ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର, ଜଗତସିଂହପୁର ଓ ସୁବର୍ଣ୍ଣପୁରରେ ଖୋଲିଲା ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ନୂଆ ଗ୍ରାସରୁଟ ସେଣ୍ଟର
ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସେଣ୍ଟର (ଏଚପିସି) ପକ୍ଷରୁ ନବରଙ୍ଗପୁର, ଜଗତସିଂହପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ତିନିଟି ନୂଆ ତୃଣମୂଳ ହକି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ପ୍ରକଳ୍ପ ନିର୍ଦେଶକ ରାଜୀବ ସେଠ୍ ଓ ୩ଟି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।
ଏଲିଟ୍ ଶ୍ରେଣୀର ହକି ଖେଳାଳି ସୃଷ୍ଟି କରୁଥବା ଓଡ଼ିଶା ନାଭାଲ ଟାଟା ହକି ଏଚପିସି ଅଧୀନରେ ଏହି କେନ୍ଦ୍ରଗୁଡ଼ିକ ପରିଚାଳିତ ହେବ। “ଉନ୍ନତମାନର ପ୍ରଶିକ୍ଷଣ ସହ ତୃଣମୂଳସ୍ତରରୁ ଉଦୀୟମାନ ପ୍ରତିଭାଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ”, କହିଛନ୍ତି ଦିଲ୍ଲୀପ ତିର୍କୀ।
“ଏହି କେନ୍ଦ୍ରଗୁଡ଼ିକର ସମ୍ପ୍ରସାରଣ ଓଡ଼ିଶାରେ ହକିର ଭବିଷ୍ୟତକୁ ଉଜ୍ୱଳ କରିବ’’, କହିଛନ୍ତି କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ।
୨୦୧୯ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡ଼ିଶା ନାଭାଲ ଟାଟା ହକି ଏଚପିସିରେ ଖେଳାଳମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ପ୍ରଶିକ୍ଷଣ ଦିଆଯାଉଛି। ବର୍ତ୍ତମାନ ରାଜ୍ୟର ୧୨ଟି ଜିଲ୍ଲାରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ୨୮ଟି ଗ୍ରାସରୁଟ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି।
Tags: #OdishaNavalTataHPC #Odisha #Hockey #KalingaStadium


















