ଓଡ଼ିଶାଲାଇଭ୍ ବ୍ୟୁରୋ
- ଏସିଆନ ପାରା ଗେମ୍ସରେ ଖେଳିବେ ଓଡ଼ିଶାର ୭ ଖେଳାଳି
- ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
- ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ରାଶି ଘୋଷଣା
ଚୀନର ହାଙ୍ଗଝୌଉରେ ହେବାକୁ ଥିବା ଏସିଆନ ପାରା ଗେମ୍ସରେ ଚୟନ ହୋଇଥିବା ଓଡ଼ିଆ ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟର ୭ ଜଣ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ।
ଖେଳାଳିମାନଙ୍କ ଏସିଆନ ପାରା ଗେମ୍ସ ପାଇଁ ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଛନ୍ତି।
ଚଳିତବର୍ଷ ଏସିଆନ ପାରା ଗେମ୍ସ ପାଇଁ ମନୋନୀତ ହୋଇଥିବା ୭ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ପାରା ବ୍ୟାଡମିଣ୍ଟନରେ ଓଡ଼ିଶାର ପ୍ରମୋଦ ଭଗତ ଭାରତୀୟ ଦଳର ପ୍ରତିନିଧିତ୍ଵ କରିବେ। ସେହିପରି ପାରା ଆଥଲେଟିକ୍ସରେ ଜୟନ୍ତୀ ବେହେରା ଅଂଶଗ୍ରହଣ କରିବେ।
ଅନ୍ୟପଟେ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ଦୃଷ୍ଟି ବାଧିତ ଚେସରେ ଦେଖିବାକୁ ମିଳିବ। ସେହିପରି ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୁଜାସ୍ଵିନୀ ନାୟକ ଟୁର୍ଣ୍ଣାମେଣ୍ଟର ହ୍ୱିଲଚେୟାର ଫେନସିଂ (ଖଣ୍ଡା ଚାଳନା) ଇଭେଣ୍ଟରେ ଭାରତ ପକ୍ଷରୁ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।
ଚୀନର ହାଙ୍ଗଝୌଉରେ ଏସିଆନ ଗେମ୍ସ ସରିବା ପରେ ଏବେ ଅକ୍ଟୋବର ୨୨ରୁ ୨୮ ତାରିଖ ଯାଏଁ ଏସିଆନ ପାରା ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଭାରତରୁ ମୋଟ ୩୦୯ ଜଣ ଖେଳାଳି ଅଂଶଗ୍ରହଣ କରିବେ।
Tags: #AsianParaGames #IndianSquad #OdiaPlayers #Sports #Odisha #India