ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବଡ଼ ମେଡିକାଲର ବିଭିନ୍ନ ୱାର୍ଡରେ ଏବେ ପାଣି ସମସ୍ୟା ଦେଖାଦେଇଛି
କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି। ଦିନକ ତଳେ ବିଜୁଳି ନ ଥିଲା। ଏବେ ଆସୁନାହିଁ ପାଣି। ରବିବାର ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଥିଲା। ସୋମବାର ସକାଳେ କିଛି ସମୟ ପାଣି ଆସିଥିଲେ ବି ତାହା ଯଥେଷ୍ଟ ହୋଇନାହିଁ।
ଟ୍ୟାପରେ ପାଣି କମ୍ ଆସୁଥିବାରୁ ବୋତଲେ ଭରିବାକୁ ଦୀର୍ଘ ସମୟ ଲାଗୁଛି। ଏପରିକି ମେଡିକାଲ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ବାହାରେ ଶୌଚାଳୟକୁ ଯାଇ ଗାଧୁଆପାଧୁଆ କରୁଥିବା ବେଳେ ପାଣି କିଣିକି ପିଉଛନ୍ତି। କିନ୍ତୁ ରୋଗୀମାନେ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି।
ତେବେ ଏନେଇ ଏସସିବି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଗାନ୍ଧୀ ଜୟନ୍ତୀ ଛୁଟି ଥିବାରୁ କୌଣସି ଅଧିକାରୀଙ୍କ ଦେଖା ବି ମିଳିନି।
ଅନ୍ୟପଟେ ୱାଟକୋ ପକ୍ଷରୁ କୁହାଯାଇଛି ଯେ ମେଡିକାଲ ପରିସରରେ ଥିବା ଏକ ପାଇପ ଫାଟିଯାଇଥିବାରୁ ଜଳ ଯୋଗାଣରେ ସମସ୍ୟା ଉପୁଜିଥିଲା। ଏବେ ପାଇପ ମରାମତି କରାଯିବା ପରେ ଜଳଯୋଗାଣ ସ୍ୱାଭାବିକ ହୋଇଛି।
ଶନିବାରଠାରୁ କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା। ରବିବାର ରାତି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିଲା। ବିଭିନ୍ନ ୱାର୍ଡରେ ଲାଇନ ନଥିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ।
Tags: #scbmedicalcollege #cuttack #waterproblem #odisha