କପିଳାସ ଭୂୟାଁ 

ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ର ସମ୍ପାଦନା ଦାୟିତ୍ଵ ଛାଡ଼ିବା ନିଶ୍ଚୟ ଏକ ବିଶେଷ ଅଭାବ ସୃଷ୍ଟି କରିବ ଓ ତାହା ଅପୂରଣୀୟ।

ଆଜି ଓଡ଼ିଶାର ବହୁଳ ପ୍ରସାରିତ ଓ ଲୋକପ୍ରିୟ ଦୈନିକ ଖବର କାଗଜ ‘ସମ୍ବାଦ’ର ୪୦ତମ ଜନ୍ମ ବାର୍ଷିକୀ। ଏହାର ଦୁଇଦିନ ପୂର୍ବରୁ ଏହି ଖବର କାଗଜର ଦୀର୍ଘ ସମୟ ଧରି ସମ୍ପାଦକ ରହିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ପଦତ୍ୟାଗ କରିବା ସହ ତାଙ୍କର କନ୍ୟା ତନୟା ପଟ୍ଟନାୟକ ନୂଆ ସମ୍ପାଦକ ରୂପେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ଏକ ଖୁସିର କଥା। ବୈଷୟିକ ଜ୍ଞାନର ଅଭିବୃଦ୍ଧି ସହିତ ଆସିଥିବା ଚଞ୍ଚଳ ଯୁଗରେ ଜଣେ ଯୁବ ସମ୍ପାଦିକା ରୂପେ ତନୟା ଯେ ନିଶ୍ଚୟ ସୂଚାରୁ ରୂପେ ନିଜ ଦାୟିତ୍ଵ ସମ୍ଭାଳି ପାରିବେ ତାହା ଆଶା କରିବା କିଛି ଭୁଲ ହେବ ନାହିଁ।

ତନୟାଙ୍କ ସଫଳତା ବହୁବିଧ। ଇଂଲଣ୍ଡର ୱାରୱିକ ବିଜିନେସ ସ୍କୁଲରୁ ଉଚ୍ଚଶିକ୍ଷା ପାଇଥିବା ତନୟା ଗଣମାଧ୍ୟମରେ ନିୟମିତ ନାନାଦି ପରୀକ୍ଷାନିରୀକ୍ଷା କରି ବେଶ ସଫଳତା ଅର୍ଜ୍ଜନ କରି ସାରିଛନ୍ତି। ଓଡ଼ିଶାର ସାମ୍ପ୍ରତିକ ଅବସ୍ଥା, ପରମ୍ପରା ଓ ସାଂସ୍କୃତିକ ଧାରା ଆଦି ସମ୍ପର୍କରେ ତାଙ୍କର ବିଶେଷ ଧାରଣା ରହିଛି। ‘ଆହେ ନୀଳଶୈଳ’ ପରି ଐତିହାସିକ ନାଟକ ପ୍ରଯୋଜନା କରି ଓଡ଼ିଆ ଦର୍ଶକଙ୍କୁ ଆକୃଷ୍ଟ କରିବା ଓ ସେମାନଙ୍କୁ ରଙ୍ଗମଞ୍ଚକୁ ଫେରେଇ ଆଣିବାରେ ତାଙ୍କର ସଫଳତା ନିଶ୍ଚୟ ଉଲ୍ଲେଖନୀୟ। ‘ସମ୍ବାଦ’ର ନୂତନ ସମ୍ପାଦକ ରୂପେ ସେ ଦାୟିତ୍ଵ ଗ୍ରହଣ କରିବା ଅତି ଆନନ୍ଦର କଥା।

ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ର ସମ୍ପାଦନା ଦାୟିତ୍ଵ ଛାଡ଼ିବା ନିଶ୍ଚୟ ଏକ ବିଶେଷ ଅଭାବ ସୃଷ୍ଟି କରିବ ଓ ତାହା ଅପୂରଣୀୟ। ଏହି ପରିପ୍ରେକ୍ଷୀରେ ତାଙ୍କ ଜୀବନକାଳ ଓ କାର୍ଯ୍ୟାବଳି ସମ୍ପର୍କରେ କିଛି ଆଲୋଚନା ଅପ୍ରାସଙ୍ଗିକ ହେବନାହିଁ।

ଏହା ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ ଯେ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ଓଡ଼ିଆପ୍ରାଣ ଓ ସ୍ୱାଭିମାନୀ ବ୍ୟକ୍ତିତ୍ଵ। ସେଥିପାଇଁ ଓଡ଼ିଶାର ନାଗରିକ ସମାଜ ପକ୍ଷରୁ ତାଙ୍କ ଜନ୍ମଦିନ ଅଗଷ୍ଟ ୧୮ ତାରିଖକୁ ‘ସ୍ୱାଭିମାନ ଦିବସ’ ରୂପେ ପାଳନ କରାଯାଉଛି। ତେବେ ସ୍ୱାଭିମାନ ସହିତ ସୌମ୍ୟରଞ୍ଜନଙ୍କ ଜୀବନ କେଉଁଭଳି ସଂଶ୍ଳିଷ୍ଟ? ଏହା ଜାଣିବାକୁ ଆମକୁ ପ୍ରାୟ ପାଞ୍ଚ ଦଶନ୍ଧି ପଛକୁ ଦୃଷ୍ଟି ପକାଇବାକୁ ହେବ।

ସୌମ୍ୟରଞ୍ଜନ ଥିଲେ ଜଣେ ମେଧାବୀ ଛାତ୍ର। କେନ୍ଦୁଝର ଜିଲ୍ଲାର ଆନନ୍ଦପୁରଠାରେ ତାଙ୍କର ଜନ୍ମ। ସୌମ୍ୟରଞ୍ଜନ ରାଉରକେଲାରେ ସ୍କୁଲଶିକ୍ଷା ଶେଷ କଲାପରେ ଉଚ୍ଚ ଶିକ୍ଷା ପାଇଁ କଟକ ଆସି ରାଜନୀତି ବିଜ୍ଞାନରେ ରେଭେନ୍ସା କଲେଜରୁ ୧୯୭୦ରେ ସ୍ନାତକ ଓ ପରବର୍ତ୍ତୀ ସମୟରେ ୧୯୭୨ ମସିହାରେ ସ୍ନାତକୋତ୍ତର ଶ୍ରେଣୀରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ, ଉଭୟ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ। କିଛି ଦିନର ଅଧ୍ୟାପନା ପରେ ପିଏଚଡି କରିବାକୁ ବିଦେଶ ଯାଇଥିଲେ ମଧ୍ୟ ସେଥିରେ ତାଙ୍କର ମନ ମାନି ନଥିଲା। ଅଧିକ ଉଚ୍ଚ ଶିକ୍ଷା କିମ୍ବା ଲୋଭନୀୟ ପଦପଦବୀ ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ନିଜ ରାଜ୍ୟ ଓଡ଼ିଶା ପାଇଁ କିଛି କରିବାକୁ ସେ ଫେରି ଆସିଲେ ତାଙ୍କ ଜନ୍ମଭୂମିକୁ।

ଓଡ଼ିଆ ଭାଷା ସମୃଦ୍ଧ ହେଲେ ହିଁ ଓଡ଼ିଆର ଆତ୍ମ ପରିଚୟ ବଳିଷ୍ଠ ହେବ ବୋଲି ସେ ବୁଝିଥିଲେ। ତେଣୁ ବହୁ ବାଧାବିଘ୍ନକୁ ଆଡ଼େଇ ସେ ଆରମ୍ଭ କଲେ ‘ସମ୍ବାଦ’ ଦୈନିକ ଖବରକାଗଜ। ଓଡ଼ିଆର ଆତ୍ମ ପରିଚୟକୁ ଓଡ଼ିଶା ବାହାରେ ପ୍ରସାର କରିବା ପାଇଁ ଏକା ସାଙ୍ଗରେ ବାହାର କଲେ ଅନ୍ୟ ଏକ ଇଂରାଜୀ ଦୈନିକ ‘ସନ ଟାଇମ୍ସ’। ଅବଶ୍ୟ ତାହା ପରବର୍ତ୍ତୀ କାଳରେ ବନ୍ଦ ହୋଇଯାଇଥିଲା, କିନ୍ତୁ ଏବେ ଗୋଟିଏ ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ ରୂପରେ ରହିଛି।

ଏହି ଉଭୟ ଖବରକାଗଜ ମୁଦ୍ରଣ ପାଇଁ ସେ ଉପଯୋଗ କରିଥିଲେ ଅତ୍ୟାଧୁନିକ ପିଟିଏସ୍‌ ବା ଫଟୋ ଟାଇପ୍ ସେଟିଂ ଓ ଅଫ୍‌ସେଟ୍‌ ପ୍ରିଣ୍ଟିଂ ଭଳି ବୈଷୟିକ ଜ୍ଞାନକୌଶଳ। ଆଜି ହୁଏତ ଅଫ୍‌ସେଟ୍‌ ପ୍ରିଣ୍ଟିଂର କୌଣସି ସ୍ୱତନ୍ତ୍ରତା ନାହିଁ, କିନ୍ତୁ ୮୦ ଦଶକ ଆରମ୍ଭରେ ଆମ ରାଜ୍ୟରେ ଖବରକାଗଜର ଏଭଳି ପ୍ରିଣ୍ଟିଂ ଆଦୌ ହେଉନଥିଲା। ସେତେବେଳେ ସିସା ଅକ୍ଷରକୁ ଯୋଡ଼ି ଶବ୍ଦ ଓ ବାକ୍ୟ ହାତରେ ସେଟ୍‌ କରାଯାଉଥିଲା ଓ ଟ୍ରେଡଲ ଛାପା ମେସିନରେ ଖବରକାଗଜ ଛପା ଯାଉଥିଲା। ଆଜିକା ଦିନର ଡିଟିପି ବ୍ୟବସ୍ଥା ବି ନଥିଲା। ତେଣୁ ଫଟୋ ଟାଇପ୍‌ ସେଟିଂ ଓ ଅଫ୍‌ସେଟ୍‌ ପ୍ରିଣ୍ଟିଂ ଦ୍ଵାରା ଖବରକାଗଜର ନୂଆ ରୂପ ସେ ସମୟରେ ସମସ୍ତଙ୍କୁ ବହୁ ମାତ୍ରାରେ ଚମତ୍କୃତ କରିଥିଲା।

୧୯୮୪ ମସିହା ଅକ୍ଟୋବର ୪ ତାରିଖ ଦିନ ‘ସମ୍ବାଦ’ ଏକ ପ୍ରାତଃ ସଂସ୍କରଣ ଖବରକାଗଜ ରୂପେ ଲୋକାର୍ପଣ ହେଲା ପରେ ସହସା ଏହା ଓଡ଼ିଶାର ଜନସାଧାରଣଙ୍କର ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଥିଲା। ଅତ୍ୟାଧୁନିକ ମୁଦ୍ରଣ ପରିପାଟି ବ୍ୟତୀତ ଏହାର ସମ୍ପାଦକ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ରହିଥିବା ବେଳେ ‘ବାସି ଖବରର ଯୁଗ ଶେଷ, ଆଜି ଖବର ଆଜି’ ସ୍ଲୋଗାନ୍‍ ସମ୍ବାଦକୁ ଖୁବ୍‌ ଶୀଘ୍ର ଏକ ଜନପ୍ରିୟ ଖବରକାଗଜ ଭାବେ ପ୍ରତିଷ୍ଠା ଆଣି ଦେଇଥିଲା।

ଏହା ପୂର୍ବରୁ ଓଡ଼ିଶାର ଖବରକାଗଜଗୁଡ଼ିକ ସନ୍ଧ୍ୟା ସଂସ୍କରଣ ରୂପେ ପ୍ରକାଶ ପାଇଆସୁଥିଲା। ‘ସମ୍ବାଦ’ ହିଁ ସେହି ପରମ୍ପରାକୁ ଭାଙ୍ଗି ଏକ ନୂଆ ଧାରା ସୃଷ୍ଟି କଲା। ପରବର୍ତ୍ତୀ ସମୟରେ ଏହି ନୂଆଧାରାଟିକୁ ଅନ୍ୟ ସମସ୍ତ ଖବରକାଗଜ ଆପଣାଇବାକୁ ବସ୍ତୁତଃ ବାଧ୍ୟ ହେଲେ। ଫଳରେ ଏବେ ଓଡ଼ିଶାର ସବୁ ଖବରକାଗଜ ପ୍ରାତଃ ସଂସ୍କରଣ ରୂପେ ପ୍ରକାଶ ପାଉଛି।

ଆଜି ଓଡ଼ିଶାରେ ସର୍ବାଧିକ ପ୍ରସାରିତ ଖବରକାଗଜ ହେଉଛି ‘ସମ୍ବାଦ’। କିନ୍ତୁ ଏହି ସଫଳତା ଗୋଟିଏ ଦିନରେ ମିଳିନାହିଁ। ପ୍ରଥମ ୨୦ ବର୍ଷ ପର୍ଯ୍ୟନ୍ତ ‘ସମ୍ବାଦ’ର ପ୍ରକାଶନ ପାଇଁ ସୌମ୍ୟରଞ୍ଜନଙ୍କୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ସେ ପଛଘୁଞ୍ଚା ଦେଇନାହାନ୍ତି। ବରଂ ଅଧିକ ସାହସ ସଞ୍ଚୟ କରି ରାଜ୍ୟରେ ପାଠକ ସଂଖ୍ୟା ବୃଦ୍ଧି କରିବା ପାଇଁ ସେ ବିଦ୍ୟାଳୟ ସ୍ତରରୁ ଓଡ଼ିଆ ଭାଷା ପ୍ରତି ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ସୃଷ୍ଟି କରିବାକୁ ସୁଦୂରପ୍ରଭାବୀ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଆଗଭଳି ଓଡ଼ିଆ ଭାଷା ପ୍ରତି ଆଉ ବିମୁଖ ହେଉନାହାନ୍ତି।

‘ସମ୍ବାଦ’ ପ୍ରକାଶନ ସହ ସମ୍ପୃକ୍ତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସାରା ରାଜ୍ୟରେ ନୂଆ ପିଢ଼ିର ସାମ୍ବାଦିକ ସୃଷ୍ଟି କରିବା କ୍ଷେତ୍ରରେ ସୌମ୍ୟରଞ୍ଜନ ଏକ ପ୍ରମୁଖ ଭୂମିକା ନେଇଛନ୍ତି। ୧୯୮୦ ଦଶକ ପର୍ଯ୍ୟନ୍ତ ସାମ୍ବାଦିକତା ଏକ ବୃତ୍ତି ରୂପେ ଅଳ୍ପ କିଛି ଅଧାପଢୁଆ ଲୋକଙ୍କ ମଧ୍ୟରେ ସୀମିତ ରହିଥିଲା। ‘ସମ୍ବାଦ’ ଓ ‘ସନଟାଇମ୍ସ’ ମାଧ୍ୟମରେ ସୌମ୍ୟରଞ୍ଜନ ସର୍ବପ୍ରଥମେ ଶିକ୍ଷିତ ଯୁବକମାନଙ୍କୁ ସାମ୍ବାଦିକ ହେବା ଦିଗରେ ପ୍ରୋତ୍ସାହିତ କରିପାରିଲେ।

ଏହା ସ୍ୱୀକାର୍ଯ୍ୟ ଯେ ଆଜି ଉଭୟ ଓଡ଼ିଆ ଓ ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ବହୁସଂଖ୍ୟକ ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନଙ୍କ ପ୍ରୋତ୍ସାହନ କ୍ରମେ ସେମାନଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ। କୌଣସି ନା କୌଣସି ବାଟରେ ପ୍ରାୟ ସମସ୍ତ ଓଡ଼ିଆ ସାମ୍ବାଦିକ ‘ସମ୍ବାଦ’ ମାଧ୍ୟମରେ ସେମାନଙ୍କ ବୃତ୍ତିଗତ ପ୍ରତିଭାକୁ ପରିମାର୍ଜିତ କରିବାର ସୁଯୋଗ ପାଇଥିଲେ।

‘ସମ୍ବାଦ’ ପ୍ରକାଶନ ଆରମ୍ଭ ହେବା ପୂର୍ବରୁ ଅଳ୍ପ କିଛି ସାମ୍ବାଦିକଙ୍କୁ ଛାଡ଼ିଦେଲେ ମୋଟା ମୋଟି କାହାକୁ ଦରମା ମିଳୁ ନଥିଲା। ନୂଆ ସାମ୍ବାଦିକଙ୍କ କଥା ଛାଡ଼, ଅନେକ ପୁରୁଣା ସାମ୍ବାଦିକ କେବଳ ଗୋଟିଏ ଗୋଟିଏ ପରିଚୟ ପତ୍ର ନେଇ ସାମ୍ବାଦିକତା କରୁଥିଲେ। ତେଣୁ ହୁଏତ ସେମାନଙ୍କ ମଧ୍ୟରୁ ଅନେକ ସେହି ପରିଚୟ ପତ୍ର ବଳରେ ଅନ୍ୟାୟ ଉପାୟରେ କ୍ଷମତାଶାଳୀ ଲୋକମାନଙ୍କୁ ସେମାନଙ୍କ ଅସାଧୁ କାର୍ଯ୍ୟକଳାପ ବାବଦରେ ଲେଖି ପ୍ରକାଶ କରିଦେବାର ଭୟ ଦେଖାଇ ଅର୍ଥ ଆଦାୟ କରି ଜୀବନ ବଞ୍ଚୁଥିଲେ।

ତେବେ ସୌମ୍ୟରଞ୍ଜନ ପ୍ରତ୍ୟେକ ସାମ୍ବାଦିକଙ୍କୁ ଧାର୍ଯ୍ୟ ଦରମା ଦେଇ ସହି ଧାରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାରେ ସଫଳ ହେଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକମାନେ ଅନ୍ୟ ସବୁ ଖବରକାଗଜରେ ଦରମା ପାଇ କାର୍ଯ୍ୟ କରିବା ଧାରା ଆରମ୍ଭ ହେଲା।

ତେବେ ଏହା କିଛି ସହଜ କାମ ନଥିଲା। ନବେ ଦଶକ ପ୍ରାରମ୍ଭରେ ଇଷ୍ଟର୍ଣ୍ଣ ମିଡିଆ କମ୍ପାନି ଲିମିଟେଡ ଆର୍ଥିକ ଦୁରବସ୍ଥା ଦେଇ ଗତି କଲାବେଳେ ସୌମ୍ୟରଞ୍ଜନ ନିଜେ ହିଁ ନିୟମିତ ଭାବେ କର୍ମଚାରୀମାନଙ୍କୁ ଦରମା ଦେଇ ପାରିନଥିଲେ ଓ ସେହିସବୁ କର୍ମଚାରୀମାନେ କାମ ବନ୍ଦ କରି ମୁଖ୍ୟ ଫାଟକ ଆଗରେ ଧାରଣା ଦେବା ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ‘ସମ୍ବାଦ’ ପ୍ରକାଶନର ପ୍ରଥମ କୋଡ଼ିଏ ବର୍ଷ ଅନେକ ଝଡ଼ଝଞ୍ଜା ଦେଇ ଗତି କଲା ପରେ ପରବର୍ତ୍ତୀ କୋଡ଼ିଏ ବର୍ଷରେ ଏହାର ଅବସ୍ଥା କ୍ରମେ ଉନ୍ନତ ହେଲା ଓ କ୍ରମେ ସର୍ବାଧିକ ପ୍ରସାରିତ ଖବରକାଗଜର ମାନ୍ୟତା ପାଇଲା।

କେବଳ ଛାପା ଗଣମାଧ୍ୟମ ନୁହେଁ, ବରଂ ରେଡିଓ ଚକୋଲେଟ, କନକ ଟେଲିଭିଜନ, ଚଳଚ୍ଚିତ୍ର ଓ ଯାତ୍ରା ପରି ସବୁ ଧରଣର ମାଧ୍ୟମରେ ହାତ ଦେଇ ସୌମ୍ୟରଞ୍ଜନ ସଫଳତା ପାଇବାରେ ଓଡ଼ିଶାର ଏକମାତ୍ର ବ୍ୟକ୍ତିତ୍ଵ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

‘ସମ୍ବାଦ’ ଭିନ୍ନ ‘କଥା’ ପତ୍ରିକା ମାଧ୍ୟମରେ ନୂଆ ପିଢ଼ିର ଲେଖକ ସୃଷ୍ଟି କରିବା କ୍ଷେତ୍ରରେ ମଧ୍ୟ ସୌମ୍ୟରଞ୍ଜନଙ୍କ ଯଥେଷ୍ଟ ଅବଦାନ ରହିଛି। ଅଧିକରୁ ଅଧିକ ଓଡ଼ିଆ ପାଠକ ସୃଷ୍ଟି କରିବା କ୍ଷେତ୍ରରେ ‘ପୌରୁଷ’ ପରି ପତ୍ରିକାର ଅବଦାନ ଅନସ୍ୱୀକାର୍ଯ୍ୟ। ଏହା ବ୍ୟତୀତ ‘ଆମ ଓଡ଼ିଶା’ ସଂସ୍ଥା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରସାର ସହ ଓଡ଼ିଆ ପୁସ୍ତକ ପ୍ରକାଶନ ତାଙ୍କର ଏକ ଅନବଦ୍ୟ ଉଦ୍ୟମ।

‘ଆମ ଓଡ଼ିଶା’ର ଅନ୍ୟ ଏକ ଅବଦାନ ହେଉଛି ସାରା ବର୍ଷର ବିଭିନ୍ନ ସମୟରେ ‘ରକ୍ତଦାନ ଶିବିର’ ଆୟୋଜନ। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଯେଉଁ ପରିମାଣର ରକ୍ତ ସଂଗ୍ରହ କରାଯାଉଛି, ‘ଆମ ଓଡ଼ିଶା’ର ରକ୍ତଦାନ ଶିବିରଗୁଡ଼ିକରୁ ମଧ୍ୟ ସମପରିମାଣର ରକ୍ତ ସଂଗ୍ରହ କରାଯାଇ ସରକାରଙ୍କୁ ଦିଆଯାଇପାରୁଛି। ଏହା ନିଶ୍ଚିତ ରୂପେ ଓଡ଼ିଶାର ଜନସାଧାରଣଙ୍କ ହିତ ପାଇଁ ସୌମ୍ୟରଞ୍ଜନଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଉଲ୍ଲେଖ ଅପରିହାର୍ଯ୍ୟ କି ସମ୍ପାଦକ ରୂପେ ସେ ବିଭିନ୍ନ ସମୟରେ ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ଲେଖୁଥିବା ସମ୍ପାଦକୀୟ ‘ଆମ ଘରର ହାଲଚାଲ’ ଅତି ଉଚ୍ଚକୋଟିର ଆଲେଖ୍ୟ। ଓଡ଼ିଶାର ଜନଜୀବନ ସହ ସମ୍ପୃକ୍ତ ଏକାଧିକ ପ୍ରସଙ୍ଗ ସମ୍ପର୍କରେ ଏହି ସମ୍ପାଦକୀୟ ସ୍ତମ୍ଭରେ ସେ ଲେଖି ଆସୁଥିବା ଆଲେଖ୍ୟଗୁଡ଼ିକର ଶାଣିତ ସ୍ଵର ସାରା ଦେଶରେ ପ୍ରକାଶିତ ହେଉଥିବା ଅନ୍ୟାନ୍ୟ ସମ୍ପାଦକ ଓ ଲେଖକମାନଙ୍କ ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଭାଷାରେ ଲେଖାଠାରୁ କୌଣସି ଗୁଣରେ କମ ନୁହେଁ। ଏପରିକି ସମୟ ସମୟରେ ସେମାନଙ୍କ ଲେଖାଠାରୁ ଯଥେଷ୍ଟ ଉନ୍ନତ ମଧ୍ୟ।

‘ସାମ୍ବାଦ’ର ଆରମ୍ଭ ବର୍ଷ ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ସମ୍ପାଦକ ରହିଥିବା ବେଳେ ଦ୍ଵିତୀୟ ବର୍ଷଠାରୁ ସୌମ୍ୟରଞ୍ଜନ ଦୀର୍ଘ ୩୮ ବର୍ଷ ଧରି ସମ୍ପାଦକ ନତୁବା ମୁଖ୍ୟ ସମ୍ପାଦକ ରହି ଆସିଛନ୍ତି। ଅବଶ୍ୟ ୧୯୮୯ ମସିହା ମେ’ ମାସଠାରୁ ସମ୍ପଦ ମହାପାତ୍ର ମାତ୍ର ତିନି ମାସ ପାଇଁ ସ୍ୱାଧୀନ ଭାବେ ସମ୍ପାଦକ ରହିଥିବା ବେଳେ ସୌମ୍ୟରଞ୍ଜନ ୧୯୯୦ ମସିହା ଜାନୁଆରି ମାସଠାରୁ ୧୯୯୨ ମସିହା ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ସମ୍ପାଦକ ରହିଥିଲେ। ତେବେ ୮ ମାର୍ଚ୍ଚ ୧୯୯୨ ଠାରୁ ୨ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବିଗତ ୩୧ ବର୍ଷ ଧରି ସୌମ୍ୟରଞ୍ଜନ ନିରବଚ୍ଛିନ୍ନ ଭାବେ ‘ସମ୍ବାଦ’ର ସମ୍ପାଦନା ଦାୟିତ୍ୱ ତୁଲାଇ ଆସୁଥିଲେ, ଯେଉଁଥିରୁ ସେ ଏବେ ଅବ୍ୟାହତି ନେଇଛନ୍ତି।

ଓଡ଼ିଶାର ଜନଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ହୋ‍ଇ ରହିବା ସତ୍ତ୍ୱେ ରାଜନୈତିକ କ୍ଷେତ୍ରରେ ସୌମ୍ୟରଞ୍ଜନଙ୍କୁ ଯେଉଁ ସଫଳତା ମିଳିବା କଥା, ତାହା ମିଳିପାରିନାହିଁ। ଏହା ହୁଏତ ବ୍ୟକ୍ତିଗତ ଭାବେ ତାଙ୍କ ଦୁର୍ଭାଗ୍ୟ ହୋ‌ଇପାରେ। କିନ୍ତୁ ବାସ୍ତବ ଦୃଷ୍ଟିରୁ ବିଚାର କଲେ ତାଙ୍କର ଏହି ବ୍ୟକ୍ତିଗତ ଦୁର୍ଭାଗ୍ୟ ଓଡ଼ିଶାର ସାମ୍ବାଦିକତା, ସାହିତ୍ୟ, ଜନହିତ ଓ ସଂସ୍କୃତି କ୍ଷେତ୍ର ପାଇଁ ଅତି ମାତ୍ରାରେ ସୌଭାଗ୍ୟ ରୂପେ ସାବ୍ୟସ୍ତ ହୋ‍ଇଛି। କାରଣ ସେ ପ୍ରତି ନିର୍ବାଚନରେ ହାରିଲା ପରେ ନୂଆ ଶକ୍ତି ସଂଗ୍ରହ କରି ତାଙ୍କ କାମରେ ମନୋନିବେଶ କରିଛନ୍ତି। ଜଣେ ଦାୟିତ୍ଵବାନ ସମ୍ପାଦକ ରୂପେ ସାରା ଓଡ଼ିଶାର ସ୍ଵାର୍ଥ ପାଇଁ ସ୍ଵର ଉତ୍ତୋଳନ କରିଛନ୍ତି।

ଏହାକୁ ନିଶ୍ଚୟ ତାଙ୍କର ଈର୍ଷଣୀୟ ସଫଳତା ବୋଲି କୁହାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ।)

Tags: #Sambad #odianewspaper #soumyaranjanPatnaik #tanayapatnaik #sambadat40 #odisha

LEAVE A REPLY

Please enter your comment!
Please enter your name here