ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା
  • ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଚାଲିଥିଲା ଶୁଣାଣି
  • ୨୦ରୁ ଅଧିକ ଆବେଦନରେ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣିଲେ ଖଣ୍ଡପୀଠ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ। ୧୬ ଦିନ ଧରି ଶୁଣାଣି ହେବାପରେ ମଙ୍ଗଳବାର ଏହି ମାମଲାରେ ରାୟ ସଂରକ୍ଷିତ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୨୦ରୁ ଅଧିକ ଆବେଦନ କରାଯାଇଥିଲା। ଏଥିରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିବାକୁ ଦାବି କରାଯାଇଥିଲା।

ଏହି ମାମଲାରେ ମୁଖ୍ୟ ଆବେଦନକାରୀ ମହମ୍ମଦ ଆକବର ଲୋନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ପରିଚାଳନା କରିଥିଲେ। ଏହାସହ ରାଜୀବ ଧୱନ, ଗୋପାଳ ସୁବ୍ରମଣ୍ୟମ, ଜାଫର ଶାହାଙ୍କ ଭଳି ଅନେକ ବରିଷ୍ଠ ଆଇନଜୀବୀ ଧାରା ୩୭୦ ଉଚ୍ଛେଦ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଲଢ଼ିଥିଲା।

ସେମାନେ ଯୁକ୍ତି କରିଥିଲେ ଯେ ଏକ ବିଶେଷ ପରିସ୍ଥିତିରେ ଜମ୍ମୁ କଶ୍ମୀର ଭାରତରେ ମିଶିଥିଲା। ଏହାକୁ ଏକ ଭିନ୍ନ ମାନ୍ୟତା ମିଳିଥିଲା। ରାଜ୍ୟରେ ଏକ ପୃଥକ ସମ୍ବିଧାନ ସଭା ଥିଲା, ଯାହାର କାର୍ଯ୍ୟ ୧୯୫୭ ମସିହାରେ ସରିଥିଲା। ଭାରତୀୟ ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି କେବଳ ଜମ୍ମୁ କଶ୍ମୀରର ବିଧାନସଭାର ସମ୍ମତି କ୍ରମେ ନିଆଯାଇପାରିଥାନ୍ତା। ତେଣୁ ସଂସଦର ନିଷ୍ପତ୍ତି ଆଇନଗତ ଭାବେ ଭୁଲ୍ ବୋଲି ଆଇନଜୀବୀମାନେ ମତ ରଖିଥିଲେ।

ଅନ୍ୟପଟେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟୋର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣ, ସଲିସିଟର ଜେନେରାଲ ତୁଷାର ମେହେତା, ଆଇନଜୀବୀ ହରିଶ ସାଲେଭେ, ରାକେଶ ଦ୍ଵିବେଦୀ ପ୍ରମୁଖ ପକ୍ଷ ରଖିଥିଲେ। ଧାରା ୩୭୦ ଉଚ୍ଛେଦ ପାଇଁ ଭାରତୀୟ ସମ୍ବିଧାନର କୌଣସି  ଉଲଂଘନ ହୋଇନଥିବା ସେମାନେ ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ।

ଏହି ମାମଲାର ଶୁଣାଣିବେଳେ ଆବେଦନକାରୀଙ୍କ ଓକିଲମାନଙ୍କ ଯୁକ୍ତି ସହ ସାମ୍ବିଧାନିକ ଖଣ୍ଡପୀଠର ବିଚାରପତିମାନେ ସହମତ ହୋଇନଥିବା ଦେଖିବାକୁ ମିଳିଥିଲା। ଧାରା ୩୭୦କୁ ସ୍ଥାୟୀ ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ ବୋଲି ଖଣ୍ଡପୀଠ ନିଜର ମତ ଦେଇଥିଲେ।

ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିସନ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବି ଆର ଗୱାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଥିଲେ।

୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ସଂସଦରେ ଧାରା ୩୭୦ ଅଧୀନରେ ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପାଇଁ ଏକ ବିଲ୍ ପାରିତ ହୋଇଥିଲା। ଏହାସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Tags: #Article370 #JammuKashmir #SupremeCourt #India

LEAVE A REPLY

Please enter your comment!
Please enter your name here