ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବାରୁ ବର୍ଷା କମିଛି। ହେଲେ ଆସନ୍ତା ରବିବାରରୁ ରାଜ୍ୟରେ ପାଣିପାଗ ବଦଳିବ। ସେପ୍ଟେମ୍ବର ୪ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାଦ୍ଵାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଗୁରୁବାର ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଦୁଇଦିନ ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଏହାଫଳରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରା‌ପଡ଼‌ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀର ନିମ୍ନ ଚାପ ରେଖା ଏବେ ତା’ର ସାଧାରଣ ଅବସ୍ଥାନଠାରୁ ଯଥେଷ୍ଟ ଉତ୍ତରକୁ ଯାଇ ହିମାଳୟର ପାଦଦେଶରେ ଅବସ୍ଥାନ କରୁଛି। ଏଥିପାଇଁ ଓଡ଼ିଶାରେ ମୌସୁମୀର ପ୍ରବାହ ଦୁର୍ବଳ ହୋଇ ବର୍ଷା କମିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ପୂର୍ବ ବର୍ଷଗୁଡ଼ିକରେ ରେକର୍ଡ ହୋଇଥିବା ସ୍ୱାଭାବିକ ବର୍ଷା ୭.୯ ମିମି ତୁଳନାରେ ଏହା ୯୮ ପ୍ରତିଶତ କମ ରହିଛି।

Tags: #Monsoon2023 #Rainfall #lowPressure #BayofBengal #MCBBSR #Odisha

LEAVE A REPLY

Please enter your comment!
Please enter your name here