ଓଡ଼ିଶାଲାଇଭ୍ ବ୍ୟୁରୋ
- ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହେଲା ଭାରତ
- ଶ୍ରୀଲଙ୍କା ୫୦ ରନରେ ଅଲଆଉଟ, ୧୦ ୱିକେଟରେ ଭାରତ ଜିତିଲା ମ୍ୟାଚ
- ଅଷ୍ଟମ ଥର ପାଇଁ ଏସିଆ କପ୍ କ୍ରିକେଟ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ
ଏସିଆ କପ୍ ଚାମ୍ପିୟନ ହେଲା ଭାରତ। ରବିବାର ଫାଇନାଲରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଏଥିସହ ଦଳ ଅଷ୍ଟମ ଥର ପାଇଁ ଏସିଆ କପ୍ ଟ୍ରଫି ହାତେଇଛି। ଫାଇନାଲରେ ଅତି ସୁନ୍ଦର ବୋଲିଂ କରିଥିବା ମହମ୍ମଦ ସିରାଜ ମ୍ୟାନ ଅଫ୍ ଦ ମ୍ୟାଚ ହୋଇଛନ୍ତି। ଏହାସହ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ କୁଲଦୀପ ଯାଦବ ମ୍ୟାନ ଅଫ୍ ଦି ସିରିଜ ହୋଇଛନ୍ତି।
ଏସିଆ କପ୍ ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ହେଲେ ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଆରମ୍ଭରୁ ହିଁ ଭୁଲ ପ୍ରମାଣିତ ହୋଇଥିଲା। ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ପ୍ରଥମ ଓଭରରୁ ହିଁ ବିପକ୍ଷ ଦଳର ଗୋଟିଏ ପରେ ଗୋଟିଏ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ଆରମ୍ଭ କରିଥିଲେ।
ମ୍ୟାଚର ଚତୁର୍ଥ ଓଭରରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏହି ଓଭରରେ ହିଁ ସିରାଜ ଶ୍ରୀଲଙ୍କାର ୪ ଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ।
ମାତ୍ର ୧୫.୨ ଓଭରରେ ହିଁ ଶ୍ରୀଲଙ୍କା ୫୦ ରନରେ ଅଲଆଉଟ ହୋଇଯାଇଥିଲା। ଏହି ଇନିଂସରେ ମହମ୍ମଦ ସିରାଜ ୬ଟି ୱିକେଟ ନେଇଥିଲେ। ସେହିପରି ହାର୍ଦିକ ପାଣ୍ଡ୍ୟା ୩ଟି ଓ ଯଶପ୍ରୀତ ବୁମରା ଗୋଟିଏ ୱିକେଟ ହାସଲ କରିଥିଲେ।
ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବ୍ୟାଟ୍ସମାନଙ୍କ ପାଇଁ ସ୍ଥିତିକୁ ସହଜ କରିଦେଇଥିଲେ। ଭାରତ ପାଇଁ ଓପନିଂ କରିବାକୁ ଆସିଥିବା ଇଶାନ କିଷନ ଓ ଶୁଭମନ ଗିଲ ମାତ୍ର ୬.୧ ଓଭରରେ ହିଁ ୫୧ ରନର ଟାର୍ଗେଟ ହାସଲ କରିଦେଇଥିଲେ।
ଭାରତ ପୂର୍ବରୁ ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଏସିଆ କପ୍ ଚାମ୍ପିୟନ ହୋଇଥିଲା। ଆଜିର ଏହି ବିଜୟ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କୁ ଖୁବ ଉତ୍ସାହିତ କରିଛି। ଆଗକୁ ଆସୁଥିବା ଆଇସିସି ବିଶ୍ଵକପରେ ମଧ୍ୟ ଦଳ ନିଜର ଉତ୍ତମ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।
Tags: #AsiaCup2023 #Finals #IndiavsSrilanka #India #Champions #Cricket #Sports #BCCI