ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୯ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର। ଏଠାରେ କିଛି ନୂଆ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଭୁବନେଶ୍ଵର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଓଡ଼ିଶାରେ ସବୁ ସ୍ଥାନରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ‘ଲୋକେସନ ଆକ୍ସେସିବୁଲ୍ ମଲ୍ଟି ମଡେଲ ଇନିସିଏଟିଭ’ (ଲକ୍ଷ୍ମୀ) ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିରେ ରାଜଧାନୀ ଭୁବନେଶ୍ଵରରୁ ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକୁ ସୁବିଧାଜନକ ପରିବହନର ବ୍ୟବସ୍ଥା କରାଯିବ।
ସେହିପରି ରାଜ୍ୟରେ ପେନସନ ବ୍ୟବସ୍ଥାର ସରଳୀକରଣ କରିବା ପାଇଁ ଓସିଏସ ପେନସନ ନିୟମରେ ସଂଶୋଧନ କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।
ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଦରକୁଲିଠାରେ ବୁଢ଼ାବଳଙ୍ଗ ନଦୀରେ ଏକ ଆନିକଟ ନିର୍ମାଣ କରିବାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ୧୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଅନ୍ୟପଟେ କ୍ୟାବିନେଟ ବୈଠକରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଓଡ଼ିଶା ସରକାର ୭୯ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ। ଏହାସହ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଛି।
ସେହିପରି ରାଜ୍ୟ ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଓଡ଼ିଶାରେ ଥିବା ସବୁ ଟୋଲ୍ ଗେଟ୍ ଉଚ୍ଛେଦ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। 
ଶୁକ୍ରବାର କ୍ୟବିନେଟ ବୈଠକ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଠାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା।
Tags: #CabinetMeeting #Govtproposals #StateCabinet #CMNaveenPatnaik #Odisha


















