ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ୫୦୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତୀକରଣ ପାଇଁ ୨୪୮ ଟଙ୍କା ବ୍ୟୟବରାଦ
  • ଗଞ୍ଜାମ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ଭୂତଳ ପାଇପ ଦ୍ଵାରା ଜଳସେଚନ ବ୍ୟବସ୍ଥା
  • ବାଲେଶ୍ଵରରେ ବୁଢ଼ାବଳଙ୍ଗ ନଦୀ ଏବଂ ନବରଙ୍ଗପୁରରେ ତୁରୀ ଓ ଗୁଣ୍ଟା ନଦୀରେ ହେବ ଆନିକଟ

ଭୁବନେଶ୍ଵରରେ ହୋଇଥିବା କ୍ୟାବିନେଟ ବୈଠକରେ ରାଜ୍ୟ ଜଳସମ୍ପଦ ବିଭାଗର ଏକାଧିକ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ରାଜ୍ୟ ପାଇଁ କିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ କିଛି ଆନିକଟ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

ଓଡ଼ିଶା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଛୋଟ ବନ୍ଧ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତୀକରଣ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ରାଜ୍ୟର ୫୦୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରାଯାଇ ଏଗୁଡ଼ିକର କ୍ଷମତା ବଢ଼ାଯିବ।

ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୫-୨୬ ଯାଏଁ ତିନି ବର୍ଷ ପାଇଁ ୨୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ରାଜ୍ୟର ୧୬ ହଜାର ୪୦୦ ହେକ୍ଟର ଅଞ୍ଚଳରେ ଥିବା ଜଳସେଚନ ସୁବିଧାର ପୁନର୍ବିକାଶ କରାଯିବ।

ଗଞ୍ଜାମ ଜିଲ୍ଲାର ‌ଛେଳିଗଡ଼ ଜଳସେଚନ ପ୍ରକଳ୍ପର କ୍ଷମତା ବଢ଼ାଇବା ପାଇଁ ଯୋଜନା କରାଯାଇଛି। ଏଥିରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୭୬୦ ହେକ୍ଟର ବାମ ପାର୍ଶ୍ଵ ଚାଷଜମି ଓ ୨ ହଜାର ହେକ୍ଟର ଦକ୍ଷିଣ ପାର୍ଶ୍ଵର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ।

‌ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅଧୀନରେ ଭୂତଳ ପାଇପ ଦ୍ଵାରା ଜଳଯୋଗାଣ ପାଇଁ ୧୬୦ କୋଟି ୭୭ ଲକ୍ଷର ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏହାସହ ବିଦ୍ୟୁତ ଖର୍ଚ୍ଚ ପାଇଁ ୭ କୋଟି ୬୫ ଲକ୍ଷ ଟଙ୍କାର ଆଉ ଏକ ଟେଣ୍ଡରକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି।

ସେହିପରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନରେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ଭୂତଳ ପାଇପ ଦ୍ଵାରା ଚାଷଜମିକୁ ପାଣି ଯୋଗାଇବା ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୬୨ କୋଟି ୯୧ ଲକ୍ଷ ଟଙ୍କା ଏବଂ ଏହାର ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୮ କୋଟି ୧୪ ଲକ୍ଷ ଟଙ୍କାର ଦୁଇଟି ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ଅନ୍ୟପଟେ ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକର ବରକୁଲି ଗ୍ରାମ ନିକଟରେ ବୁଢ଼ାବଳଙ୍ଗ ନଦୀରେ ଏକ ଆନିକଟ ନିର୍ମାଣ ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏଥିପାଇଁ ୧୨୬ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏହାଦ୍ଵାରା ବାଲେଶ୍ଵ ଓ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୭ ହଜାର ୩୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ‘ଆନ୍ତଃ ନଦୀ ଜଳାଶୟ ପ୍ରକଳ୍ପ’ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାରେ ତୁରୀ ଓ ଗୁଣ୍ଟା ନଦୀ ଉପରେ ଗୋଟିଏ ଲେଖାଏଁ ଆନିକଟ ନିର୍ମାଣ କରିବାକୁ କ୍ୟବିନେଟର ଅନୁମୋଦନ ମିଳିଛି। ଏହି ଦୁଇଟି ଆନିକଟ ପାଇଁ ୧୦୬ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ଵାରା ୯ ହଜାର ୧୩୫ ହେକ୍ଟର ଜମିକୁ ଜଳସେଚନ ଏବଂ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ପାନୀୟ ଜଳ ସୁବିଧା ମିଳିବ।

ଏହାସହ ରାଜ୍ୟ ଜଳସମ୍ପଦ ବିଭାଗରେ ଇଞ୍ଜିନିୟରମାନଙ୍କ ନିଯୁକ୍ତି ପାଇଁ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ ନିୟମ ୨୦୧୨ରେ ସଂଶୋଧନ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ମଞ୍ଜୁର କରାଯାଇଛି।

Tags: #CabinetMeeting #WaterResourcesDept #IrrigationProjects #Odisha

Comment