ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଏବଂ ଏହାର ପାଦଦେଶରେ ଚଳିତ ବର୍ଷ ପାଇଁ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ଏହି ଗଣନା କାର୍ଯ୍ୟ ଶିମିଳିପାଳ ଅଭୟାରଣ୍ୟ ଏବଂ ଅଭୟାରଣ୍ୟ ବାହାରେ ଥିବା ବାରିପଦା, କରଞ୍ଜିଆ, ରାଇରଙ୍ଗପୁର, ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲାରେ ଥିବା ବନାଞ୍ଚଳରେ କରାଯିବ। ଏଥିରେ ନିୟୋଜିତ ହେବେ ୫ ଶହରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ। ୩ଟି ପର୍ଯ୍ୟାୟରେ ଗଣନା କାର୍ଯ୍ୟ କରାଯିବ। ଗଣତି ପ୍ରକ୍ରିୟା ଶେଷ ହେବା ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ କାର୍ଯ୍ୟ କରାଯିବ। ଏହି କାର୍ଯ୍ୟ ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହୋଇଛି। ଦ୍ଵିତୀୟ ପର୍ଯ୍ୟାରେ ଟ୍ରାନଜିଟ ଲାଇନ ସର୍ଭେ କାର୍ଯ୍ୟ କରାଯିବ। ଆସନ୍ତା ନଭେମ୍ବର ୧୧ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇ ବାଘମାନଙ୍କର ଗତିବିଧି ଉପରେ ନଜର ରଖାଯିବ। ଏହି ପ୍ରକ୍ରିୟା ଆସନ୍ତା ବର୍ଷ ଜାନୁଆରି ୧୮ ତାରିଖରେ ଶେଷ ହେବ।
Tags: #Mayurbhanj #SimilipalTigerReserve #TigerCensus #Odisha