ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରେ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ସମାରୋହ
  • ସ୍ଵସ୍ତି ସିଂହଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଓ ପ୍ରଦୀପ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ
  • ପିଟର ତିର୍କୀ ଓ ରାଜେନ୍ଦ୍ର ସିଂହକୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ସରକାରଙ୍କ ତରଫରୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଥିବା କ୍ରୀଡ଼ା ବ୍ୟକ୍ତିତ୍ଵମାନଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଚଳିତବର୍ଷ କ୍ରୀଡ଼ା ଦିବସରେ ରାଜ୍ୟର ଉଦୀୟମାନ ସାଇକ୍ଲିଷ୍ଟ ସ୍ଵସ୍ତି ସିଂହଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ମିଳିଛି। ସୁନ୍ଦରଗଡ଼ସ୍ଥିତ ‘ସାଇ’ ଏକାଡେମୀର ହକି କୋଚ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ ମିଳିଛି। ସେହିପରି ପୂର୍ବତନ ହକି ଖେଳାଳି ପିଟର ତିର୍କୀ ଓ ଭେଟେରାନ ଫୁଟବଲର ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ସବିତା ଟୋପ୍ପୋଙ୍କୁ ଶ୍ରେଷ୍ଠ ଉଦୀୟମାନ ଆଥଲେଟ ପୁରସ୍କାର ମିଳିଛି। ସେହିପରି ପାରା ବ୍ୟାଡମିଣ୍ଟନ ଖେଳାଳି ଦୀପ ରଞ୍ଜନ ବ‌ିଶୋଇଙ୍କୁ ଶ୍ରେଷ୍ଠ ପାରା ଆଥ‌ଲେଟ, ଅଜୟ ଦାସଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ, ବିଗ୍ରେଡିୟର୍‌ ବିଭୁ କଲ୍ୟାଣ ନାୟକଙ୍କୁ ଶ୍ରେଷ୍ଠ ଟେକନିକାଲ୍ ସପୋର୍ଟ ଷ୍ଟାଫ୍ ଏବଂ ଆନନ୍ଦ ଚନ୍ଦ୍ର ନାୟକଙ୍କୁ ରାଜ୍ୟରେ କ୍ରୀଡ଼ା ବିକାଶରେ ବିଶେଷ ଯୋଗଦାନ ଲାଗି ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପିଟର ତିର୍କୀ ଓ ରାଜେନ୍ଦ୍ର କୁମାର ସିଂହଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ସ୍ଵସ୍ତି ସିଂହଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲାବେଳେ ଅନ୍ୟ ସମସ୍ତ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା।

ଅନ୍ୟପଟେ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ତୁଲାଇଥିବାରୁ ଓଡ଼ିଶା ପୁଲିସକୁ ମଧ୍ୟ ଏଠାରେ ପୁରସ୍କୃତ କରାଯାଇଥିଲା। ବିଗତ ବର୍ଷଗୁଡ଼ିକରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଥିବା ରାଜ୍ୟର ୩୮୮ ଖେଳାଳିଙ୍କୁ କାର୍ଯ୍ୟକ୍ରମରେ ମୋଟ ୨ କୋଟି ୨ ଲକ୍ଷ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

“କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟର କ୍ରୀଡ଼ାବିତମାନେ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଅଣୁଛନ୍ତି। ସେମାନେ ଯୁବପିଢ଼ିଙ୍କୁ ବିଭିନ୍ନ କ୍ରୀଡ଼ାରେ ଭଲ କରିବ ପାଇଁ ପ୍ରେରଣା ଦେଉଛନ୍ତି। ଆଗକୁ ଓଡ଼ିଶା ଏକ କ୍ରୀଡ଼ା ଶକ୍ତିରେ ପରିଣତ ହେବ ବୋଲି ମୋର ବିଶ୍ଵାସ”, କହିଛନ୍ତି ନବୀନ ପଟ୍ଟନାୟକ।

ରାଜ୍ୟର ଗୌରବ ବଢ଼ାଇଥିବା କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ଏଠାରେ କୃତଜ୍ଞତା ଜଣାଇଥିଲେ। କ୍ରୀଡ଼ା କ୍ଷେତ୍ରରେ ଆଗକୁ ଆହୁରି ଭଲ କରିବା ପାଇଁ ସେମାନଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳିମାନଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି କ୍ରୀଡ଼ା ଦିବସ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର ଭିନୀଲକ୍ରୀଷ୍ଣା ଏବଂ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #NationalSportsDay2023 #BijuPatnaikSportsAwards #SportsPersons #Odisha

 

Comment