ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଆନ ସମିଟରେ ଭାରତ ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ମଧ୍ୟରେ ସହଭାଗିତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵାରୋପ।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ସମିଟରେ ଯୋଗ ଦେଇଛନ୍ତି। ଗୁରୁବାର ସେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏହି ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସମ୍ମିଳନୀରେ ସାମିଲ ହୋଇଥିଲେ। ସେ ଏଠାରେ ହୋଇଥିବା ୨୦ତମ ଆସିଆନ-ଇଣ୍ଡିଆ ମିଟିଂରେ ଭାରତର ପ୍ରତିନିଧିତ୍ଵ କରିଥିଲେ।
“ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ। ଏବେ ବିଶ୍ଵର ଅର୍ଥନୈତିକ ପ୍ରଗତିରେ ଏସୀୟ ଦେଶମାନଙ୍କର ଯୋଗଦାନ ଅତି ଗୁରୁତ୍ଵପୂର୍ଣ୍ଣ ହୋଇଛି। ଆଗକୁ ଏହା ବିକାଶର କେନ୍ଦ୍ରସ୍ଥଳ ପାଲଟିବ। ଭାରତ ଓ ଆସିଆନ ଦେଶମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ିଚାଲିଛି। ଆମର ଆକ୍ଟ ଇଷ୍ଟ ପଲିସି ମାଧ୍ୟମରେ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କ ସହ ଭାରତର ସମ୍ପର୍କ ଆହୁରି ନିବିଡ଼ ହୋଇଛି। ଆମେ ସବୁ କ୍ଷେତ୍ରରେ ମିଳିମିଶି କାମ କରି ପ୍ରଗତି ପାଇଁ ନୂଆ ସଂକଳ୍ପ ନେବାର ଆବଶ୍ୟକତା ରହିଛି”, କହିଛନ୍ତି ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ଗୁରୁବାର ସକାଳେ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିଥିଲେ। ଇଣ୍ଡୋନେସିଆର ମହିଳା ସଶକ୍ତିକରଣ ମନ୍ତ୍ରୀ ଆଇ.ଗୁସ୍ତି ଆୟୁ ବିନତାଙ୍ଗ ତାଙ୍କୁ ସ୍ଵାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସ୍ଵାଗତ ପାଇଁ ବିମାନବନ୍ଦରରେ ସାଂସ୍କୃତିକ ନୃତ୍ୟ ପରିବେଶଣ କରାଯାଇଥିଲା।
ଏହାପରେ ପ୍ରଧାନମନ୍ତ୍ରୀ ନିଜ ହୋଟେଲକୁ ଯାଇ ସେଠାରେ ଅପେକ୍ଷାରତ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଜାକର୍ତ୍ତାରେ ଆସିଆନ ସମିଟରେ ଯୋଗଦେବା ପରେ ଏଠାରେ ହେଉଥିବା ‘ଇଷ୍ଟ ଏସିଆ’ ସମିଟରେ ମଧ୍ୟ ଯୋଗ ଦେଇଥିଲେ। ଭାରତ ଓ ଏସୀୟ ଦେଶମାନଙ୍କ ମଧ୍ୟରେ ରଣନୈତିକ ଭାଗୀଦାରି ଉପରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଗୁରୁତ୍ଵ ଦେଇଥିଲେ।
ଆସିଆନ ସମିଟରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋ କୋ ୱିଡୋଡୋ, ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଭଳି ବରିଷ୍ଠ ରାଷ୍ଟ୍ରନେତାଙ୍କ ସାକ୍ଷାତ କରିଥିଲେ।
ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିଆସିବେ। ଜି-୨୦ ସମ୍ମିଳନୀ ପୂର୍ବରୁ ଶୁକ୍ରବାର ସେ ଅନେକ ରାଷ୍ଟ୍ରମୁଖ୍ୟଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
Tags: #PrimeMinisterofIndia #NarendraModi #ASEANSummit #ForeignRelations #Indonesia