ଓଡ଼ିଶାଲାଇଭ୍ ବ୍ୟୁରୋ
ସୂର୍ଯ୍ୟପୃଷ୍ଠରେ ପାଣିପାଗର ଅଧ୍ୟୟନ କରିବ ଇସ୍ରୋର ସୋଲାର୍ ମିଶନ ଆଦିତ୍ୟ ଏଲ୍-ୱାନ
- କେମିତି ହୁଏ ସୂର୍ଯ୍ୟରେ ଝଡ଼
- କ’ଣ ରୁହେ ପୃଥିବୀ ଉପରେ ପ୍ରଭାବ
- କ’ଣ ରହିଛି ସୂର୍ଯ୍ୟ ରଶ୍ମିର ରହସ୍ୟ
- ଏସବୁ ଉପରେ ଗବେଷଣା କରିବ ଆଦିତ୍ୟ ଏଲ୍-ୱାନ
ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଇସ୍ରୋ ନିଜର ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯାଉଛି। ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ ସୋଲାର ମିଶନ ଆଦିତ୍ୟ ଏଲ୍-ୱାନ। ତେବେ ଆଦିତ୍ୟ ମିଶନକୁ ନେଇ କ’ଣ କହିଛନ୍ତି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ। ଆସନ୍ତୁ ଜାଣିବା।
ଏଲ୍-ୱାନର ଅର୍ଥ କ’ଣ?
ସୂର୍ଯ୍ୟ ପୃଥିବୀ ଠାରୁ ପ୍ରାୟ ୧୫କୋଟି କିଲୋମିଟର ଦୂରରେ ଥିବା ବେଳେ ଆଦିତ୍ୟ ଏଲ୍-ୱାନ ପୃଥିବୀ ଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ରହିବ, ଯେଉଁଠି ରହି ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ ସେ ସ୍ଥାନ ବା ବିନ୍ଦୁକୁ ଏଲ୍(ଲାଗରେଞ୍ଜ) ପଏଣ୍ଟ କୁହାଯାଏ।
ଏଲ୍-ୱାନ ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ନଥାଏ। ତେଣୁ ଅନବରତ ସୂର୍ଯ୍ୟଙ୍କ ପାଖରୁ ଆସୁଥିବା ପ୍ରତିଟି ତଥ୍ୟ ଉପରେ ଅନୁଧ୍ୟାନ କରାଯାଇପାରିବ। ଏଥିସହ ପୃଥିବୀ ସହ ମଧ୍ୟ ଯୋଗାଯୋଗରେ ରହିବ ଆଦିତ୍ୟ ଏଲ୍-ୱାନ।
କେମିତି କାମ କରିବ ଆଦିତ୍ୟ ଏଲ୍-ୱାନ?
ଆଦିତ୍ୟ ଏଲ୍-ୱାନରେ ୭ଟି ବୈଜ୍ଞାନିକ ଯନ୍ତ୍ରପାତି ରହିଛି। ସେଥିରୁ ୪ପ୍ରକାରର ରିମୋର୍ଟ ସେନସିଂ ଯନ୍ତ୍ର ରହିଛି, ଯାହା ସୂର୍ଯ୍ୟଙ୍କ ବିଭିନ୍ନ ସ୍ତରକୁ ଅନୁଧ୍ୟାନ କରିବ। ସୂର୍ଯ୍ୟ ଠାରୁ ନିର୍ଗତ ଶକ୍ତି, ଅତିବାଇଗଣୀ ରଶ୍ମି, ଅନ୍ୟାନ୍ୟ କଣିକା ଏବଂ ଓଜନସ୍ତର ଉପରେ ଗବେଷଣା କରିବ।
କାହିଁକି ହୁଏ ସୂର୍ଯ୍ୟରେ ଝଡ଼?
ପୃଥିବୀ ଭଳି ସୂର୍ଯ୍ୟରେ ମଧ୍ୟ ଅନବରତ ଝଡ଼ ସୃଷ୍ଟି ହୁଏ। ସୂର୍ଯ୍ୟରେ ଥିବା ଚୂମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଆସିଲେ ଝଡ଼ ସୃଷ୍ଟି ହୋଇଥାଏ। ତାକୁ କିଭଳି ପୂର୍ବାନୁମାନ କରିହେବ, ତା ଉପରେ ଅନୁଧ୍ୟାନ କରିବ ଆଦିତ୍ୟ ଏଲ୍-ୱାନ। ଏଥିସହ କେତେ ଦିନ ବ୍ୟବଧାନରେ ହେଉଛି ଝଡ଼, ସେଥିରେ କେତେ ପରିମାଣର କଣିକା ବାହାରୁଛି, କ’ଣ ରହିଛି ତା’ର ପ୍ରଭାବ ସେ ସବୁ ଉପରେ ମଧ୍ୟ ଅଧ୍ୟୟନ କରାଯିବ।
ସୂର୍ଯ୍ୟରେ ଝଡ଼ ହେଲେ ପୃଥିବୀ ଉପରେ କି ପ୍ରଭାବ ପଡ଼େ?
ସୂର୍ଯ୍ୟରେ ଝଡ଼ ସୃଷ୍ଟି ହେଲେ କିଛି କଣିକା ପୃଥିବୀକୁ ଆସିଥାଏ, ଯାହାକି ଆମର ଯୋଗାଯୋଗ ବ୍ୟବସ୍ଥା ବା ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ। ଯଦି ଏହି ଝଡ଼ର ପୂର୍ବାନୁମାନ କରାଯାଏ ତେବେ ଏ ଦିଗରେ ଆଗୁଆ ପଦକ୍ଷେପ ନିଆଯାଇପାରିବ ବୋଲି ମହାକାଶବିଜ୍ଞାନୀ କହିଛନ୍ତି।
Tags: #Aditya-L1 #ISRO #SpaceExploration #SunMission #Science&Technology #India