ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୃଥିବାର ଚତୁର୍ଥ କକ୍ଷପଥକୁ ସଫଳତାର ସହ ପାର କଲା ‘ଆଦିତ୍ୟ ଏଲ୍-ୱାନ’
  • ଏବେ ପଞ୍ଚମ କକ୍ଷରେ ପୃଥିବୀର ଚକ୍କର କାଟୁଛି ସ୍ପେସକ୍ରାଫ୍ଟ
  • ଏଲ୍-ୱାନ ପଏଣ୍ଟକୁ ଯାତ୍ରା ପାଇଁ ଲାଗିବ ୪ ମାସ ସମୟ

ଇସ୍ରୋର ସୋଲାର ମିଶନ ‘ଆଦିତ୍ୟ ଏଲ୍-ୱାନ’ ସୂର୍ଯ୍ୟର ଅଧ୍ୟୟନ କରିବା ପାଇଁ ନିଜର ଲକ୍ଷ୍ୟ ସ୍ଥଳକୁ ଯାତ୍ରା ଜାରି ରଖିଛି। ଏବେ ଏହି ସ୍ପେସକ୍ରାଫ୍ଟ ସଫଳତାର ସହ ପୃଥିବୀର ଚତୁର୍ଥ କକ୍ଷପଥକୁ ପାର କରିଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ଗୁରୁବାର ରାତି ୨ଟା ୧୫ ସମୟରେ ପୃଥିବୀର ଚତୁର୍ଥ କକ୍ଷପଥ ପାର କରି ପଞ୍ଚମ କକ୍ଷକୁ ଯାଇଥିଲା। ବେଙ୍ଗାଳୁରୁର ଆଇଏସଟିଆରଏସି କେନ୍ଦ୍ରରୁ ଏହି କକ୍ଷପଥ ପରିବର୍ତ୍ତନ ପାଇଁ ନିର୍ଦେଶ ଦିଆଯାଇଥିଲା।

‘ଆଦିତ୍ୟ ଏଲ୍-ୱାନ’ କକ୍ଷ ପରିବର୍ତ୍ତନ କଲାବେଳେ ଏହାକୁ ପୋର୍ଟ ବ୍ଲେୟାର, ବେଙ୍ଗାଳୁରୁ ଏବଂ ମରିଶସରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ୍ କରାଯାଇଥିଲା। ଏବେ ଏହି ସ୍ପେସକ୍ରାଫ୍ଟ ପୃଥିବୀର ୨୯୬ କିଲୋମିଟର ଗୁଣା ୭୧ ହଜାର ୭୬୭ କିଲୋମିଟରର ନୂଆ କକ୍ଷକୁ ଯାଇଛି।

ଆଗକୁ ସେପ୍ଟେମ୍ବର ୧୯ ତାରିଖର ରାତି ୨ଟା ବେଳେ ଆଦିତ୍ୟ ଏଲ୍-ୱାନ ସ୍ପେସକ୍ରାଫ୍ଟ ପୃଥିବୀର ମାଧ୍ୟାକର୍ଷଣ ପରିସର ବାହାରକୁ ଯାଇ ଏଲ୍-ୱାନ ପଏଣ୍ଟ ଯିବାର ଧାର୍ଯ୍ୟ ହୋଇଛି। ଏଥିପାଇଁ ଇସ୍ରୋ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି।

 

‘ଆଦିତ୍ୟ ଏଲ୍-ୱାନ’ ମିଶନକୁ ସେପ୍ଟେମ୍ବର ୨ ତାରିଖରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ୫ଟି କକ୍ଷପଥରେ ପୃଥିବୀ ଚାରିପଟେ ଘୂରିବାପରେ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ‘ଏଲ୍-ୱାନ’ ପଏଣ୍ଟ ଅଭିମୁଖେ ଯିବ।

Tags: #AdityaL1 #SolarMission #SpaceExploration #ISRO #India

Comment