ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁ ସାହିତ୍ୟିକ ପ୍ରଶାନ୍ତ ମଙ୍ଗରାଜଙ୍କ ଲିଖିତ ଶିଶୁ ଉପନ୍ୟାସ ‘କୁନିବଣି’ ଏବଂ କନ୍ନଡ଼ ଭାଷାରୁ ତାଙ୍କ ଦ୍ୱାରା ଅନୂଦିତ ଶିଶୁ ଉପନ୍ୟାସ ‘ମୁଁ ବି ଆମ୍ବେଡ଼କର’ ପୁସ୍ତକ ଉନ୍ମୋଚିତ ହୋଇଛି। ରବିବାର ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀ ସଭାଗୃହରେ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ବୀରେନ୍ଦ୍ର ମହାନ୍ତି, ବିଶେଷ ଅତିଥି ଭାବେ କନ୍ନଡ ଭାଷା ପାଇଁ ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଏଚ.ଏସ. ବ୍ୟାକୋଡ ଯୋଗ ଦେଇଥିଲେ।

ଉତ୍ସବ ଆରମ୍ଭରେ ବିଶିଷ୍ଟ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ୍ୟ ‘କୁନିବଣି’ ଏକ ଯୁଗସ୍ରଷ୍ଟା ଶିଶୁ ଉପନ୍ୟାସ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଲେଖକ ବୀରେନ୍ଦ୍ର ମହାନ୍ତି ଶିଶୁ ଉପନ୍ୟାସ ଅଧିକରୁ ଅଧିକ ଲିଖନ ପାଇଁ ପରାମର୍ଶ ଦେଇଥିଲେ।

ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ସନାତନ ପଣ୍ଡା ଶିଶୁ ଉପନ୍ୟାସକୁ ବିଦ୍ୟାଳୟରେ ଅଧିକରୁ ଅଧିକ ପାଠକ ପ୍ରିୟ କରିବା ପାଇଁ ଆହ୍ଵାନ ଦେଇଥିବା ବେଳେ ମୁଖ୍ୟବକ୍ତା ତଥା ଶିଶୁ-ସାହିତ୍ୟିକ ଦାଶ ବେନହୁର ଶିଶୁ ସାହିତ୍ୟ ଆଜିକାଲି ପାଠକାଦୃତ ହେଉଥିବା ବ୍ୟକ୍ତ କରିଥିଲେ ଏବଂ ଏହା ପିଲାଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

ସଭାମୁଖ୍ୟ ତଥା ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଶିଶୁ ସାହିତ୍ୟ ଏବଂ ସମାଜ ଗଠନରେ ଶିଶୁ ଉପନ୍ୟାସର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ‘କୁନିବଣି’ ଭଳି ଏକ ଭଲ ଉପନ୍ୟାସକୁ ଉପହାର ଦେବା ନିମନ୍ତେ ସମସ୍ତଙ୍କୁ କହିଥିଲେ ।

ବିଶେଷ ଅତିଥି ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଏଚ.ଏସ. ବ୍ୟାକୋଡ଼ ଆଞ୍ଚଳିକ ଭାଷାରେ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଅନୁବାଦଧର୍ମୀ ଲିଖନ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ କନ୍ନଡ ଭାଷାରୁ ଓଡ଼ିଆକୁ ପ୍ରଥମଥର ପାଇଁ ଶିଶୁ ଉପନ୍ୟାସ ଅନୁବାଦିତ ହୋଇଥିବାରୁ ଅନୁବାଦକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମୀକ୍ଷକ ଡକ୍ଟର ହେମନ୍ତ କୁମାର ଛୋଟରାୟ ଉନ୍ମୋଚିତ ଉପନ୍ୟାସ ଦ୍ୱୟ ଓଡ଼ିଆ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବ ବୋଲି ମତପ୍ରକାଶ କରିଥିବାବେଳେ ‘କୁନିବଣି’କୁ ସମୀକ୍ଷା କରି ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ତାହା ଶିଶୁ ପ୍ରିୟ ଓ ଶିଶୁ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍ସବର ପ୍ରାରମ୍ଭରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଓ ସୁଶ୍ରୀ ନଳିନୀପ୍ରଭା ଦାଶଙ୍କ ସଂଯୋଜନାରେ ଶିଶୁ-କିଶୋର କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଶିଶୁ ସାହିତ୍ୟିକ ଡକ୍ଟର ଶରତ କୁମାର ବିଶ୍ଵାଳ ସଭାପତିତ୍ୱ କରିଥିଲେ। ୬୦ରୁ ଊର୍ଦ୍ଧ୍ଵ କବି ସ୍ଵରଚିତ ଶିଶୁ କବିତା ପାଠ କରିଥିଲେ।

ଏହି ଅବସରରେ କନ୍ନଡ ଭାଷାର ଶିଶୁ ସାହିତ୍ୟିକ ତଥା ଆନ୍ତର୍ଜାତିକ ବନ୍ୟପ୍ରାଣୀ ଫଟୋଗ୍ରାଫର ଏଚ.ଏସ. ବ୍ୟାକୋଡ, ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜ୍ଞାନ ଲେଖକ ହିମାଂଶୁ ଶେଖର ଫତେସିଂହଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ଶିଶୁ-ପ୍ରତିଭା ଶେଖର କୁମାର ସ୍ଵାଇଁ, ବିଜୟଲକ୍ଷ୍ମୀ ସାହୁ, କୁମାରୀ ରତ୍ନମଞ୍ଜରୀ ବାରିକଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଏଚ.ଏସ. ବ୍ୟାକୋଡଙ୍କ କନ୍ୟା ଯମୁନେଶ୍ୱରୀ ଉନ୍ମୋଚିତ ପୁସ୍ତକର ମୂଳ କନ୍ନଡ଼ ବହିଟି ମୈତ୍ରୀ ମିଶନକୁ ପ୍ରଦାନ କରିଥିବା ବେଳେ, ମୈତ୍ରୀ ମିଶନ ତରଫରୁ ତାଙ୍କୁ ଓଡ଼ିଆ ଅନୁବାଦଟି ପ୍ରଦାନ କରାଯାଇଥିଲା।

ଉନ୍ମୋଚିତ ବହି ଦୁଇଟିକୁ ନେଇ ଲେଖକ ପ୍ରଶାନ୍ତ କୁମାର ମଙ୍ଗରାଜ ନିଜ ଲେଖକୀୟ ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯକ୍ରମର ସଫଳତା ନିମନ୍ତେ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମଟିକୁ ‘ଶିଶୁ କିଶୋର ସୃଜନୀ-ସଖା ଆସର’ ତରଫରୁ ଆୟୋଜନ କରାଯାଇଥିଲା।

Tags: #OdiaLiterature #JuvenileLiterature #OdiaNovel #Odisha

Comment