ଓଡ଼ିଶାଲାଇଭ୍ ବ୍ୟୁରୋ
- ଅମର୍ଦ୍ଦା ଏୟାରଷ୍ଟ୍ରିପରୁ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ବିମାନସେବା
- କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର
- ଭୁବନେଶ୍ଵର ଓ କୋଲକାତାକୁ ବିମାନ ଚଳାଚଳ ପାଇଁ ଯୋଜନା
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାରଷ୍ଟ୍ରିପରେ ଭିତ୍ତିଭୂମିର ବିକାଶ ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି। ଅମର୍ଦ୍ଦା ଏୟାରଷ୍ଟ୍ରିପ ‘ଉଡ଼ାଣ’ ଯୋଜନାରେ ସାମିଲ ହେବାପରେ ଏଠାରୁ ବିମାନ ଚଳାଚଳ ଯୋଜନା ରହିଛି।
ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ଏଟିଆର ୭୨ ବିମାନ ପରିଚାଳନା କରିବା ପାଇଁ ବିକଶିତ କରାଯିବ। ଏଠାରେ ଏକ ଟର୍ମିନାଲ ବିଲ୍ଡିଂର ନିର୍ମାଣ ସହ ରନଓ୍ୱେର ପୁନର୍ବିକାଶ କରାଯିବ। ୨୦୨୩ ଶେଷ ସୁଦ୍ଧା ଏହି ଏୟାରଷ୍ଟ୍ରିପର କାମ ସରିବ ବୋଲି ଲକ୍ଷ୍ୟ ରଖାଯାଇଛି।
ଅମର୍ଦ୍ଦାରୁ ‘ଉଡ଼ାଣ’ ରିଜିଓନାଲ କନେକ୍ଟିଭିଟି ସ୍କିମ୍ ଅଧୀନରେ ଭୁବନେଶ୍ଵର ଓ କୋଲକାତାକୁ ବିମାନ ଚଳାଚଳ କରିବ। ଏହି ବିମାନ ଯାତ୍ରା ପାଇଁ ଟିକେଟର ମୂଲ୍ୟ ମଧ୍ୟ କମ ରହିବ।
ଏହି ଏୟାରଷ୍ଟ୍ରିପଟି ଭୁବନେଶ୍ୱରରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ରହିଛି। ଏହା ଦ୍ୱାରା ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ହେବା ସହ ମୟୂରଭଞ୍ଜବାସୀଙ୍କୁ ବିମାନ ଯାତ୍ରାର ସୁବିଧା ମିଳିବ ବୋଲି ଆଶା କରାଯାଉଛି।
ଭାରତରେ ବିମାନସେବାକୁ ବ୍ୟାପକ କରିବାପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରେ ‘ଉଡ଼ାଣ’ ଯୋଜନା କାର୍ଯ୍ୟକାରୀ କରିଥିଲେ। ଦେଶର ଟିୟର ୨ ଓ ଟିୟର ୩ ସହରରୁ ଅନ୍ୟ ବଡ଼ ବଡ଼ ସହରକୁ ଏହି ଯୋଜନା ଅନ୍ତର୍ଗତ ବିମାନ ଚଳାଚଳ କରାଯାଉଛି। ସବୁ ଲୋକଙ୍କ ବିମାନ ଯାତ୍ରାକୁ ଶସ୍ତା ଓ ସୁଗମ କରିବା ଏହାର ଲକ୍ଷ୍ୟ ରହିଛି।
Tags: #AmardaAirstrip #UDANScheme #RegionalConnectivity #AirServices #Mayurbhanj #Odisha