୟ। ନିଜର ପିଲାଦିନର ହକି ଖେଳକୁ ନେଇ ପିଟର ତିର୍କୀ କହିଛନ୍ତି, “ପିଲାଦିନେ ଆମ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଆରମ୍ଭରେ ମୁଁ ବାଉଁଶ କିମ୍ବା କେନ୍ଦୁ ବାଡ଼ିରେ ହକି ଷ୍ଟିକ ବନେଇ ହକି ଖେଳୁଥିଲି। ସ୍କୁଲ ଓ ନାସନାଲ କ୍ୟାମ୍ପରେ ମୋର ଯେତେବେଳେ ଚୟନ ହୋଇଥିଲା ମୋ ପାଖରେ ଭଲ ଷ୍ଟିକଟିଏ ନଥିଲା। ମୁଁ ୩ ବର୍ଷ ଯାଏଁ ମୋ ସାଙ୍ଗଠୁ ଷ୍ଟିକ ଓ ଜୋତା ମାଗି କରି ଖେଳିଥିଲି।”

ପିଟର ତିର୍କୀଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ସବଡ଼େଗା ବ୍ଲକର ରାସରାଜ ପୁର ଗାଁରେ ହୋଇଥିଲା। ପିଲାଟି ଦିନରୁ ସେ ହକି ଖେଳିବା ପାଇଁ ବହୁତ ଆଗ୍ରହୀ ଥିଲେ। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ସତ୍ଵେ ସେ ସ୍କୁଲ ସ୍ତରରେ ହକି ଖେଳିବା ଆରମ୍ଭ କରିଥିଲେ।୧୯୮୦ ମସିହାରେ ନାସନାଲ ଚାମ୍ପିୟନସିପରେ ଖେଳିବା ପାଇଁ ଓଡ଼ିଶା ଦଳରେ ତାଙ୍କର ଚୟନ ହୋଇଥିଲା। ଏଠାରୁ ତାଙ୍କର ଅନ୍ତର୍ଜାତୀୟ ସ୍ତରରେ ହକି ଖେଳିବାର ଦ୍ଵାର ଖୋଲିଯାଇଥିଲା।

ଭାରତୀୟ ଦଳର ଅନ୍ୟତମ ମହାନ ହକି ଖେଳାଳି ମାଇକେଲ କିଣ୍ଡୋଙ୍କ ଖେଳ ପିଟର ତିର୍କୀଙ୍କୁ ଦେଇଥିଲା ପ୍ରେରଣା। ପିଟର ତିର୍କୀ କହିଛନ୍ତି,  “ଭାରତୀୟ ହକିରେ ମାଇକେଲ କିଣ୍ଡୋ ଥିଲେ ଜଣେ ମହାନ୍ ଡିଫେଣ୍ଡର। ସେ ଓଡ଼ିଶା ଆସିବା ପରେ ଏଠାକାର ହକିକୁ ଏକ ନୂଆ ଦିଗ ଦେଇଥିଲେ। ସେ ଓଡ଼ିଶା ହକି ଦଳରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ଖେଳିବା ପାଇଁ ମତେ ସୁଯୋଗ ଦେଇଥିଲେ। ତାଙ୍କଠାରୁ ପ୍ରେରଣା ପାଇ ମୁଁ ମଧ୍ୟ ଭଲ ଡିଫେଣ୍ଡିଂ କରିବା ଆରମ୍ଭ କରିଥିଲି।”

ଅନ୍ତର୍ଜାତୀୟ ହକିରୁ ଅବସର ନେବାପରେ ପିଟର ତିର୍କୀ ହକି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ତାଙ୍କଠାରୁ ତାଲିମ ପାଇ ଓଡିଶାରୁ ଅନେକ ଖେଳାଳି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ହକି ଖେଲିଛନ୍ତି। ନିଜ ଖେଳ ପାଇଁ ସେମାନେ ଓଡ଼ିଶା ପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ। ପିଟର ତିର୍କୀ ନିଜର ହକି ଖେଳ ଓ ପ୍ରଶିକ୍ଷଣ ପାଇଁ ଅନେକ ସ୍ଥାନରୁ ସମ୍ମାନିତ ହୋଇଛନ୍ତି।

Tags: #PeterTirkey #InternationalHockeyplayer #Hockey #IndianHockeyTeam

LEAVE A REPLY

Please enter your comment!
Please enter your name here