ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ୍ ଗେମସରୁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ କିଶୋର ଜେନା

ଓଡ଼ିଶା ଫେରିଛନ୍ତି ଜାଭିଲିନ୍ ତାରକା କିଶୋର କୁମାର ଜେନା। ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିଲେ କିଶୋର। ଶୁକ୍ରବାର ସେ ଭୁବନେଶ୍ୱର ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଶ୍ୱ ଆଥଲେଟିକ୍ସରେ ଭଲ ପ୍ରଦର୍ଶନ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ରିଲାଏନ୍ସ ଫାଉଣ୍ଡେସନ ଏଚପିସିକୁ କୃତଜ୍ଞତା ଜଣାଇଛନ୍ତି କିଶୋର।

“ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରତ୍ୟେକ ପ୍ରତିଯୋଗୀ ମୋର ପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ମୁଁ ନିଜେ ମୋର ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ। କିଏ କେତେ ବାଟ ଥ୍ରୋ କରୁଛି ଚିନ୍ତା କରିବା ଅପେକ୍ଷା ମୁଁ ନିଜେ କିଭଳି ଶ୍ରେଷ୍ଠ ପ୍ରଦର୍ଶନ କରିବି ତାହା ଉପରେ ସବୁବେଳେ ଗୁରୁତ୍ୱ ଦେବି”, କହିଛନ୍ତି କିଶୋର କୁମାର ଜେନା।https://cutm.ac.in/

ଏସିଆନ୍ ଗେମସରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି କିଶୋର। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କଲେ ବିଦେଶରେ ଯାଇ ଅଧିକ ପ୍ରଶିକ୍ଷଣ ନେବା ତାଙ୍କ ଆଶା।

“ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପ୍ରଥମ ଥର ପାଇଁ ଭାଗ ନେଇଥିବାରୁ ଯୋଗ୍ୟତା ପର୍ଯ୍ୟାୟରେ ଚାପ ଅନୁଭବ କରିଥିଲି। କିନ୍ତୁ ବିଶ୍ୱ ଚାମ୍ପିଅନ୍ ଜାଭିଲିନ୍ ଆଥଲେଟ ନୀରଜ ଚୋପ୍ରାଙ୍କ ସହ କଥା ହେବା ଦ୍ୱାରା ଚାପ ଟିକେ କମ୍ ହୋଇଥିଲା। ଫାଇନାଲରେ ପ୍ରବେଶ କରିବା ପରେ ଆତ୍ମବିଶ୍ୱାସ ବଢିଥିଲା। ଏବେ ଆଉ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ସମୟରେ ମନରେ ଭୟ ଆସିବନି”, କହିଛନ୍ତି କିଶୋର।

ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ କିଶୋର ଭଲ ପ୍ରଦର୍ଶନ କରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଲକ୍ଷ ଟଙ୍କାର ପୁରସ୍କାରରାଶି ଘୋଷଣା କରାଯାଇଥିଲା।

Tag: #Odisha #Sports #AthleticsHPC #OdishaForSports #Javelin #KishoreKumarJena

LEAVE A REPLY

Please enter your comment!
Please enter your name here