ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇକରେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଥିଲେ ଏଣିକି ସିଧା ଯିବେ କୋର୍ଟ
ଆପଣଙ୍କ ବାଇକରେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏଣିକି ଆଉ ପୋଲିସକୁ ଫାଇନ୍ ଦେବେନି, ସିଧା ଯିବେ କୋର୍ଟ। ଏଭଳି କଡ଼ା ନିର୍ଦେଶ ସହ ରାଜଧାନୀ ରାଜରାସ୍ତାରେ ଶବ୍ଦ ପ୍ରଦୂଷଣକାରୀ ବାଇକକୁ ଖୋଜୁଛି ପୋଲିସ।
ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ ସହ ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଉଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ। ଏଥର ଆଉ ଫାଇନ୍ ନୁହେଁ, ସିଧା କୋର୍ଟ ଚାଲାଣ। ରାସ୍ତାରେ ଏସବୁ ବାଇକକୁ ଗୋଡ଼ାଇ ଗୋଡ଼ାଇ ଧରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। “ଦୁଇ ଦିନ ଭିତରେ ଭୁବନେଶ୍ୱରରେ ଏଭଳି ଉଚ୍ଚ ଶବ୍ଦକାରୀ ସାଇଲେନ୍ସର ଲଗାଇ ବୁଲୁଥିବା ୭୦ରୁ ଅଧିକ ବାଇକକୁ ଜବତ କରାଯାଇଛି। ଏହାସହ ସମସ୍ତ ବାଇକ ଚାଳକଙ୍କୁ ନୋଟିସ ମଧ୍ୟ କରାଯାଇଛି। ଏପରିକି ଯେଉଁ ଦୋକାନୀ ସାଇଲେନ୍ସର ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ଖୁବଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” କହିଛନ୍ତି ଟ୍ରାଫିକ ଏସିପି ଜୟନ୍ତ ଦୋରା।
ଅନ୍ୟପଟେ ଜବତ ହୋଇଥିବା ବାଇକ ନେବାକୁ ଆସି ନିରାଶ ହୋଇଛନ୍ତି ଚାଳକ। ଟ୍ରାଫିକ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଶବ୍ଦ ପ୍ରଦୂଷଣକାରୀ ବାଇକ ଚାଳକଙ୍କ ମୁଣ୍ଡରେ ବୁଦ୍ଧି ପଶିଛି। ଆଉ ଏମିତି ଭୁଲ୍ ହେବ ନାହିଁ ବୋଲି କହିଛନ୍ତି ବାଇକ ଚାଳକ।
Tags: #Odisha #CommissioneratePolice #ACPTraffic #DCPBBSR #NoisyBike